ବେତନଟୀ, ୧୬/୧୦ : ବେତନଟୀ ରେଞ୍ଜର ବଡାମପୁର ବନପାଳ କ୍ଷେତ୍ରର ଜାମଶୂଳୀ, ଚହଲାପଦା, କୁରାଢ଼ିକ, ପାଣିଶୋଳ, ଫାଲଝରୀ ଓ ଅନ୍ୟ ଗ୍ରାମ ଗୁଡିକରେ ବ୍ୟାପକ ୨୧ଟି ଝାଡଖଣ୍ଡି ହାତୀ ଉପଦ୍ରବ କରୁ ଥିବାର ଦେଖା ଯାଇଛି । ଏହି ହାତୀ ଗୁଡିକ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସଚ୍ଚିଦାନନ୍ଦ ମହାନ୍ତ, ବସନ୍ତ ମହାନ୍ତ, ଗୁରୁପ୍ରସାଦ ମହାନ୍ତଙ୍କ ଚାଷ ଜମି ଗୁଡିକରେ ବ୍ୟାପକ ଧାନ ଚାଷକୁ ଦଳି ଚକଟି ନଷ୍ଟ କରି ଥିବାର ଜଣା ପଡିଛି । ସେହିପରି ଗୋଟିଏ ଦନ୍ତା ହାତୀ କଇଁଫୁଲିଆ ଫୁଲଝରୀ ଜଙ୍ଗଲରେ ଆସି ପହଞ୍ଚିଛି ।
ଏହି ଦନ୍ତାଟି ଗ୍ରାମ ଆଡକୁ ମୁହାଁଉ ଥିବାର ଜଣା ପଡିଛି । ଏହି ହାତୀଟି ମଧ୍ୟ ବ୍ୟାପକ ଫସଲ ନଷ୍ଟ କରୁ ଥିବାର ଜଣା ପଡିଛି । ଗୋଟିଏ ହାତୀ ଖଡିଶୋଳ ନିକଟସ୍ଥ ଡୁମାପଦାରେ ରହି ଗ୍ରାମ ଗୁଡିକ ପାଇଁ ବିପଦ ସୃଷ୍ଟି କରିଛି । ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ୱରେ ନିଦେ୍ର୍ଦଶକ୍ରମେ ବଡାମପୁର ବନପାଳ ଶିରୀଶ ଦଳେଇ, ବେତନଟୀ ବନପାଳ ସୁଶାନ୍ତ କୁମାର ବାଗ, କୃଷ୍ଣଚନ୍ଦ୍ରପୁର ବନପାଳ ପ୍ରଶାନ୍ତ କୁମାର ସିଂସାମନ୍ତ, ବନରକ୍ଷୀ ଶୁଭାଶିଷ ସାହୁ, ରାଇଧନ ସିଂ, କରଣାକର ମହାନ୍ତ, ଲମ୍ବୋଦର ମହାନ୍ତ ପ୍ରମୁଖ ବିଭିନ୍ନ ଦଳରେ ଭାଗ ହୋଇ ହାତୀ ଗୁଡିକୁ ମୁକାବିଲା କରୁ ଥିବାର ଜଣା ପଡିଛି
