ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ତତ୍ପରତା ପ୍ରକାଶ :୧୦ଟି ତୁମ୍ବର ବିନ୍ଧାକାର୍ଯ୍ୟ ଶେଷ
ପୁରୀ :ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି । ରଥ ନିର୍ମାଣର ୪ଚତୁର୍ଥ ଦିବସରେ ମୋଟ ୪୨ଟି ତୁମ୍ବରୁ ୩୯ଟି ତୁମ୍ବ ଓ ସୁତା ବାଡିଆ କାର୍ଯ୍ୟ ଶେଷ ହୋଇଛି । ଏହାଛଡା ୩ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।
ସୋମବାର ଦିନ ୩ରଥର ୩ଟି ଅଖ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ପ୍ରତି ରଥର ୨ଟି ଲେଖାଏଁ ଜନ୍ତାପଟା ବିନ୍ଧ କରାଯାଉଛି । ଏଥିସହିତ ୬ଟି କୋରାମୁଣ୍ଡା ତିଆରି ଚାଲିଛି । ସୋମବାର ସକାଳେ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ନିର୍ମାଣ କାର୍ଯ୍ୟ ସହ ସମ୍ପୃକ୍ତ ୧୪୩ଜଣ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
ରଥ ନିର୍ମାଣରେ ନିୟୋଜିତ ସେବାୟତମାନେ ରବିବାର ଠାରୁ ନିଜ ନିଜ ଘରକୁ ନଯାଇ ଶ୍ରୀମନ୍ଦିର ପ୍ରଶାସନର ନୀଳାଚଳ ଭକ୍ତ ନିବାସ ଓ ନୀଳାଦ୍ରି ନିବାସରେ ରହୁଛନ୍ତି । ସମସ୍ତ ସେବକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଘରଠାରୁ ଦୂରରେ ରହି ମଧ୍ୟ ଏହି ସେବକମାନେ ଅତ୍ୟନ୍ତ ଭକ୍ତି, ନିଷ୍ଠାନ ଓ କର୍ତ୍ତବ୍ୟ ପରାୟଣତାର ସହ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିବା ଜଣାଯାଇଛି ।