ବାଲେଶ୍ୱର : କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବାପାଇଁ ପ୍ରତ୍ୟେକ ଗ୍ରାମାଞ୍ଚଳରେ କୃଷକ ଉତ୍ପାଦକ ସଂଘ ଗଠନ କରାଯିବ । ଏବଂ ସେଗୁଡ଼ିକୁ କମ୍ପାନୀ ନିୟମ ଅନୁଯାୟୀ କିମ୍ବା ସମବାୟ ଆଇନ୍ ଅନୁସାରେ ପଞ୍ଜୀକରଣ କରାଯିବ । ଚାଷୀମାନେ ଏହାର ମାଲିକ ହେବା ସହ ସିଧା ସଳଖ ଉତ୍ପାଦକ କ୍ରୟ କରି କୃଷକ ଉତ୍ପାଦକ ସଂଘ ଜରିଆରେ ବିକ୍ରୟ କରାଯିବ । ଗ୍ରାମାଞ୍ଚଳର ଚାଷୀମାନେ ଏହାଦ୍ୱାରା ଲାଭବାନ ହେବା ସହ ଚାଷୀକୂଳ ସ୍ୱାବଲମ୍ବୀ ହେବ ।
ପ୍ରତ୍ୟେକ ଉତ୍ପାଦକ ସଂଘକୁ ୩ଲକ୍ଷରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସହାୟତା ରାଶି ପ୍ରଦାନ କରିବେ । ୨୦୨୨ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ସାକାର ହେବା ସହ ଚାଷୀମାନେ ନିଜ ଆୟକୁ ଦ୍ୱିଗୁଣିତ କରିପାରିବେ । ଆଜି ଅପରାହ୍ନ ୫ ଘଟିକା ସମୟରେ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ବିଜେପିର ନେତୃମଣ୍ଡଳୀମାନେ ଏଭଳି ବକ୍ତବ୍ୟ ରଖିଛନ୍ତି ।
ରେମୁଣା ବିଜେପୀ କାର୍ଯ୍ୟାଳୟରେ ଅନୁଷ୍ଠିତ ଭିଡ଼ିଓ କନ୍ଫରେନ୍ସ ସମାବେଶରେ ଉତ୍ତର ଓଡ଼ିଶା କୃଷକ ମୋର୍ଚ୍ଚା ସଂଯୋଜକ ବିପିନ ବିହାରୀ ଦାସ ସଂଯୋଜନା କରିଥିଲେ । ବାଲେଶ୍ୱର ଜିଲ୍ଲା କୃଷକନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ମୁଖ୍ୟବକ୍ତାଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ସମ୍ମାନୀତ ଅତିଥିଭାବେ କୃଷକମୋର୍ଚ୍ଚାର ପୂର୍ବତନ ସଭାପତି ଶିବାଜୀ ମହାନ୍ତି, ବାଲେଶ୍ୱର ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ରାକେଶ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପୂର୍ବତନ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର, ବାଲିଆପାଳ ଅଞ୍ଚଳର ବିଶିଷ୍ଟ ଚାଷୀ ଅଦୈତ୍ୟ କୁମାର ବାଗ ପ୍ରମୁଖ ଭାଷଣ ରଖିଥିଲେ । ଏହି ରାଲିରେ ଜିଲ୍ଲାର ଶତାଧିକ ଚାଷୀଙ୍କ ସମେତ ୮ଟି ନିର୍ବାଚନ ମଣ୍ଡଳୀର ବହୁ ଭାଜପା ନେତା କର୍ମୀମାନେ ଯୋଗଦେଇଥିଲେ ।