ସାଲେପୁର:ଚୋରା ମଦ ବେପାରୀ ଙ୍କୁ କରୋନା ସୁହାଇଛି :ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ଉ କରି ୨୦ପେଟିରୁ ଉଦ୍ଧ୍ୱର୍ ଦେଶୀ ମଦ ଜବତ , ୪ଗିରଫ
ସାଲେପୁର : ଲକ୍ଡାଉନ୍ ପାଇଁ ସାଲେପୁର ଅଞ୍ଚଳରେ ସମସ୍ତ ସରକାରୀ ଓ ବେସରକାରୀ ମଦ ଦୋକାନ ବନ୍ଦ ରହିଥିବାବେଳେ ଏହାର ଫାଇଦା ନେଉଛନ୍ତି କେତେକ ଅସାଧୁ ସ୍ୱୀକୃତିପ୍ରାପ୍ତ ମଦ ବିକ୍ରେତା ଓ ଚୋରା ମଦ ବ୍ୟବସାୟୀ । ଉଭୟଙ୍କ ଅସାଧୁ ମେଣ୍ଟ ଯୋଗୁ ମଦ ଦୋକାନ ବନ୍ଦ ଥାଇ ମଧ୍ୟ ସନ୍ଧ୍ୟା ହେଲେ ସାଲେପୁର ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦର ବନ୍ୟା ଛୁଟିଛି । ସଂପୃକ୍ତ ଅବକାରୀ ବିଭାଗ ଏ ସଂପର୍କରେ ଅବଗତ ଥିଲେ ମଧ୍ୟ ଏ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଅବକାରୀ ଏସ୍.ପି.ଙ୍କ ନିକଟରେ ଅଭିଯୋଗ ହେଲାପରେ ଆଜି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ସ୍ଥାନରୁ ଚଢ଼ଉ କରି ୨୦ପେଟିରୁ ଉଦ୍ଧ୍ୱର୍ ଦେଶୀ ମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ସାଲେପୁର ଅଞ୍ଚଳରେ ବ୍ୟାପକ ମାତ୍ରାରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ଚାଲୁଥିବା ନେଇ ଜିଲ୍ଲା ଅବକାରୀ ଏସ୍.ପି.ଙ୍କ ନିକଟରେ ଅଭିଯୋଗ ହେଲାପରେ ଜିଲ୍ଲା ଅବକାରୀ ଏସ୍.ପି. ଅଶୋକ କୁମାର ଶତପଥୀଙ୍କ ନିର୍ଦେଶରେ ଡି.ଏସ୍.ପି. ମଧୁସ୍ମିତା ନାୟକ, ଆଇ.ଆଇ.ସି. ପ୍ରବୀର କୁମାର ସାମଲ, ପ୍ରମୋଦ କୁମାର ମହାନ୍ତି, ନିରଂଜନ ଖଟୁଆ, ମନ୍ମଥ ସିଂହ, ଦୀପକ କୁମାର ସାହୁ, ରାଜକୃଷ୍ଣ ବିଶ୍ୱାଳଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ସାଲେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବାବେଳେ ସାଲେପୁର ଥାନା ଅନ୍ତର୍ଗତ ରାଘବପୁର ଗ୍ରାମରୁ ସୁକାନ୍ତ କୁମାର ନାଥ, କେଣ୍ଟାଳର ସତ୍ୟନାରାୟଣ ସିଂହ, କେନ୍ଦ୍ରାପଡ଼ା ବାରିମୂଳର ଶିଶିର କୁମାର ଦାସ, ଶିଶୁଆ କଲ୍ୟାଣପୁର ଗ୍ରାମର ଶ୍ରୀବନ୍ତ କୁମାର ଦତ୍ତ ଚୋରା ଦେଶୀ ମଦ ନେଇ ଯାଉଥିବା ସମୟରେ ଏହି ସ୍ୱତନ୍ତ୍ର ଟିମ୍ ଏମାନଙ୍କୁ ଶିଶୁଆ ବ୍ୟାରେଜ୍ ଛକ ନିକଟରୁ ଗିରଫ କରିବା ସହ ତାଙ୍କ ନିକଟରୁ ୩୪ପେଟି ମଦ ଜବତ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏହାନେଇ ଏହି ଅଞ୍ଚଳରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଲକ୍ଡାଉନ୍ କାରଣରୁ ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ କରାଯାଇଥିବାବେଳେ ସାଲେପୁରରେ ଥିବା ଏକାଧିକ ବିଦେଶୀ ମଦ ଦୋକାନର ମାଲିକମାନେ ରାତି ୨ଟା ପରେ ଦୋକାନକୁ ପଛପଟୁ ଖୋଲି ଏହି ଚୋରା ମଦ ବ୍ୟବସାୟୀଙ୍କୁ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଯଦି ଅବକାରୀ ଏସ୍.ପି. ଏ ଦିଗରେ ଦୃଷ୍ଟି ଦେଇ ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।