ଯଦୁମଣି ପାଣିଗ୍ରାହୀ : ଆଜିକାଲି ନେତା, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କ ଠାରୁ ପୁଣି ସମାଜସେବୀ ଯାଏଁ ଫଟୋ ଉଠାଇବା ଉପରେ ଢେର ବେଶୀ ଗୁରୁତ୍ୱ ଦେଉଥିବା ପରିଲକ୍ଷିତ ହେଉଛି । ସରକାରୀ କାର୍ଯ୍ୟକ୍ରମ ହେଉ କି ବେସରକାରୀ କାର୍ଯ୍ୟକ୍ରମ ଫଟୋ ଉଠାଇ ନିଜକୁ ପ୍ରଚାର କରାଇବାକୁ ଏମାନେ ସର୍ବଦା ବ୍ୟାକୁଳ । ନିଜର ଫଟୋ ସମ୍ବଳିତ ଖବର ପ୍ରିଣ୍ଟିଂ ମିଡିଆ କିମ୍ବା ଇଲେକ୍ଟୋନିକ ମିଡିଆରେ କିଭଳି କଭରେଜ୍ କରିବ ସେଥିପାଇଁ ଏମାନେ ଭାରି ବ୍ୟସ୍ତ ଓ ବିବ୍ରତ ହୋଇ ଉଠଥାନ୍ତିି । କିଛି ନହେଲେ ସୋସିଆଲ ମିଡିଆରେ ଏସବୁ ଛାଡିଦେଇ ଏମାନେ ଅନେକ ଅନେକ ଆତ୍ମସନ୍ତୋଷ ଅନୁଭବ କରିଥାନ୍ତି ।
ଏମିତିକି ବଡ ବଡ ସରକାରୀ କାର୍ଯ୍ୟକ୍ରମ ଦୂରେଥାଉ ସାମାନ୍ୟ ବାର୍ଦ୍ଧକ୍ୟ କି ବିଧବା ଭତ୍ତାଟିଏ ବାଣ୍ଟି ଦେଇ କିମ୍ବା ବିଜୁଳି ଟ୍ରାନସଫର୍ମର କି କମୁ୍ୟନିଟି ସେଣ୍ଟରଟେ ଉଦଘାଟନ କରିଦେଇ ନେତାଏଁ ଖବରକାଗଜ ପୃଷ୍ଠା ମଣ୍ଡନ କରିବାକୁ ଆଦୌ ଦ୍ୱିଧାବୋଧ କରନ୍ତିନାହିଁ । କେବଳ ସେତିକିନୁହେଁ ସ୍ମୃତିଚାରଣ ସଭା, ସମ୍ବର୍ଦ୍ଧନା ସଭା ଓ ସ୍କୁଲ-କଲେଜର ବାଷିକ ଉତ୍ସବରେ ନେତାମାନେ କିଛିି କହିବା ଅପେକ୍ଷା ଫଟୋ ଉଠାଇବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଘରପୋଡି, ବନ୍ୟା-ବାତ୍ୟା ଆଦିି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିପନ୍ନଙ୍କୁ ସହାୟତା କରିବା ଅପେକ୍ଷା ଏମାନେ ନିଜକୁ ପ୍ରଚାରିତ କରିବାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ସରକାରୀ ଅଧିକାରୀ ମାନେ ବି ସେହି ସମାନ ପଥରେ ପଥିକ । ଆଜିକାଲି ସ୍କୁଲ, କଲେଜ ଓ ସରକାରୀ ଦପ୍ତରରେ ଯଦି କିଛି ଉତ୍ସବ ଅନୁଷ୍ଠାନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଏ ତେବେ ସେସବୁର ଫଟୋ କପି ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା କୁଆଡେ ଦରକାର ପଡୁଛି ।
ସେଥିଲାଗି ଶିକ୍ଷକ, ଅଧ୍ୟାପକ ଓ ସରକାରୀ ବାବୁମାନେ କାର୍ଯ୍ୟକ୍ରମ ପାଳନ ଅପେକ୍ଷା ବେନର ଟଙ୍ଗାଇ ଫଟୋ ଉଠାଇବା ଉପରେ ଢେର ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହା ବ୍ୟତୀତ ଆଜିକାଲି ସମୟରେ ସମାଜସେବା କରିବାକୁ ଲୋକଙ୍କ ଭିତରେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ସାମାନ୍ୟ କିଛି ବଦାନ୍ୟତା ପ୍ରଦର୍ଶନ କରି ନିଜକୁ ଅସାମାନ୍ୟ ପ୍ରତିପାଦିତ କରୁଥିବା ଏହି ତଥାକଥିତ ସମାଜସେବୀ ମାନେ କେବଳ ଫଟୋ ଉଠାଇ ସୋସିଆଲ ମିଡିଆ କାହିଁକି ବରଂ ଖବରକାଗଜ ମାଧ୍ୟମରେ ନିଜକୁ ପ୍ରଚାରିତ କରାଇବାର ଉଦ୍ୟମ ସଦାସର୍ବଦା ଜାରି ରଖିଛନ୍ତି ।
କିଛି ମାସ ପୂର୍ବରୁ ଖବରକାଗଜରୁ ଏମିତି ଏକ ଖବର ପଢି ଖୁବ୍ ମାନସିକ ଆଘାତପ୍ରାପ୍ତ ହୋଇଥିଲି । ଖବରଟି ଥିଲା ଏମିତି । ଏକ ଗାଡି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକଟିଏ ରାସ୍ତାରେ ପଡି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରାସ୍ତାଗଲା ଓ ଆଖପାଖର ଲୋକେ ସେଠାରେ ବେଶ ଭିଡ ଜମାଇଥିଲେ ।
ସମସ୍ତେ କେବଳ ନିଜ ନିଜ ମୋବାଇଲରେ ଆହତ ଲୋକଟିର ଫଟୋ ଉଠାଇବା ସହ ଭିଡିଓ ସୁଟିଂ କରିବାରେ ଲାଗିଥିଲେ । କେହି କେହି ନିଜ କାମ ସାରି ସେଠାରୁ ଫେରି ଯାଉଥିଲେ । ଅଥଚ କେହି ହେଲେ ଲୋକଟିକୁ ମେଡିକାଲ ନେବା କଥା ମନରେ ଚିନ୍ତା କରୁନଥିଲେ । ଆଉ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଟିକୁ ମେଡିକାଲ ନେଇଗଲେ ସେତେବେଳେ ଯଥେଷ୍ଟ ସମୟ ଅତିକ୍ରାନ୍ତ ହୋଇସାରିଥିଲା । ପରିଣାମ ସ୍ୱରୂପ ଲୋକଟିର ପ୍ରାଣବାୟୁ ଉଡି ଯାଇଥିଲା । ଏଇ ହେଉଛି ବିପନ୍ନଙ୍କ ପ୍ରତି ସଭ୍ୟ ସମାଜରେ ବସବାସ କରୁଥିବା ମଣିଷଙ୍କ କର୍ତ୍ତବ୍ୟ । ଆମର ମାନବିକତା ଆଉ ମଣିଷପଣିଆ ସବୁକୁଆଡେ ହଜିଗଲାଣି ଯେମିତି ।
କେବଳ ରାସ୍ତାଘାଟରେ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଲୋକ କାହିଁକି, ନିଆଁରେ ପୋଡି ଯାଇଥିବା, ପାଣିରେ ବୁଡି ଯାଇଥିବା, ମାରପିଟରେ ଗୁରୁତର ହୋଇଥିବା କିମ୍ବା କୌଣସି ବିଷଖିଆ ଆଉ ସାପକାମୁଡା ରୋଗୀଟିଏ ମେଡିକାଲରେ ଡାକ୍ତର, ନର୍ସ କିମ୍ବା ଫାର୍ମାସିଷ୍ଟକୁ ଅପେକ୍ଷା କରି କରି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେଥି ପ୍ରତି କାହାରି ନିଘା ନଥାଏ । ବରଂ ସେଠାରେ ଉପସ୍ଥିତ ଦେଖଣାହାରୀ ମାନେ ଏହାକୁ ଅତି ଉକ୍ରଣ୍ଠାର ସହ ଉପଭୋଗ କରୁଥିବା ବେଳେ କେହି କେହି ଫଟୋ ଉତ୍ତୋଳନ ବି କରୁଥାନ୍ତି । ଗାଁ ଗହଳିରେ କେବେ କେବେ କାହାର ଘରପୋଡି ଯାଉଥିବା ବେଳେ ଅଥବା କେହି କାହାର ଆକ୍ରମଣ କିମ୍ବା ନିର୍ଯାତନାର ଶିକାର ହେଉଥିବା ବେଳେ ପ୍ରତିବାଦ ବା ପ୍ରତିରୋଧ କରାଯିବା ପରିବର୍ତ୍ତେ ସେହି ସମାନ କଥା ଦୃଷ୍ଟିଗୋଚର ହୋଇଥାଏ । ଥୋକାଏ ଯୁବକ ସେଠାରେ ମୋବାଇଲରେ ଫଟୋ ଉଠାଇବା ସହ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବାରେ ବ୍ୟସ୍ତ ଥାଆନ୍ତି ।
ଆଜିକାଲି ସମାଜସେବା କରୁଥିବା ସାମାଜିକ ସଙ୍ଗଠନ, ଭାଷା, ସାହିତ୍ୟ ଓ ସଂସ୍କୃତିର ଉନ୍ନତି ଲାଗି କାମ କରୁଥିବା ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ଗୁଡିକର ଅଭାବ ନାହିଁ । ଏଥିମଧ୍ୟରୁ କେତେକ ସରକାରୀ ଅନୁଦାନକୁ ସମାଜସେବା, ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲଗାଉଛନ୍ତି ତ ଆଉ କେତେକ ଚାନ୍ଦାଚପଟ କିମ୍ବା ନିଜସ୍ୱ ହାତପାଣ୍ଠିକୁ ବିନିଯୋଗ କରି ଏଭଳି କାର୍ଯ୍ୟକ୍ରମ କରୁଛନ୍ତି । ଗାଁରୁ ସହର ଯାଏଁ ସବୁଠି ଏଭଳି ମାଳ ମାଳ ସ୍ୱେଚ୍ଛାସେବୀ ସଙ୍ଗଠନ ।
ସ୍ୱେଚ୍ଛାସେବକ ମାନଙ୍କ ସଂଖ୍ୟା ବି ଢେର ଅଧିକ । ବିପଦ ଆପଦରେ ଲୋକଙ୍କୁ ସହାୟତା କରାଯାଉଛି । ବନ୍ୟା, ବାତ୍ୟା ଆଉ ଘରପୋଡି ବିପନ୍ନଙ୍କୁ ଖାଦ୍ୟ, ଓøଷଧ ଓ ଆର୍ଥିକ ସହାୟତା ପ୍ରଦାନ, ଦୁଃସ୍ଥ ଓ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର, ଛତା ଓ ମଶାରୀ ବଣ୍ଟନ, ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢାର ବ୍ୟବସ୍ଥା ଓ ରୋଗୀର ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ଆଜିକାଲି ସ୍ୱେଚ୍ଛାସେବକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । କେଉଁ କେଉଁ ସଙ୍ଗଠନ ପରିଷ୍କାର ପରିଚ୍ଛନ୍ନତା, ସଡକ ସୁରକ୍ଷା, ନିଶା ନିବାରଣ ଓ ରୋଗ ପ୍ରତିଷେଧକ ସଚେତନତା ଆଦି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଥିବା ବେଳେ ଆଉ କେଉଁ କେଉଁ ସଙ୍ଗଠନ ପରିବେଶ ସୁରକ୍ଷା ଲାଗି ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ଏହି ସଙ୍ଗଠନ ଗୁଡିକର ଜନସେବା ଅପେକ୍ଷା ଆତ୍ମପ୍ରଚାର ଅନେକ ବେଶୀ ।
ଏହି ଶ୍ରେଣୀୟ ସ୍ୱେଚ୍ଛାସେବକ ମାନେ ଫଟୋ ଉଠା ଓ ଭିଡିଓ ସୁଟିଂ ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି । ସେହିପରି ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଙ୍ଗଠନ ଗୁଡିକ ଉପରୋକ୍ତ ସଙ୍ଗଠନ ଗୁଡିକ ଠାରୁ କେଉଁ ଗୁଣରେ କମ୍ ନୁହଁନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏମିତି ଫଟୋ ଉଠାଇ ଆତ୍ମପ୍ରଚାର କରିବାରେ ସତରେ କି ଗୌରବ ଅଜାଡି ହୋଇପଡୁଛି କହିଲେ । କାହାପାଇଁ କିଛି ନ କରି କେବଳ ଫଟୋ ଉଠାଇ ଓ ନିଜକୁ ଆତ୍ମପ୍ରଚାର କରାଇ ଆମେ କେବଳ ନିଜକୁ ଠକିଚାଲିଛୁଁ । ସମାଜ ଓ ସମାଜର ହିତ ପାଇଁ କିଛି କରିବା ତ ଆମର କର୍ତ୍ତବ୍ୟ । ତେଣୁ ଏମିତିକିଛି କରିଯିବା ଯାହାର କେବଳ ଭଗବାନ ହିଁ ସାକ୍ଷୀ ଥିବେ ।