ପୁରୀ,୧୨ା୪(ସବୁ୍ୟ):କରୋନା ସଂକ୍ରମଣ ଜନିତ ଲକଡାଉନ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମହଜୁଦକାରୀ ଓ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ମାଜିଷ୍ଟ୍ରେଟ ଓ ମାର୍କେଟିଂ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଗଠିତ ଏନ୍ଫୋର୍ସମେଣ୍ଟ ଟିମ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୌରାଞ୍ଚଳରେ ପାଇକାରି ଏବଂ ଖୁଚୁରା ଦୋକାନ ଯାଞ୍ଚ ଆରମ୍ଭ କରିଛନ୍ତି । ରବିବାର ଏନଫୋର୍ସମେଣ୍ଟ ଟିମ ନିମାପଡା, ଡେଲାଙ୍ଗ, କଣାସ ବ୍ଲକ ଅଞ୍ଚଳରେ ଅଚାନକ ଗସ୍ତ କରି ବିଭିନ୍ନ ତେଜରାତି ଦୋକାନ ପରିଦର୍ଶନ କରିଥିଲେ । ଷ୍ଟକ ଓ ମୂଲ୍ୟ ତାଲିକା ମରାଯାଇଛି କି ନାହିଁ ସେ ବିଷୟରେ ଏନଫୋର୍ସମେଣ୍ଟ ଟିମ୍ ଅନୁଧ୍ୟାନ କରିଥିଲେ । ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରତାଲିକା ସମ୍ପର୍କରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯିବା ସହିତ ଷ୍ଟକ ଓ ରେଟଚାର୍ଟ ଦୋକାନ ଆଗରେ ମାରିବାକୁ ବ୍ୟବସାୟୀମାନଙ୍କୁ ତାଗିଦ କରାଯାଇଥିଲା । ଷ୍ଟକ ଓ ଦରତାଲିକା ନମାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଥିଲା । ଏହାଛଡା ବ୍ୟବସାୟ ପ୍ରତିଷ୍ଠାନକୁ ଆସୁଥିବା ଲୋକମାନେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ନିୟମ ପାଳନ ପ୍ରତି ଧ୍ୟାନ ଦେବା ପାଇଁ ତେଜରାତି ଦୋକାନୀ ଓ ଅନ୍ୟ ବ୍ୟବସାୟୀମାନଙ୍କୁ ଚେତାଇ ଦିଆଯାଇଥିଲା ।