Odisha news

ଚଇତ ପୂନେଁଇ

0

ସକାଳଖବର.କମ  :ଚନ୍ଦ୍ର ବା ଚିତ୍ରା ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମାକୁ ଚୈତ୍ରପୂର୍ଣ୍ଣିମା କୁହାଯାଏ । ଚୈତ୍ର ଶବ୍ଦର ଅର୍ଥ ଦେବାଳୟ ବା ଯଜ୍ଞଭୂମି ଅର୍ଥାତ୍ ଚୈତ୍ରମାସ ହେଉଛି ପୁଣ୍ୟମାସ । ବିଶେଷକରି ଏହି ମାସରେ ଦେବୀଙ୍କର ପର୍ବୋତ୍ସବ ପାଳିତ ହୋଇଥାଏ । ଚଇତିପୁନେଇ ମଧ୍ୟ କୈବର୍ତ୍ତମାନଙ୍କର ବଡ ପର୍ବ ଭାବରେ ପାଳିତ ହୋଇ ଆସୁଛି । କିମ୍ବଦନ୍ତୀ କହେ ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ତାଙ୍କ ବନବାସ କାଳରେ ସରଯୁ ନଦୀ ପାର ସମୟରେ ଦାସରାଜ କୈବର୍ତ୍ତଙ୍କୁ ଏକ ଘୋଟକ ଉପହାର ଦେଇଥିଲେ । ସେହି ସ୍ମୃତିଚାରଣ ନିମନ୍ତେ ଅଦ୍ୟାବଧି ଏହି ଦିବସକୁ କୈବର୍ତ୍ତ ସମ୍ପ୍ରଦାୟ ବଡ ଯାକଯମକରେ ପାଳନ କରିବା ସହିତ ଘୋଡାନାଚ କରିଆସୁଛନ୍ତି ଯାହାକି ଆମ ଲୋକନୃତ୍ୟରେ ପରିଣତ ହୋଇସାରିଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ କୈବର୍ତ୍ତଗୀତା ଅନୁସାରେ ରାମଚନ୍ଦ୍ରଙ୍କଠାରୁ ପ୍ରାପ୍ତ ଅଶ୍ୱ ଅଶ୍ୱନୀ ବାସୁଳୀ ଭାବେ କୈବର୍ତ୍ତମାନେ ଚୈତ୍ରପୂର୍ଣ୍ଣମାରେ ଉପାସନା କରିଆସୁଛନ୍ତି ।


“ଏ ବାଶୁଳୀ ଇଷ୍ଟ ତୋର ବଂଶରେ ରହିବ,
ଚଇତ୍ର ପୂର୍ଣ୍ଣିମା ଦିନ ପୂଜାଯେ ପାଇବ ।“
କୈବର୍ତ୍ତଗୀତା ଅନୁସାରେ ଦାସରାଜ ଭଗବାନଙ୍କ କର୍ଣ୍ଣମୂଳରୁ ପ୍ରଳୟ କାଳରେ ଜାତ ହୋଇଥିବାରୁ ତାଙ୍କୁ କୈବର୍ତ୍ତ ବୋଲି କୁହାଯାଏ । ମହାଭାରତ ଅନୁଯାୟୀ ଦାସରାଜ ବସୁକନ୍ୟା ମତ୍ସ୍ୟଗନ୍ଧା ସତ୍ୟବତୀଙ୍କୁ ମତ୍ସ୍ୟଗର୍ଭରୁ ଉଦ୍ଧାରକରି ପରିପାଳନ କରିଥିଲେ ଯାହାଙ୍କୁ ଶାନ୍ତନୁ ବିବାହ କରିଥିଲେ । କୈବର୍ତ୍ତମାନଙ୍କର କୋଳିକ ବୃତ୍ତି ନୋଚାଳନା ଏବଂ ମାଛ ଶିକାର । ଯେଉଁ କର୍ମକୁ ସତ୍ୟବତୀ କରୁଥିବା ସମୟରେ ଶାନ୍ତନୁଙ୍କ ସହିତ ସାକ୍ଷାତ୍ ହୋଇଥିଲା । ଆଦିପୁରୁଷ ଦାସରାଜାଙ୍କୁ କଳ୍ପବଟର ଏକ ଶାଖା ପ୍ରଦାନ କରିଥିଲେ ଯେଉଁଥିରେ କି ବିଶ୍ୱକର୍ମା ଏକ ନୋକା ବା ଡଙ୍ଗା ନିର୍ମାଣ କରି ଦାସରାଜାଙ୍କୁ ପ୍ରଦାନ କରିଥିଲେ । ସେବେଠାରୁ କୈବର୍ତ୍ତମାନଙ୍କର ନୋଚାଳନା ଏବଂ ନଦୀପାର କରିବା ମୁଖ୍ୟ ବ୍ୟବସାୟ ଭାବରେ ଚଳି ଆସିଲା । କୈବର୍ତ୍ତପୁରାଣ ଅନୁସାରେ ଏକଦା ଦାସରାଜାଙ୍କୁ ରାଘବ ମାଛ ଗିଳିଦେଲା । ଭଗବାନ ଦାସରାଜାଙ୍କୁ ଉଦ୍ଧାର କରିଥିଲେ ମାତ୍ର ସେହି ଦିନଠାରୁ କୈବର୍ତ୍ତମାନଙ୍କର ମାଛ ଶତ୍ରୁ ହୋଇଗଲେ ଫଳରେ କୈବର୍ତ୍ତମାନେ ମାଛ ମାରିବା ଆରମ୍ଭ କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହା ତାଙ୍କର ବେଉଷା ହୋଇଗଲା ।
“ମୀନ ଗିଳିଥିଲା ହେଲା ତୋହର ବଇରୀ,
ଯୁଗେ ଯୁଗେ ବଞ୍ଚିବୁ ତୁ ଏ ମୀନକୁ ମାରି ।”
ରାମାୟଣ ସମୟରୁ କୈବତ୍ତ ସମ୍ପ୍ରଦାୟ ଚଇତି ପୁନେଇକୁ ତାଙ୍କର ପୂର୍ଣ୍ଣିମା ଭାବରେ ପାଳନ କରି ଆସୁଛନ୍ତି । ଏହି ଦିନ ସେମାନେ ଘରଦ୍ୱାରା ଲିପାପୋଛା କରି ଚିତାପକାଇ ନାନା ସୁମିଷ୍ଟ ଖାଦ୍ୟପେୟ କରି ବନ୍ଧୁବାନ୍ଧବମାନଙ୍କୁ ସକ୍ରାର ନିମିତ୍ତ ନିମନ୍ତ୍ରଣ କରିଥାନ୍ତି । ନୋକାକୁ ପରିଷ୍କାର ପୂର୍ବକ ସିନ୍ଦୁର,ଚନ୍ଦନ ଆଦିରେ ମଣ୍ଡିତ କରି ବିଭିନ୍ନ ଫଳମୂଳ ସହିତ ନୋକାସ୍ଥିତ ମାମଙ୍ଗଳାଙ୍କୁ ଉପାସନା କରନ୍ତି । ଜାଲ,ଢିଙ୍କି ଆଦିକୁ ସଜକରି ସଜବସନ୍ତି । ଢିଙ୍କିକୁ ଚର୍ଚ୍ଚିତ କରି ନୂତନ ବସ୍ତ୍ର ପରିଧାନ କରାଯାଏ । ଘରର ମୁଖିଆମାନେ ନୂଆ ବସ୍ତ୍ର ପରିଧାନ କରି ଚୂଡାକୁଟା ଢିଙ୍କି, ଜାଲ, ଡଙ୍ଗା ଓ ଅଶ୍ୱକୁ ପୂଜା କରିଥାନ୍ତି । କେତେକ ସ୍ଥାନରେ ଲକ୍ଷ୍ମୀନାରାୟଣ ବିଗ୍ରହଙ୍କୁ ମହାଡମ୍ବରରେ ପୂଜା କରାଯାଇଥାଏ । ସନ୍ଧ୍ୟାରେ ଆରମ୍ଭ ହୁଏ ଘୋଡାନାଚ । ଅନ୍ୟାନ ସମ୍ପ୍ରଦାୟରେ ଭିନ୍ନ ଭିନ୍ନ ଲୋକନୃତ୍ୟ ପରି କୈବର୍ତ୍ତମାନଙ୍କର ଘୋଡାନାଚ ଲୋକନୃତ୍ୟ ଭାବରେ ପ୍ରସିଦ୍ଧି ଲାଭ କରିଛି । ଚଇତି ପୁନେଇ ଦିନ କୈବର୍ତ୍ତମାନେ ବାଉଁଶ ବୁଦାମୂଳେ ପାଣି ଢାଳି ଏକ ନିଖୁଣ ବାଉଁଶ କାଟନ୍ତି ଓ ସେହି ବାଇଁଶରୁ ବାରଖଣ୍ଡ ବତାଚିରି ଘୋଡାର ପିଞ୍ଜରା ନିର୍ମାଣ କରନ୍ତି ଏବଂ ସେହି ପିଞ୍ଜରାରେ ପାଟଶାଢୀ ଗୁଡ଼ାଇ ଅଶ୍ୱମୁଣ୍ଡ ଖଞ୍ଜି ମନ୍ଦାରମାଳ ପକାଇ ପ୍ରଥମେ ବାଶୁଳୀ ଭାବେ ଉପାସନା କରନ୍ତି ମଙ୍ଗଳାଙ୍କ ନିକଟରେ ଯେପରି ମାଟିର ଘୋଡା ସ୍ଥାପନ କରାଯାଏ । ତା’ପରେ ଜଣେ ବିଜ୍ଞ ନାଟୁଆ ତା’ମଧ୍ୟରେ ପଶି ସେହି ଛାଞ୍ଚକୁ ବେକରେ ଝୁଲାଇ ଢୋଲ, ମହୁରୀ ବାଦ୍ୟ ତାଳେ ତାଳେ ନୃତ୍ୟ ଆରମ୍ଭ କରନ୍ତି । ଏଥିରେ ଜଣେ ରାଉତ ହାତରେ ରାମତାଳୀ ଧରି ଘୋଡାନାଚ ଗୀତ ବୋଲେ ।
“ବାଟରେ ମାଇଲି ବୋଡା
ରାତିରେ ନଚାଏ ଚଇତି ଘୋଡା
ମୁଁ ଦିନରେ କୁଟଇ ଚୂଡା ।”
ଏହି ସମୟରେ ରାଉତିଆଣୀ ନୃତ୍ୟକରେ ଏକ ନାରୀବେଶ ହୋଇ । ମଝିରେ ମଝିରେ ଘୋଡାର ନଟ ମଧ୍ୟ ଘୋଡାକୁ ଝୁଲାଇ ନୃତ୍ୟ କରେ । ଏହିପରି ସେମାନେ ବିଭିନ୍ନ ଗ୍ରାମରେ ନୃତ୍ୟ ପ୍ରାୟ ଆଠଦିନ ଯାଏଁ କରନ୍ତି । ଯେଉଁ ଗ୍ରାମରେ ସେମାନେ ନୃତ୍ୟ ପ୍ରଦର୍ଶନ କରନ୍ତି ପ୍ରାୟ ପୁନେଇ ପୂର୍ବରୁ ମୁଖିଆ ସେହି ଗ୍ରାମର ମୁଖିଆଙ୍କ ପାଖକୁ ମାଛ ନିମନ୍ତ୍ରଣ ସ୍ୱରୂପ ପଠାଇ ଦେଇଥାନ୍ତି । ଅନେକ ସ୍ଥାନରେ ଘୋଡାନାଚ ମେଳଣ ଆୟୋଜିତ ହୋଇଥାଏ ଯାହାକି ଖୁବ୍ ଆକର୍ଷକ ହୋଇଥାଏ ।

Leave A Reply