ବେତନଟୀ, ୧୨/୫ : ବେତନଟୀ ଥାନା ଅଧୀନ ଡାହିସାହି, ବର୍ତ୍ତନା, ମେରଦା, ଆଳଦିଆ, ହୋତାପୁର ଓ ଆଖପାଖ ଗ୍ରାମର ଚାଷୀମାନେ ଏବେ ଆତଙ୍କିତ ହୋଇ ଯାଇଛନ୍ତି । ଗୋଟିଏ ପଟେ କରୋନା ପାଇଁ ଚାଲି ଥିବା ପ୍ରତିବନ୍ଧକ ସତ୍ତ୍ୱେ ସେମାନେ କରି ଥିବା ଖରାଟିଆ ଚାଷର ଧାନ ଗୁଡିକ ଏବେ ପାଚି ସାରିଲାଣି ଓ ଖଳାକୁ ଆସି ଥାଆନ୍ତା । କିନ୍ତୁ ଏହି ସମୟରେ ହଠାତ ତଣ୍ଟିକଟା ପୋକର ଆତଙ୍କ ଦେଖା ଯାଇଛି । ଏହି ତଣ୍ଟିକଟା ପୋକ ହେତୁ ଧାନ କେଣ୍ଡାଟି ଶୁଖି ଅଗାଡି ହୋଇ ଯାଉ ଥିବାର ଦେଖା ଯାଇଛି ।
ପୋକ ଲାଗିବା ଦ୍ୱାରା ଧାନ କେଣ୍ଡାଟି ଗଛରୁ ଖସି ପଡୁଛି ଓ ଧାନ ଗଛ କାଠି ଭଳି ଛିଡା ହୋଇ ରହୁଛି । ଏହାକୁ ଦେଖି ଚାଷୀ ମାନଙ୍କ ଭିତର ମନରୁ କେବଳ କୋହ ବାହାରୁଛି । ଗୋଟିଏ ପଟେ କରୋନା ଲକଡାଉନ ହେତୁ ମୂଲିଆ, ଶ୍ରମିକ ମିଳୁ ନାହାଁନ୍ତି । ବଜାରରେ କୀଟନାଶକ ଓ ଅନ୍ୟାନ ଦୋକାନ ଖୋଲା ନାହିଁ । ସରକାରୀ ସ୍ତରରେ ମଧ୍ୟ ଏଭଳି ଅତିର୍କିତ ପରିସ୍ଥିତିକୁ ମୁକାବିଲା କରିବାକୁ କେହି ନାହିଁ । ଫଳରେ ଚାଷୀ ମାନେ ହତାଶ ହୋଇ ପଡି ଥିବାର ଜଣା ପଡିଛି ।
ଏହା ଛଡା ଏହି ଖରାଟିଆ ଧାନ ଚାଷ କରି ଥିବା ଚାଷୀ ମାନେ ଋଣ କରି ଚାଷ କରି ଥିବାରୁ ଋଣ କେମିତି ପରିଶୋଧ କରିବେ ସେନେଇ ଚିନ୍ତାରେ ଥିବା ଜଣା ପଡିଛି । ସନାତନ ସାହୁଙ୍କ ତିନି ଏକର, ଯୋଗେଶ୍ୱର ସାହୁଙ୍କ ତିନି ଏକର, ରଘୁନାଥ ସାହୁଙ୍କ ତିନି ଏକର, ଭଗବାନ ସାହୁଙ୍କ ଏକ ଏକର, ବଳରାମ ସାହାଣୀଙ୍କର ଚାରି ଏକର, ଅନନ୍ତ ଭୋଈଙ୍କର ଛଅ ଏକର, ଆର୍ତ୍ତ ସାହୁଙ୍କର ଆଠ ଏକର, ଚତୁର୍ଭୁଜ ପୃଷ୍ଟିଙ୍କର ୮ ଏକର ଓ ଅନାମ ଦତ୍ତଙ୍କର ଦୁଇ ଏକର ଜମିର ଚାଷ ନଷ୍ଟକୁ ଦେଖିଲେ ଯେକୌଣସି ବ୍ୟକ୍ତିର ଆଖିରେ ଅଶ୍ରୁ ଆସି ଯିବ । କୃଷି ବିଭାଗ ତରଫରୁ ଖରାଟିଆ ଚାଷୀ ମାନଙ୍କର କ୍ଷୟକ୍ଷତିକୁ ନେଇ ରିପୋର୍ଟ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।