ବୁଗୁଡ଼ା :-୨୩/୯ ବୁଗୁଡ଼ା ବନାଞ୍ଚଳରେ ଚଳିତ ମାସରେ ଏକ ଦନ୍ତାହାତୀ ସହ ୮ ଜଣିଆ ହାତୀପଲର ପ୍ରବେଶ ପରେ ଚାଷୀଙ୍କ ମଧ୍ୟରେ ଫସଲର ସୁରକ୍ଷା ଚିନ୍ତା ସହ ହାତୀପଲର ଉପଦ୍ରବର ଆଶଙ୍କା କରାଯାଉଥିଲା। ତେବେ ଏହି ଆଶଙ୍କା ସତ୍ୟତା ପ୍ରମାଣିତ ହୋଇଛି ସୋମବାର ମଧ୍ୟରାତ୍ରରେ। ବୁଗୁଡ଼ା ଥାନା ଅନ୍ତର୍ଗତ ଜେଏକ ଗ୍ରାମ ନିକଟସ୍ଥ ଫସଲ କିଆରୀରେ ଥିବା ଏକ କୁଡିଆରୁ ସୋମବାର ରାତିରେ ଜଣେ ବୃଦ୍ଧ ଚାଷୀଙ୍କୁ ଏକ ଦନ୍ତାହାତୀ ଘୋଷାଡ଼ି ଘୋଷାଡ଼ି ନେଇ କଚାଡି ଦେଇ ଗୁରୁତର କରିଥିବା ବିଷୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ଚାଷୀ ଜଣକ ହେଲେ ଜେଏକ ଗ୍ରାମର ୬୨ ବର୍ଷୀୟ ସଂସାରୀ ପ୍ରଧାନ। ସଂସାରୀ ତାଙ୍କର ଫସଲର ସୁରକ୍ଷା ପାଇଁ କିଆରୀରେ ଏକ କୁଡିଆ ତିଆରି କରି ପ୍ରତ୍ୟହ ରାତିରେ ଜଗିରହୁଥିଲେ। ସବୁଦିନ ପରି ସୋମବାର ରାତିରେ ମଧ୍ଯ ସଂସାରୀ ତାଙ୍କ କୁକୁରଟିକୁ ସାଥିରେ ନେଇ କୁଡ଼ିଆରେ ଜଗିଥିଲେ। ରାତ୍ର ପ୍ରାୟ ୧୨ ଟାରେ କୁକୁରଟି ଭୋକିବାରୁ ତାକୁ ଫିଟାଇ ଦେଇ ଟର୍ଚ୍ଚ ପକାଇଥିଲେ।
ସେତେବେଳେ କୁଡିଆ ପାଖ ଦେଇ ଯାଉଥିବା ଏକ ଦନ୍ତାହାତୀ ଉପରେ ଟର୍ଚ୍ଚ ଆଲୁଅ ପଡିଥିଲା। ଆଲୁଅ ପଡ଼ିବା ପରେ ହାତୀଟି କୁଡିଆକୁ ଆସି ବୃଦ୍ଧଙ୍କୁ ଶୁଣ୍ଢରେ ଘୋଷାଡ଼ି ଘୋଷାଡ଼ି କିଛି ଦୂର ନେଇ କଚାଡି ଦେଇଥିଲା। ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା। କଷ୍ଟେମଷ୍ଟେ ସଂସାରୀ ସେଠାରୁ ଗାଁକୁ ଆସି ଘଟଣା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ।
ଖବର ପାଇ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ସଙ୍ଗେ ସଙ୍ଗେ ସଂସାରୀକୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ଥାନାନ୍ତର ସମୟରେ ଗୁରୁତର ଚାଷୀଙ୍କୁ ବନ ବିଭାଗ ପକ୍ଷରୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ଘଟଣା ସମ୍ପର୍କରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ଅବଗତ ହେବା ପରେ ତାଙ୍କ ନିର୍ଦ୍ଦେଶରେ ଏସ୍ ଏଫ୍ ପ୍ରଭାକର ନାୟକ ଓ ସଙ୍କର୍ଷଣ ବେହେରା ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିବା ଜଣାପଡିଛି।
