ହିମାଂଶୁ ଶେଖର ଆଚାର୍ଯ୍ୟ : ସମ୍ପ୍ରତି ମାହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଲକ୍ଡାଉନ ଯୋଗୁଁ ସାରା ବିଶ୍ୱରେ କୋମାରେ ଶିଳ୍ପଜଗତ । ଅର୍ଥନୀତି ଧ୍ୱସ୍ତ ବିଧ୍ୱସ୍ତ । ନିକଟରେ ଏଥିରୁ ତ୍ରାହି ମିଳିବାର କୈ÷ାଣସି ବାଟ ଦେଖାଯାଉନି । ଦିନକୁ ଦିନ କରୋନା ଜନିତ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା ପାଇଁ ଲକ୍ଡାଉନକୁ ସୁରକ୍ଷା କବଚ ରୂପେ ସବୁ ଦେଶ ଗ୍ରହଣ କରିଛନ୍ତି । ଆମ ଦେଶରେ ମଧ୍ୟ ଅନୁରୂପ ଅବସ୍ଥା । ସ୍ଥାଣୁ ପାଲଟିଛି ଶିଳ୍ପ ଜଗତ । ଶ୍ରମିକ ଗାଁ ମୁହାଁ । ଏହି ମାନ୍ଦା ଅବସ୍ଥାରୁ ମୁକୁଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ୨୦ଲକ୍ଷ କୋଟିର ‘ଆତ୍ମ ନିର୍ଭର ଭାରତ ଯୋଜନା’ । ଏହି ଘୋଷଣାକୁ ବାସ୍ତବ ରୂପ ଦେବାକୁ ପ୍ରୟାସ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଯୋଜନା ଅନୁଯାୟୀ ଶିଳ୍ପ, କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷାଭଳି କ୍ଷେତ୍ରଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ଯୋଜନା ଅର୍ଥବ୍ୟବସ୍ଥା ଉପରେ କେରାନା ଜନିତ ଆଘାତକୁ ଭରଣା କରିବାରେ କେତେ ସଫଳ ହେବ ତାହା ସମୟ କହିବ!
ଏଠାରେ ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ପୂର୍ବରୁ ଆମର ଅର୍ଥବ୍ୟବସ୍ଥା ସ୍ଥାଣୁ ଭାବରେ ଥିଲା । କୃଷି, ଶିଳ୍ପ, ସ୍ୱାସ୍ଥ୍ୟ ,ଗମନାଗମନ ଓ ବିଜ୍ଞାନ ଏବଂ କାରିଗରୀ ଇତ୍ୟାଦି ସବୁ କ୍ଷେତ୍ରରେ ଆମେ ବହୁତ ପଛୁଆଥିଲୁ । ସ୍ୱାଧୀନତା ପରେ ଆମ ଦେଶକୁ ଆମେ ଚଳାଇବାର ଅଧିକାର ପାଇଲୁ ।ଶାସନ କରିବା ପାଇଁ ତିଆରି ହେଲା ଆମ ସମ୍ବିଧାନ । ଏହା ଭାରତକୁ ସାର୍ବଭୌମ, ଧର୍ମ ନିରପେକ୍ଷ, ସମାଜବାଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କଲା ।ଇତି ମଧ୍ୟରେ ୭୪ ବର୍ଷରେ ଦେଶର ସ୍ୱାଧୀନତା ପାଦ ଦେଇ ଥିବାବେଳେ ଭାରତୀୟ ଗଣତନ୍ତ୍ର ସମତାଳରେ ୭୧ ବର୍ଷ ଅତିକ୍ରମ କରିସାରିଛି । ଏହି ସାତ ଦଶନ୍ଧିରେ ଆମର ସଫଳତା ଓ ବିଫଳତା କୁ ଆଲୋଚନା କଲେ ଅନେକ ତଥ୍ୟ ଆଖି ସାମନାକୁ ଆସେ ।ଏହି ସମୟ ମଧ୍ୟରେ ଭାରତ ବିଶ୍ୱ ଦରବାରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି । ସବୁଜ ବିପ୍ଲବ ପରେ ଏଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇ ପାରିଛି ।
ଶ୍ୱେତ ବିପ୍ଲବ ଯୋଗୁ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଉଲେଖନୀୟ ସଫଳତା ମିଳିଛି । ସ୍ୱାଧୀନତା ପୁର୍ବରୁ ଯେଉଁ ଦେଶରେ ପିନ୍କଣ୍ଟାଟିଏ ଉତ୍ପାଦନ ହୋଇପାରୁ ନଥିଲା ସେ ଦେଶ ଆଜି ବିଜ୍ଞାନ. ପ୍ରଯୁକ୍ତିବିଦ୍ୟା ଓ କାରିଗରିରେ ବିଶ୍ୱର ଗୋଟିଏ ଆଗ ଧାଡିର ଦେଶ । ଖାଲି ସେତିକିନୁହେଁ ଏହି ସମୟ ଭିତରେ ଭାରତର ଚେହେରା ବଦଳିଛି ଚିହ୍ନି ନହେଲା ପରି । ଅର୍ଥନୈତିକ ସସ୍କାର, ଟେଲିକମ୍ ବିପ୍ଳବ, ମହାକାଶ ମାନ୍ୟତା. ସଫ୍ଟଓୟାର ମହାଶକ୍ତି ଭାବେ ନୁଆ ପରିଚିତି ଆଜି ଏ ରାଷ୍ଟ୍ରକୁ ସଫଳ ଓ ସଶକ୍ତ ରାଷ୍ଟ୍ରର ମର୍ଯାଦା ଦେଇଛି । ଶିଳ୍ପ କ୍ଷେତ୍ରରେ ଆଶାନୁରୂପ ପ୍ରଗତି ହାସଲ ହୋଇଛି । ଦେଶର ଜନସଂଖ୍ୟା ୩୬ କୋଟିରୁ ଆସି ୧୩୪ କୋଟି ଟପିସାରିଲାଣି । ଏହି ସମୟ ମଧ୍ୟରେ ଆମର ସାକ୍ଷରତା ହାର ୧୮ ପ୍ରତିଶତରୁ ୭୪ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶର ଅଭିବୃଦ୍ଧିି ହାର ୩ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଭାରତୀୟଙ୍କ ହାରାହାରି ପରମାୟୁ ୩୩ବର୍ଷରୁ ୬୮ବର୍ଷକୁ ବୃଦ୍ଧି ପାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ବହୁ ଘାତ ପ୍ରତିଘାତ ମଧ୍ୟରେ ଏସବୁ ସଫଳତା ଭାରତକୁ ବିକାଶଶୀଳ ରାଷ୍ଟ୍ରର ମାନ୍ୟତା ଦେଇଛି ।
ଏସବୁ ସଫଳତା ସତ୍ତ୍ୱେ ବାହାରେ ଯେଉଁ ଅନାଲୋଚିତ ଦିଗ ଅଛି ତାହାହେଉଛି ଏବେବି ଭାରତରେ ରହୁଛନ୍ତି ୨୮କୋଟି ନିରକ୍ଷର,୨୬କୋଟି ଦାରିଦ୍ର୍ୟ ସୀମାରେଖା ତଳେ ଓ ଅପପୁଷ୍ଟିର ଶୀକାର ହେଉଥିବା ୪୨ପ୍ରତିଶତ ଶିଶୁ । ଏଥିସହିତ ସମସ୍ତଙ୍କୁ ଖାଦ୍ୟ, ବାସଗୃହ, ସ୍ୱାସ୍ଥ୍ୟସେବା, ବିଜୁଳି, ସଡକ, ଓ ପାନୀୟ ଜଳ ଯୋଗାଇବାରେ ମଧ୍ୟ ଆମେ ବିଫଳ ହୋଇଛୁ । ସେହିପରି ଶିଶୁ ଓ ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ ପୂରଣ କରିବାରେ ଆମର ସ୍ଥିତି ସନ୍ତୋଷଜନକ ନୁହେଁ । ଏପରିକି ସମଗ୍ର ବିଶ୍ୱରେ ଭାରତରେ ଭୋକିଲା ଲୋକଙ୍କ ସଂଖ୍ୟା ଅଧିକ ।
ଏହାର ମୂଳ କାରଣ ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ବିଡମ୍ବନା ହେଲାଯେ ଏହାର ପରିମାଣ କମୁନି ବରଂ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୧୯୪୮ମସିହା ଜିପ୍ କିଣା ଦୁର୍ନୀତି ଠାରୁ ଆରମ୍ଭ କରି ୧୯୯୬ ରେ ହ୍ୱାଓଲା ଓ ଗେଖାଦ୍ୟ ,୨୦୦୮ରେ ସେୟାର ବଜାର ,୨୦୧୦ରେ କମନେଓଲ୍ଥ ଗେମ୍ ,୨୦୧୧ ମସିହା ଆଦର୍ଶ ହାଉସିଂ ଓ ୨୦୧୨ ରେ ଟେଲିକମ ଦୁର୍ନୀତି ଏହାର ଗୋଟିଏ ଗୋଟିଏ ଉଦାହରଣ । ଏବେ ପୁଣି ଚର୍ଚ୍ଚାକୁ ଆସିଥିଲା ବ୍ୟାପମ୍ ଦୁର୍ନୀତି । ଦୁର୍ନୀତି ଓ ଭ୍ରଷ୍ଟାଚାର କଥା ନକହିବା ଭଲ ।
ସ୍ୱାଧୀନତାର ଅର୍ଥ କେବଳ ଏକଛତ୍ରବାଦ ଶାସକ ବା ବିଦେଶୀଙ୍କ କବଳରୁ ମୁକ୍ତି ନୁହେଁ ବରଂ ଜନକଲ୍ୟାଣ ଶାସନ ପଦ୍ଧତି ଦ୍ୱାରା ସାଧାରଣ ଲୋକଙ୍କୁ ବଞ୍ଚିବାର ମୌଳିକ ଆବଶ୍ୟକତା ଯୋଗାଇ ଦେବା । ସେ ସ୍ୱପ୍ନ ଆଜି ସୁଦୂର ପରାହତ । ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟ ଅନୁସାରେ ବିଶ୍ୱର ୮୦ଟି ବିକାଶମୁଖୀ ଦେଶମାନଙ୍କ ମଧ୍ୟରୁ ଆମ ଦେଶର ସ୍ଥାନ ହେଉଛି ୬୭ ତମ । ସମ୍ପ୍ରତି ପ୍ରାୟ ୧୩୪ କୋଟି ଲୋକଙ୍କ ମଧ୍ୟରୁ ୧୯ ପ୍ରତିଶତ ଲୋକ କ୍ଷୁଧାର୍ତ୍ତ ତାଲିକାରେ ଅଛନ୍ତି । ୪୨ ପ୍ରତିଶତ ଶିଶୁଙ୍କ ଓଜନ ସ୍ୱାଭାବିକ ଓଜନ ଠାରୁ କମ୍ ।
୭ ପ୍ରତିଶତ ଶିଶୁ ଜନ୍ମର ୫ ବର୍ଷ ମଧ୍ୟରେ ମୃତୁ୍ୟବରଣ କରିଥାନ୍ତି । ଏବେବି ବିଶ୍ୱର ଅର୍ଦ୍ଧାଧିକ ନିରକ୍ଷର ଲୋକ ସ୍ୱାଧୀନ ଭାରତରେ ଅଛନ୍ତି । ଦୁର୍ନୀତି କଥା ନ କହିବା ଭଲ । ହଜାର ହଜାର ଲୋକ ଆଜିବି ଦାଦନ ଖଟୁଛନ୍ତି । କ୍ରମାଗତ ଚାଷି ଆତ୍ମହତ୍ୟ ଜାରି ରହିଛି । ୫୪ କୋଟି ଯୁବକ ମାନଙ୍କ ଦେଶ ଭାରତରେ ନିଯୁକ୍ତି ନପାଇ ଜନସଂଖ୍ୟାର ଏକ ବଡ ଭାଗ ବାହାରେ ଶୁଣ୍ଢିପିଣ୍ଡା ହେଉଛନ୍ତି । ସ୍ୱାଧୀନତାର ସାତ ଦଶନ୍ଧି ପରେ ସବୁଲୋକଙ୍କୁ ଦୁଇ ଓଳି ପେଟପୁରା ଆହାର ମିଳିଲା ନାହିଁ କି ସବୁ ଶିଶୁ ବିଦ୍ୟାଳୟ ଦୁଆର ମୁହଁ ମାଡି ପାରିଲେନି ।ଏହାହିଁ କ୍ଷୋଭର ବିଷୟ ।ଗୋଟିଏ ପଟେ ସୁପରପାୱାର ସ୍ୱପ୍ନ ଆମେ ଦେଖୁଥିବା ବେଳେ ଅନ୍ୟପଟେ ଦୁର୍ନୀତି,ଭ୍ରଷ୍ଟାଚାର,ଦାରିଦ୍ର୍ୟ,ବେକାରୀ ଓ ନିରକ୍ଷରତା ଭଳି ସମସ୍ୟା ଆମ ପ୍ରଗତି ପଥରେ ପ୍ରତିବନ୍ଧକ ସାଜିଛି ।
ବର୍ତ୍ତମାନ କରୋନା ପରି ଜାତୀୟ ବିପତି ସମୟରେ ସାରା ଦେଶ ଏକଜୁଟ୍ ହେବା ଆମପାଇଁ ବଡ ଆଶ୍ୱସନାର ବିଷୟ । ଲକ୍ଡାଉନ ଓ ସଟ୍ଡାଉନ ସମୟରେ ଦେଶବାସୀ ଯୋଉଁ ଏକତା ଓ ସଂଜମତା ଦେଖାଇଛନ୍ତି ସେଥିପାଇଁ ସମସ୍ତେ ପ୍ରସଂସାର ପାତ୍ର । ଏହି ସମୟରେ କୋଭିଡ୍-୧୯ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ଗୁଡିକର ରାଜସ୍ୱଆୟ କମିଛି ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସହାୟତା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମଧ୍ୟ ଅନେକ ପଦେକ୍ଷପ ଗ୍ରହଣ କରିଛି ତେଣୁ ଏହି ପ୍ୟାକେଜ୍ ଗୁଡିକ ପାଇଁ ଆବଣ୍ଟନ ହେଇଥିବା ଅର୍ଥକୁ ସଠିକ୍ ଭାବେ ବିନିଯୋଗ କରିବା ଆବଶ୍ୟକ ତାହଲେ ଯାଇ ଆମେ କରୋନା ଜନିତ ମାନ୍ଦା ଅବସ୍ଥାକୁ ଭରଣା କରି ପୁଣି ଅଭିବୃଦ୍ଧି ପଥେ ଅଗ୍ରସର ହୋଇପାରିବା ।