Odisha news

ଶ୍ରେଷ୍ଠ କିଏ ? ଏଲୋପ୍ୟାଥିକ ନା ଆୟୁର୍ବେଦ !

କରୋନାର ଏହି ମହାମାରୀ ସମୟରେ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି । ଏଲୋପ୍ୟାଥୀକ୍ ଏବଂ ଆୟୁର୍ବେଦ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାଦ ଫଳରେ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଆଜି ପର୍ଯ୍ୟନ୍ତ ଏଲୋପ୍ୟାଥିକ ଏବଂ ଆୟୁର୍ବେଦକୁ ନେଇ ତର୍କ ବିତର୍କ ହେବାକୁ ଦିଆଯାଇନଥିଲା । ତର୍କ ବିତର୍କ ଫଳରେ ସତ ସାମ୍ନା କୁ ଆସିଥାଏ । ଏହା ହିଁ ସତକୁ ଲୋକଲୋଚନକୁ ଆସିବାକୁ ନଦେବାର କୌଶଳ। ଯୋଗଗୁରୁ ବାବା ରାମଦେବଙ୍କ ଭୁଲ ମନ୍ତବ୍ୟ କାରଣରୁ ଏହି ବିବାଦ ଆରମ୍ଭ ହୋଇଛି । ଏଲୋପ୍ୟାଥୀକ୍ ଡାକ୍ତରମାନଙ୍କର ସଙ୍ଗଠନ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ସାମ୍ନାକୁ ଆସି ଏହାର ବିରୋଧ କଲା ଏବଂ ଏହାର ବିରୋଧ କରିବା ଯଥାର୍ଥ ଥିଲା । ଏଲୋପ୍ୟାଥିକକୁ ମୂର୍ଖ ବିଜ୍ଞାନ ଏବଂ ନିଜ ଜୀବନକୁ ବାଜି ଲଗେଇଦେଇଥିବା ଏଲୋପ୍ୟାଥିକ ଡାକ୍ତରଙ୍କ ପ୍ରତି ଅପମାନଜନକ ବିବୃତି ଆଦୌ ଗ୍ରହଣୀୟ ନୁହେଁ । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ କରୋନା ବିରୋଧ ଲଢ଼େଇର ଆଗଧାଡ଼ିର ଯୋଦ୍ଧା ଡାକ୍ତରଙ୍କ ପ୍ରତି ଅପମାନସୂଚକ ଶବ୍ଦ ପାଇଁ ଭୁଲ ମାଗିବା ସହ ନିଜ ଶବ୍ଦକୁ ପ୍ରତ୍ୟାହାର କରିନେଲେ ବାବା ରାମଦେବ । କିନ୍ତୁ ସେତିକିରେ ଏହି ବିବାଦ ସମାପ୍ତ ହେଲା ନାହିଁ । ୧୪୦ କୋଟି ଭାରତୀୟଙ୍କ ସ୍ୱାସ୍ଥ୍ୟର ଠିକା ନେଇଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ କୌଣସି ଗୋଟିଏ ବି ପ୍ରଶ୍ନର ଉତ୍ତର ଦେବା ବଦଳରେ ବାବାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହିତ ୧୦୦୦ କୋଟି ଟଙ୍କାର ମାନହାନି ନୋଟିସ ପଠାଇ ଗାଲିଲିଓଙ୍କ ବିରୋଧରେ କିପରି ରୋମାନର କ୍ୟାଥୋଲିକ ଚର୍ଚ୍ଚ ଅତ୍ୟାଚାର ମନେପକେଇ ଦେଲା । ଏହା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନକୁ ବାବା ରାମଦେବ ୨୫ଟି ପ୍ରଶ୍ନ ପଚାରିଲେ। ଏହିଠାରୁ ଅସଲ ବିବାଦ ଆରମ୍ଭ ହେଲା । ଜୀବନ ସୁରକ୍ଷାର ବିଷୟରେ ପ୍ରଶ୍ନ ପଚାରିବାର ଅଧିକାର ସମସ୍ତଙ୍କର ରହିଛି । ମନରେ ପ୍ରଶ୍ନ ଉଙ୍କିମାରିବା ସ୍ୱାଭାବିକ ବାବା ରାମଦେବଙ୍କ ବକ୍ତବ୍ୟରେ କୌଣସି ବାସ୍ତବିକ ସତ୍ୟ ଅଛି କି?
ଏଲୋପ୍ୟାଥିକକୁ ନେଇ ଆମ ଦେଶରେ ବିବାଦ ପ୍ରଥମ ହୋଇଥାଇପାରେ କିନ୍ତୁ ଦୁନିଆରେ ଏହା ପ୍ରଥମ ନୁହେଁ । କରୋନାର ପ୍ରଥମ ଲହରୀ ସମୟରେ ଆୟରଲ୍ୟାଣ୍ଡରେ ବିବାଦ ହୋଇଥିଲା । ଆୟରଲ୍ୟାଣ୍ଡରେ ଫୁଲ ଓ ଜଡ଼ିବୁଟିର ଚିକିତ୍ସା ପଦ୍ଧତି ରହିଛି । ଯେତେବେଳେ କରୋନା ବିରୋଧରେ ଚିକିତ୍ସା ପାଇଁ ଏହି ପାରମ୍ପରିକ ପଦ୍ଧତିର ସାହାରା ନିଆଗଲା ତ ଏଲୋପ୍ୟାଥିକ ଚିକିତ୍ସକ ଏହାକୁ ଅବୈଜ୍ଞାନିକ ଓ ବିପଜ୍ଜନକ କହି ବିରୋଧ କଲେ କିନ୍ତୁ ଆୟରଲ୍ୟାଣ୍ଡ କରୋନା ବିରୋଧୀ ଲଢେଇରେ ସଫଳ ହେଲା । ଦକ୍ଷିଣ ଆଫ୍ରିକାର ଅନେକ ଦେଶରେ ଫାର୍ମା ଲବିଙ୍କ ଚାପ କାରଣରୁ ପାରମ୍ପରିକ ଚିକିତ୍ସା କରୁଥିବା ଲୋକଙ୍କୁ ଜେଲରେ ଚାରିକାନ୍ଥ ଭିତରେ ବନ୍ଦ କରିଦିଆଗଲା ।
୧୬୦୦ ଶତାବ୍ଦୀରେ ପଶ୍ଚିମ ଭାରତରେ ପର୍ତ୍ତୁଗାଲର କବ୍ଜା ଥିଲା । ପର୍ତ୍ତୁଗାଲରୁ ଆସୁଥିବା ଜାହାଜରେ ବ୍ୟାପାରୀଙ୍କ ସହ ଏଲୋପ୍ୟାଥିକ ଡାକ୍ତର ଭାରତ ଆସିବାକୁ ଲାଗିଲେ । ଏହି ଡାକ୍ତରଙ୍କ ମାଧ୍ୟମରେ ଭାରତରେ ଏଲୋପ୍ୟାଥିକ ପ୍ରବେଶ କଲା । ତା ପୂର୍ବରୁ ଭାରତରେ ଆୟୁର୍ବେଦ ଥିଲା ।
“ଆୟୁର୍ବେଦ” ଶବ୍ଦ ସଂସ୍କୃତ ଭାଷାର “ଆୟୁର୍” ଏବଂ “ବେଦ” ଶବ୍ଦର ମିଶ୍ରଣରୁ ଆସିଛି । ଆୟୁର ଅର୍ଥ ଜୀବନ ଏବଂ ବେଦର ଅର୍ଥ ଜ୍ଞାନ । ଜ୍ଞାନ ଭାରତୀୟଙ୍କର ସର୍ବଶ୍ରେଷ୍ଠ ସମ୍ପତ୍ତି ଥିଲା । ଭାରତୀୟ ଜ୍ଞାନ କେବଳ ବେଦ, ଉପନିଷଦ, ରାମାୟଣ, ମହାଭାରତରେ ନଥିଲା ଏହାର ପରୀକ୍ଷାମୂଳକ ରୂପ ଘରେ ଘରେ ଥିଲା । ଏଥିପାଇଁ ତ ଭାରତ ଆଧ୍ୟାତ୍ମବାଦ, ଜ୍ଞାନ ଏବଂ ବିଜ୍ଞାନ ପାଇଁ ବିଶ୍ୱରେ ପ୍ରସିଦ୍ଧ ଥିଲା । ଆୟୁର୍ବେଦ କେବଳ ଗ୍ରନ୍ଥ, ବୈଦ୍ୟର ବୈଦ୍ୟଶାଳା କିମ୍ବା ରୁଗ୍ନାଳୟରେ ନଥିଲା ଆରୋଗ୍ୟ ଏବଂ ଔଷଧର ପ୍ରତ୍ୟେକ ବିଷୟ ଭାରତୀୟଙ୍କ ରୋଷେଇ ଘରେ ଥିଲା । ହଜାର ହଜାର ବର୍ଷରୁ ଆୟୁର୍ବେଦର ଏହି ପରମ୍ପରା ଚାଲି ଆସୁଥିଲା । ଧନ୍ଵନ୍ତରୀଙ୍କ ଠାରୁ ଆରମ୍ଭ କରି ଅଶ୍ୱିନୀ କୁମାର, ଅତ୍ରି, ଚରକ, ଶୁଶ୍ରୁତ, ବାଗଭଟ୍ଟ ଏପରି ହଜାର ହଜାର ଆୟୁର୍ବେଦାଚାର୍ଯ୍ୟଙ୍କ ଠାରୁ ମିଳିଥିବା ଏହି ପରମ୍ପରା ଆଜି ପର୍ଯ୍ୟନ୍ତ ଅଛି । ଅନ୍ୟ ଚିକିତ୍ସା ପଦ୍ଧତିରେ ବେମାର ହେବା ପରେ ଆବଶ୍ୟକ କରଣୀୟ କାର୍ଯ୍ୟ ବିଷୟରେ ବର୍ଣ୍ଣନା ହୋଇଥିବା ବେଳେ ଆୟୁର୍ବେଦରେ ବେମାର ନହେବା ପାଇଁ କିପରି ଜୀବନ ଜୀଇଁବା ଆବଶ୍ୟକ ତାର ବିସ୍ତୃତ ବର୍ଣ୍ଣନା ହୋଇଛି । ଏଥିପାଇଁ ଭାରତୀୟଙ୍କ ରୋଷେଇ ଘରକୁ ଦେବାଳୟର ମାନ୍ୟତା ଦିଆଯାଇଛି । ଆମ ପାକଶାଳାରେ ସ୍ୱଚ୍ଛତା, ଶୁଦ୍ଧତା ସହିତ ପବିତ୍ରତାକୁ ମଧ୍ୟ ଗୁରୁତ୍ୱ ଦିଆଯାଏ । ବ୍ୟଞ୍ଜନ କିପରି ପ୍ରସ୍ତୁତ ହେବ ତାର ପ୍ରାମାଣିକତା ଏବଂ ବୈଜ୍ଞାନିକତା ବିଧି ଦୁନିଆର ସର୍ବ ପୁରାତନ ଏବଂ ସବୁଠାରୁ ବଡ଼ ପୁସ୍ତକ ପଣ୍ଡିତ ଭାଓ ପ୍ରକାଶଙ୍କ ଦ୍ଵାରା ରଚିତ “ଭାଓ ପ୍ରକାଶ ଗ୍ରନ୍ଥ”ରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି । ପ୍ରତ୍ୟେକ ବ୍ୟଞ୍ଜନ ପଛରେ କୌଣସି ନା କୌଣସି ରୋଗର ଔଷଧ ରହିଛି, କିନ୍ତୁ ବର୍ତ୍ତମାନ ସମୟରେ ବ୍ୟଞ୍ଜନ ପ୍ରସ୍ତୁତିରେ ମନଇଚ୍ଛା ପଦାର୍ଥର ବ୍ୟବହାର କରାଯାଉଛି ଫଳରେ ଶରୀରରେ ଅନେକ ରୋଗ ସୃଷ୍ଟି ହେଉଛି । ଏଥି ପାଇଁ ତ ଆମ ଦେଶରେ “ଯ୍ୟେସା ଆହାର ୟେସା ବିଚାର” ଏବଂ ଯ୍ୟେସା ଅନ୍ନ ୟେସା ମନ୍” ବାକ୍ୟକୁ ଆଦୃତ ମିଳିପାରିଥିଲା ।
ବର୍ତ୍ତମାନର ଏହି ଜଟିଳ ପରିସ୍ଥିତିରେ କରୋନା ପରି ମହାମାରୀ କୁ ସାମ୍ନା କରିବାକୁ ହେଲେ ଚିକିତ୍ସା ପଦ୍ଧତିର ବିଶ୍ଳେଷଣ କରିବାରେ କାହାରିକୁ ସମସ୍ୟା ରହିବା ଠିକ ନୁହେଁ । ଯେଉଁଭଳି ଭାବରେ କରୋନାର ପ୍ରଥମ ଲହରୀ ସମୟରେ ମ୍ୟାଲେରିଆ ପାଇଁ ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର କରୋନା ଚିକିତ୍ସା ବ୍ୟବହାର ପାଇଁ ୨୩ ମଇ ୨୦୨୦ ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ଦେଲା କିନ୍ତୁ ଏହାର ଠିକ ଦୁଇଦିନ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହା ଉପରେ ରୋକ ଲଗାଇ ଦେଇଥିଲା । ସେତେବେଳେ ଏହାର ବ୍ୟବହାରକୁ ଆମ ଦେଶରେ ଉପଯୋଗୀ ଏବଂ ବିଜ୍ଞାନ ସମ୍ମତ ବୋଲି କୁହାଯାଉଥିଲା । ଠିକ୍ ସେହିପରି ଦ୍ଵିତୀୟ ଲହରୀ ସମୟରେ କରୋନା ଚିକିତ୍ସା ପାଇଁ ରେମଡ଼େସିଭର ବହୁଳ ବ୍ୟବହାର କରାଗଲା । ଏହାର କଳାବଜାରୀ ଓ ତସ୍କରୀ ବଢ଼ିବାରେ ଲାଗିଲା, ପ୍ରତ୍ୟେକ ଦିନ ଖବରକାଗଜ ଏହାର ପ୍ରମାଣ । ଇବୋଲା ମହାମାରୀ ସମୟରେ ଏହାର ସଫଳ ପରୀକ୍ଷଣ ହୋଇଥିଲା । ଏଲୋପ୍ୟାଥିକ ଡାକ୍ତରମାନେ ପ୍ରେସକ୍ରିପସନରେ ଧଡ଼ାଧଡ଼ ଲେଖିବାରେ ଲାଗିଲେ ଏବଂ ବଜାରରେ କଳାବଜାରୀ ବଢ଼ିବାରେ ଲାଗିଲା । ଶେଷରେ କ’ଣ ହେଲା ? ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଲେ । କେନ୍ଦ୍ର ସରକାର ଏହାର ରପ୍ତାନୀ ଉପରେ ପ୍ରତିବନ୍ଧ ଲଗାଇଥିଲେ । ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ୯୦ ଜଣ ରୋଗୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ଦେଖାଦେବାରୁ ଜିଲ୍ଲା ଅଧିକାରୀ ଏହାର ବ୍ୟବହାର ଉପରେ ରୋକ ଲଗାଇଦେଲେ । ଆୟୁର୍ବେଦ ତ ପ୍ଲାଜମା ଥେରାପି ପାଇଁ ପରାମର୍ଶ ଦେଇନଥିଲା ଆଧୁନିକ ତଥା କଥିତ ବୈଜ୍ଞାନିକ ଚିକିତ୍ସା ପଦ୍ଧତି ଏଲୋପ୍ୟାଥିକ ଦେଇଥିଲା, ହେଲେ ପରବର୍ତ୍ତୀ ସମୟରେ ଏହା ଉପରେ ମଧ୍ୟ ରୋକ ଲଗାଇଦିଅଗଲା । ପରଜୀବୀ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଆଇବରମେକ୍ଟିନ୍ ମଧ୍ୟ ଅନେକ କରୋନା ରୋଗୀଙ୍କୁ ଦିଆଗଲା, ଏହା ପ୍ରଭାବହୀନ ହେବା କାରଣରୁ ପରବର୍ତ୍ତୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାର ବ୍ୟବହାର ପାଇଁ ମନା କରିଦେଲା । ଏହିପରି ଇଟୋଳିଯୁମେବର ବହୁଳ ବ୍ୟବହାର ଏଲୋପ୍ୟାଥିକ ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା ପରବର୍ତ୍ତୀ ସମୟରେ ଏହା ଉପରେ ମଧ୍ୟ ରୋକ ଲଗାଇଦିଆଗଲା । ଏହି ଔଷଧ ଗୁଡ଼ିକର ବ୍ୟବହାର ଏବଂ ଏହା ପ୍ରଭାବହୀନ ଜାଣିବା ପରେ ରୋକ ଲଗାଇବା ଏଲୋପ୍ୟାଥିକର ଗବେଷଣା ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ସମସ୍ତ ଔଷଧ ଗୁଡିକର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ କରୋନା ରୋଗୀଙ୍କ ଶରୀରରେ ଦେଖିବାକୁ ମିଳିଛି ଏହାର ଉଦାହରଣ ହେଉଛି ବ୍ଲାକ ଫଙ୍ଗସ କାରଣରୁ ରୋଗଗ୍ରସ୍ତ ହେବା । ଅତ୍ୟଧିକ ଷ୍ଟେୟିରଏଡ଼ କାରଣରୁ ବ୍ଲାକ ଫଙ୍ଗସ ହେବାକୁ ଏଲୋପ୍ୟାଥିକ ଡାକ୍ତର ସ୍ୱୀକାର ମଧ୍ୟ କରିଛନ୍ତି ।
ଆୟୁର୍ବେଦ ଏବଂ ଏଲୋପ୍ୟାଥିକ ଚିକିତ୍ସା ପଦ୍ଧତିରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳେ । ଏଲୋପ୍ୟାଥିକରେ ରୋଗର ଉପଚାର ଏକ ଲମ୍ବା ସମୟ ପର୍ଯ୍ୟନ୍ତ ହୁଏ। ରକ୍ତଚାପ, ଥାଇରଏଡ଼, ଡାଇବେଟିସ ପରି ଅନେକ ଉଦାହରଣ ରହିଛି, ହଁ ଅଳ୍ପ କିଛି ସମୟ ପାଇଁ କଷ୍ଟରୁ ମୁକ୍ତି ମିଳେ କିନ୍ତୁ ଆୟୁର୍ବେଦରେ ଅଳ୍ପ କିଛି ଦିନ ଭିତରେ ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳେ । ଏଲୋପ୍ୟାଥିକରେ ଚିକିତ୍ସା ବ୍ୟୟସାପେକ୍ଷ ହୋଇଥିବା ବେଳେ ଆୟୁର୍ବେଦରେ ସୁଲଭ ମୂଲ୍ୟରେ ଚିକିତ୍ସା ସମ୍ଭବ ହୋଇଥାଏ । ଏଲୋପ୍ୟାଥିକରେ ରୋଗର ଚିକିତ୍ସା କରାଯାଏ କିନ୍ତୁ ଆୟୁର୍ବେଦରେ ରୋଗୀର ଚିକିତ୍ସା କରାଯାଏ ଉଦାହରଣ ସ୍ୱରୂପ ଗୋଟିଏ ଗ୍ୟାସ ଚୂଲା ଉପରେ ପାଣି ଗରମ ହେଉଛି, ଏଲୋପ୍ୟାଥିକ ଏବଂ ଆୟୁର୍ବେଦ ଉଭୟ ଚିକିତ୍ସକଙ୍କୁ ପାଣି ଥଣ୍ଡା କରିବାକୁ କୁହାଯାଏ । ତେବେ ଉଭୟ ଚିକିତ୍ସା ପଦ୍ଧତି ଅନୁସାରେ ଏଲୋପ୍ୟାଥିକ ଚିକିତ୍ସକ ପାଣିରେ ବରଫ ପକାଇବାକୁ ଲାଗିଲେ ଫଳରେ ଅଳ୍ପ ସମୟ ମଧ୍ୟରେ ପାଣି ଥଣ୍ଡା ହେବାରେ ଲାଗିଲା କିନ୍ତୁ କିଛି ସମୟ ପରେ ପାଣି ପୁଣି ଗରମ ହୋଇଗଲା । ଆୟୁର୍ବେଦ ଚିକିତ୍ସକ ଗ୍ୟାସ ବନ୍ଦ କରି ପାଣିକୁ ଥଣ୍ଡା କରିବାକୁ ପ୍ରୟାସ କରିଲେ, ପାଣି ଥଣ୍ଡା ହେବାକୁ ସମୟ ଲାଗିଲା କିନ୍ତୁ ଆଉ କଦାପି ଗରମ ହେଲା ନାହିଁ । ଏବେ ଆପଣ ଫରକ ବୁଝିନିଅନ୍ତୁ ।
୧୭ ସେପ୍ଟେମ୍ବର ୨୦୧୯ ତାରିଖରେ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳନ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରୋଗୀ ସୁରକ୍ଷା ସଂଯୋଜକ ଡ଼ ନିଲମ ଧିଙ୍ଗରା କୁମାର ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କଲେ ଯେ, ଏଲୋପ୍ୟାଥିକ ଚିକିତ୍ସାରେ ତ୍ରୁଟି କାରଣରୁ ବର୍ଷକୁ ୨୬ ଲକ୍ଷ ଲୋକଙ୍କର ଜୀବନ ଚାଲିଯାଉଛି ଏବଂ ଡାକ୍ତରଙ୍କ ତ୍ରୁଟି କାରଣରୁ ୧୩ କୋଟି ୮୦ ଲକ୍ଷରୁ ଅଧିକ ରୋଗୀ କ୍ଷତିଗ୍ରସ୍ତ ହେଉଛନ୍ତି । ଏଲୋପ୍ୟାଥିକର ପ୍ରତ୍ୟେକ ଔଷଧ ପାର୍ଶ୍ଵ ପ୍ରତିକ୍ରିୟଶୀଳ ମଧ୍ୟ ହୋଇଥାଏ । ଅର୍ଥାତ ଏହା ଲୋକଙ୍କର ଜୀବନ ରକ୍ଷା କରିବା ସହିତ ଅକାରଣରେ ଅନେକ ଲୋକଙ୍କର ଜୀବନ ନେଉଛି ।
ଏଲୋପ୍ୟାଥିକ ଚିକିତ୍ସକ ପୂର୍ବରୁ ଅୟୁର୍ବେଦକୁ ଖରାପ ଦେଖାଇବାକୁ ଯାଇ ଯୁକ୍ତି କରନ୍ତି ଯେ, ଶଲ୍ୟ ଚିକିତ୍ସାରେ ଏଲୋପ୍ୟାଥିକ ବହୁ ଉନ୍ନତ କିନ୍ତୁ ଭୁଲିଯାଆନ୍ତି ଯେ ଶଲ୍ୟ ଚିକିତ୍ସାର ଜନକ ଆୟୁର୍ବେଦାଚାର୍ଯ୍ୟ ଶୁଶ୍ରୁତ । ଭାରତରେ ଇଂରେଜ ଶାସନ ସମୟରେ ଆୟୁର୍ବେଦ ବିରୋଧରେ ମିଥ୍ୟା ଏବଂ ଘୃଣ୍ୟ ଅପପ୍ରଚାର କରାଯାଇଥିଲା। ଆଉ ଦେଶ ସ୍ଵାଧୀନ ହେବା ପରେ ଦେଶକୁ ଦୀର୍ଘ ୭୦ ବର୍ଷ ଶାସନ କରିଆସୁଥିବା ରାଜନେତାମାନେ ଏହାକୁ ଅବୈଜ୍ଞାନିକ କହି ହତାଦର କଲେ। ସେଥିପାଇଁ ତ ଆଜିକାଲି ଆୟୁର୍ବେଦର ଚିକିତ୍ସକମାନେ ଏଲୋପ୍ୟାଥିକ ଔଷଧ ବ୍ୟବହାର କରିବାକୁ ବାଧ୍ୟ ହେଲେ । ସେମାନେ ଭୁଲିଗଲେ ଯେ ଶଲ୍ୟ ଚିକିତ୍ସା, ରଞ୍ଜନ ରଶ୍ମି, ପାଥୋଲୋଜି ଦୁନିଆକୁ ଆୟୁର୍ବେଦର ଅବଦାନ । ବର୍ତ୍ତମାନ ସେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ଆୟୁର୍ବେଦର ମହତ୍ୱ ବୁଝି ଏଲୋପ୍ୟାଥିକ ଡାକ୍ତରମାନେ ରୋଗୀଙ୍କୁ ଆୟୁର୍ବେଦିକ ଚିକିତ୍ସା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳୁଛି ।
କୌଣସି ବି ଚିକିତ୍ସା ପଦ୍ଧତି ଶତ ପ୍ରତିଶତ ସଫଳ ହେବା ସମ୍ଭବ ନୁହେଁ । ଆୟୁର୍ବେଦ ହେଉ ଅବା ଏଲୋପ୍ୟାଥିକ, ଉଭୟ ଚିକିତ୍ସା ପଦ୍ଧତି ବର୍ତ୍ତମାନ ସମୟର ଆବଶ୍ୟକତା ରହିଛି । ଉଭୟ ଉଭୟଙ୍କ ସ୍ଥାନରେ ସ୍ୱତନ୍ତ୍ର । ମାନବକଲ୍ୟାଣ ନିମନ୍ତେ ସମସ୍ତ ଚିକିତ୍ସା ପଦ୍ଧତିକୁ ଅଧିକରୁ ଅଧିକ ଗବେଷଣା ପାଇଁ ପ୍ରୋତ୍ସାହିତ କରାଯିବାର ଆବଶ୍ୟକ । ବର୍ତ୍ତମାନ କରୋନା ସାରା ପୃଥିବୀକୁ କବଳିତ କରିଛି । କରୋନା ଦେଶ ଅନୁସାରେ ଅଲଗା ଅଲଗା ପ୍ରକାର ରୂପ ନେଲାଣି । ପୃଥିବୀର ସବୁ ସ୍ଥାନରେ ମନୁଷ୍ୟ ଶରୀର ଅଙ୍ଗପ୍ରତ୍ୟଙ୍ଗ ଦୃଷ୍ଟିରୁ ଏକ ପ୍ରକାର ହେଲେ ମଧ୍ୟ ଆମେରିକାରେ ବାସ କରୁଥିବା ଲୋକର ରୋଗର ଉପଚାର ପାଇଁ ବ୍ୟବହୃତ ହେଉଥିବା ଔଷଧ ଯେ ନିର୍ବିବାଦରେ ଭାରତରେ ମଧ୍ୟ ଉପଯୋଗୀ ହେବ ବୋଲି ଠିକ ନୁହେଁ । ରୋଗୀର ସମ୍ବନ୍ଧ ଜଳବାୟୁ, ଖାଦ୍ୟପେୟ, ଚଳଣି ଏବଂ ବଂଶ ପରମ୍ପରା ସହିତ ଜଡିତ । ସବୁ ରୋଗ ଉପର ଠାଉରିଆ ସମାନ ଦିଶୁଥିଲେ ମଧ୍ୟ ସେହି ରୋଗରେ ପୀଡିତ ସମସ୍ତ ସମସ୍ତ ରୋଗୀଙ୍କୁ ଏକ ପ୍ରକାର ଔଷଧ ଦେବା ବ୍ୟକ୍ତି ଭଣ୍ଡ ବୈଦ୍ୟ ବା ଡାକ୍ତର ହୋଇପାରେ କିନ୍ତୁ କଦାପି ଚିକିତ୍ସକ ନୁହେଁ । ସଂସ୍କୃତରେ କୁହାଯାଇଛି “ଯଦ୍ଦେଶସ୍ଯ ୟୋ ତଦ୍ ଦେଶସ୍ୟ ତସ୍ୟୋଷଧମ୍” । ତେଣୁ ଦେଶ ଅନୁଯାୟୀ କରୋନାର ଚିକିତ୍ସା ପଦ୍ଧତି ଅଲଗା ହେବା ସ୍ୱଭାବିକ ସେହି ଅନୁଯାୟୀ କାର୍ଯ୍ୟ ସମ୍ପାଦନ କରିବା ବର୍ତ୍ତମାନ ସମୟର ଆବଶ୍ୟକତା ।
Nalco

Comments are closed.