ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ପାର୍ଲିଆମେଂଟରେ ଗୃହୀତ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ମଂଜୁରୀ ପ୍ରାପ୍ତ କୃଷି ଓ କୃଷକ ସଂକ୍ରାନ୍ତ ଦୁଇଟି ଆଇନ ତଥା ଦି ଫାର୍ମର୍ସ ପ୍ରଡୁ୍ୟସ ଟ୍ରେଡ ଆଣ୍ଡ କମର୍ସ (ପ୍ରମୋସନ ଆଣ୍ଡ ଫେସିଲିଟେସନ) ଏବଂ ଦି ଫାମର୍ସ (ଏନପାୱାରମେଂଟ ଅଫ ପ୍ରୋଟେକ୍ସନ) ଏଗ୍ରିମେଂଟ ଅନ ପ୍ରାଇସ ଆସୁ୍ୟରାନ୍ସ ଆଣ୍ଡ ଫାର୍ମ ସର୍ଭିସେସକୁ ବିରୋଧ କରି ପଂଜାବ, ହରିଆନା ସମେତ ଦେଶର ବିଭିନ୍ନ ରାଜ୍ୟରେ କୃଷକ ସଂଗଠନ ଓ ବିରୋଧି ଦଳମାନଙ୍କ ପକ୍ଷରୁ ଆନେ୍ଦାଳନ ଜାରି ରହିଛି । ଦିନକୁ ଦିନ ଆନେ୍ଦାଳନ ଯୋରଦାର ହେଉଥିବା ଲକ୍ଷ୍ୟ କରାଯାଏ । ନିକଟରେ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଦିଲ୍ଲୀର ରାଷ୍ଟ୍ରପତି ଭବନ ସନ୍ନିକଟ ଇଣ୍ଡିଆ ଗେଟ୍ ନିକଟରେ ଆନେ୍ଦାଳନକାରୀ ଚାଷୀଙ୍କ ଏକ ଟ୍ରାକ୍ଟର ପୋଡି, ଏହାର ଜ୍ୱଳନ୍ତ ଉଦାହରଣ ବୋଲି କୁହାଯାଇପାରେ ।
ଅବଶ୍ୟ ଦିଲ୍ଲୀ ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ଭାବେ ଗ୍ରହଣ କରିଛି । ଏହି ବିଲ୍ ଦୁଇଟିକୁ ବିରୋଧ କରି ଶିରୋମଣି ଅକାଳୀ ଦଳ ବିଜେପି ତଥା ଏନଡିଏ ସହ ସଂପର୍କ ଛିନ୍ନ କରିଛି । କହିବା ବାହୁଲ୍ୟ ଯେ, ଶିରୋମଣି ଅକାଳୀ ଦଳ ବିଜେପି ସର୍ବ ପୁରାତନ ସହଯୋଗୀ ଦଳ ଭାବେ ପରିଚିତ । ଏଥିରୁ କୃଷି ଆଇନ ଦୁଇଟିକୁ ଶିରୋମଣି ଅକାଳୀ ଦଳ କେତେ ଗୁରୁତର ଭାବେ ଗ୍ରହଣ କରିଛି, ତାହା ବେଶ୍ ବୁଝାପଡେ । ନବ ପ୍ରଣୀତ କୃଷି ଆଇନ ଦୁଇଟି ସଂପର୍କରେ କେନ୍ଦ୍ର ସରକାର ବାରମ୍ବାର ସଫେଇ ଦେଇ କହିଛନ୍ତି ଯେ ପୂର୍ବାପେକ୍ଷା ଚାଷୀ ଅଧିକ ସଶକ୍ତ ହୋଇପାରିବ ଓ ପ୍ରତ୍ୟକ୍ଷ ଭାବେ ମାର୍କେଟ ସହ ଯୋଡି ହୋଇ ଅଧିକ ଲାଭବାନ ହେବ । ସ୍ଥାନୀୟ ମଣ୍ଡି ଭିତରେ ସିମୀତ ନ ରହି ଚାଷୀ ତାର ଉତ୍ପାଦକୁ ରାଜ୍ୟର କିମ୍ବା ରାଜ୍ୟ ବାହାରେ ବିକ୍ରି କରିପାରିବ । କୃଷକ ସଶକ୍ତିକରଣ ଆଇନ ଚୁକ୍ତି ଭିତିକ ଚାଷ ସଂକ୍ରାନ୍ତ ବ୍ୟବସ୍ଥାରେ ବିନା ମଧ୍ୟସ୍ଥିରେ ବଡ ବଡ ଗ୍ରାହକଙ୍କ ସହ ପ୍ରତ୍ୟକ୍ଷ ଭାବେ ସଂପର୍କ ସ୍ଥାପନ କରାଯାଇପାରିବ ବୋଲି ସରକାର ଦର୍ଶାଇଛନ୍ତି ।
ଅନ୍ୟ ପକ୍ଷରେ କୃଷକ ସଂଗଠନ ଓ ବିରୋଧ ଦଳଗୁଡିକ ଅଭିଯୋଗ କରିଛନ୍ତି ଯେ, ଏହି ଆଇନ ଦୁଇଟି ଦ୍ୱାରା ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ । ସେମାନେ ନିଜର ଉତ୍ପାଦକୁ ରାଜ୍ୟ ଭିତରେ କିମ୍ବା ରାଜ୍ୟ ବାହାରକୁ ନେଇପାରିବେ ନାହିଁ କି କମ୍ ପରିମାଣର ସାମଗ୍ରୀ ଯୋଗୁ ବଡ ବ୍ୟବସାୟୀ ଆଦୌ ଆଗ୍ରହ ପ୍ରକାଶ କରିବେ ନାହିଁ । ଯାହା ଫଳରେ ନାମ ମାତ୍ର ଓ କ୍ଷୁଦ୍ର ଚାଷୀ ଶେଷରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେବ ।
କେବଳ ଏତିକି ନୁହେଁ, ନୂତନ ଆଇନଯୋଗୁଁ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହୋଇ ଏକ ପ୍ରକାର ସତା ହରାଇବ ବୋଲି ଅଭିଯୋଗ ହୁଏ । ଏଥି ସହିତ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇବାରୁ ବଂଚିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏମଏସଏପିକୁ ଆଇନଗତ ଅଧିକାରରେ ପରିଣତ କରିବା ପାଇଁ ଉଭୟ କୃଷକ ସଂଗଠନ ଓ ବିରୋଧ ଦଳ ଗୁଡିକରେ ଏକମାତ୍ର ଦାବିରେ ପରିଣତ ହୋଇଛି । ମାତ୍ର କେନ୍ଦ୍ର ସରକାର ଏଭଳି ଅଭିଯୋଗ ବା ଆଶକାଙ୍କୁ ଦୃଢ ଭାବେ ଖଣ୍ଡନ କରିଛନ୍ତି । କେନ୍ଦ୍ର ସରକାର ଆଉ ପାଦେ ଆଗେଇଯାଇ ଗତ ୨୧ ତରିଖ ଦିନ ରବି ଶସ୍ୟ ପାଇଁ ଏମଏସପି ଘୋଷଣା କରିଛନ୍ତି ।
ଗହମ ସମେତ କେତେକ ରବି ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ମାସ ୨୩ ତାରିଖ ଦିନ କେନ୍ଦ୍ର ସରକାର ରବି ଶସ୍ୟ ପାଇଁ ଏମଏସପି ଘୋଷଣା କରିଥିଲେ । ସେହିପରି ପ୍ରଚଳିତ ଦିବସ ବା ସମୟର ୫ଦିନ ପୂର୍ବରୁ କେନ୍ଦ୍ର ସରକାର ମଣ୍ଡି ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ କହିଛନ୍ତି ଯେ, ମଣ୍ଡି ବ୍ୟବସ୍ଥା ପୂର୍ବତନ ଜାରି ରହିବ ଏବଂ ସରକାର ଚାଷୀଙ୍କ ଠାରୁ ଧାନ କିଣିବା ବଳବତର ରହିବ ।
ମାତ୍ର ପ୍ରଧାନମନ୍ତ୍ରୀଙ୍କର ଏହି ଆଶ୍ୱାସନା ଚାଷୀଙ୍କୁ ତରଳାଇ ପାରିନାହିଁ କିମ୍ବା ସେମାନଙ୍କର ହୃଦବୋଧ ହୋଇନାହିଁ । ମାତ୍ର କୃଷକ ସଂଗଠନଗୁଡିକ ଏମଏସପିକୁ ଆଇନଗତ ଅଧିକାରରେ ପରିଣତ କରିବା ଦାବିରେ ଅଟଳ ରହିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଗରିବ ଲୋକଙ୍କୁ ରିହାତିରେ ଖାଦ୍ୟଶସ୍ୟ ଯୋଗାଣ, ମନେରଗା ଜରିଆରେ ଶ୍ରମିକଙ୍କୁ ନିଶ୍ଚିତ କର୍ମଯୋଗାଣ ଓ ପିଲାଙ୍କ ପାଇଁ ମାଗଣା ଶିକ୍ଷକ ଅଧିକାର ଭଳି ଏମଏସପିକୁ ଆଇନଗତ ଅଧିକାର କରିବା ପାଇଁ ଦାବିରେ ଅଡି ବସିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘକାଳୀନ କଠୋର ଳକଡାଉନ ଯୋଗୁଁ ଦେଶର ଆର୍ଥୀକ ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇଥିବା ବେଳେ ଲକଡାଉନ ସତ୍ୱେ ଦେଶରେ କୃଷି ଅଭିବୃଦ୍ଧି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି । ଯାହାକି ସରକାରଙ୍କ ପାଇଁ ଏକ ବଡ ଆଶ୍ୱସ୍ତିର କାରଣ ବୋଲି ସ୍ୱୀକାର କରିବାକୁ ହେବ । ଏହା ସତ୍ୟ ଯେ, ଚାଷୀ ଆନେ୍ଦାଳନ ଯୋଗୁଁ କୃଷି କ୍ଷେତ୍ର ବାଧାପ୍ରାପ୍ତ ହେବ । ସରକାର ବିଳମ୍ବ ନକରି ଚାଷୀ ସମସ୍ୟା ସମାଧାନା କରିବା ଆବଶ୍ୟକ । ଦେଶର ଆର୍ଥୀକ ଅଭିବୃଦ୍ଧି କୃଷିକ୍ଷେତ୍ରରେ ଯୋଗଦାନ ଅଧିକ ରହିଥିବାରୁ ଆଉ ଅଧିକ ବିଳମ୍ବ କରିବା ଅନୁଚିତ ।
