Odisha news

ନିନ୍ଦୁକ ଓ ସମାଲୋଚକ

0

ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ଯୁଗ ଯୁଗ ଧରି ନିନ୍ଦୁକ ଓ ସମାଲୋଚକ ଅଛନ୍ତି ଓ ରହିବେ । ସ୍ଥଳ ବିଶେଷରେ ଏମାନଙ୍କ ଅନୁପସ୍ଥିତ ବି ଗ୍ରହଣ କରିହୁଏ ନାହିଁ । ଏହାକୁ ପ୍ରଶଂସା ପ୍ରିୟ ଲୋକେ ସହଜରେ ଗ୍ରହଣ କରି ନ ପାରନ୍ତି । ତେଣୁ ସ୍ତାବକଙ୍କୁ ସଭିଏଁ ଆଦର କରୁଥିବା ବେଳେ ନିନ୍ଦୁକ ଓ ସମାଲୋଚକଙ୍କୁ ପାଖରେ ପୂରାଇ ଦିଅନ୍ତି ନାହିଁ । ସାଧାରଣତଃ ଯୋଗ୍ୟ-ଅଯୋଗ୍ୟ ନ ବିଚାରି ଗୁଣଗାନ କରି ମହିମା ମଣ୍ଡନ କରିବା ଓ ପରୋକ୍ଷରେ କରାଇ ଗେଣ୍ଡୁମାଳ ପିନ୍ଧିବାରେ ପ୍ରତିଯୋଗିତା ଚାଲିଛି । ଢଗରେ କୁହାଯାଇଛି, ‘ଯାଚି କଇଲାଣ ମାଗି ଓଳିକି ।’ ସେଥିରେ ଅପରିଣାମଦର୍ଶିତା, ଗୁଣୀ, ମେଧାବୀ ଆଦି ଛପିଯାଏ । ଏକ ସ୍ୱଚ୍ଛ ଓ ଦକ୍ଷ ଭାବମୂର୍ତ୍ତୀ ସମାଜ ଆଗରେ ବିଛାଯାଏ । ଦିନ ଦ୍ୱିପହରରେ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଛଦ୍ମ ମୁଖା ତଳେ ଥିବା ଅସଲ ଚେହେରାକୁ ଅନ୍ଧାରରେ ଲୁଚା ଯାଏ । କାରଣ ସମସ୍ତେ ଜାଣନ୍ତି ଖରାପ କାମକୁ କେହି ଗ୍ରହଣ କରନ୍ତି ନାହିଁ । ପ୍ରଶଂସାର ମାତ୍ରା ଅତ୍ୟଧିକ ହୋଇ ସୀମା ଲଙ୍ଘିଲେ ଚାମୁଚାଗିରିର ଆଖ୍ୟା ମିଳେ । ଏହି ସ୍ତାବକ ଗୁଣ ଯୋଗୁଁ କାର୍ଯ୍ୟ ହାସଲ କରିବା ସହଜ ହୋଇଥାଏ ।

ଏପରିସ୍ଥଳେ ନିନ୍ଦୁକ ଓ ସମାଲୋଚକ ହିଁ ପକ୍ଷପାତିତାର ଶିକାର ହୁଅନ୍ତି । ଏଥିରେ ଉଭୟଙ୍କର ଉଦେ୍ଦଶ୍ୟ ଆଦୈା ମହାନ ନୁହେଁ ବୋଲି ବିଚାର କରାଯାଏ । କହିପାରିବା କି ସ୍ତାବକର ସମୂର୍ଣ୍ଣ ବିପରୀତ ହେଉଛି ନିନ୍ଦୁକ ? ଆବଶ୍ୟକତାଠାରୁ ଅଧିକ ପ୍ରଶଂସା କରିବା ଯାହା ନିନ୍ଦା କରିବା ବି ନିନ୍ଦୁକଙ୍କ କାର୍ଯ୍ୟ ଯେପରି ଜିରାରୁ ଶିରା ଖୋଜି ଦୁର୍ଗୁଣ ଗାଇବା ନିନ୍ଦୁକଙ୍କୁ ଶୋଭାପାଏ । ତାଙ୍କ ନିନ୍ଦା ପ୍ରସ୍ତାବରେ କେହି ସହମତି ହେଉ କି ନ ହେଉ ସେମାନେ ସେମାନଙ୍କ କାର୍ଯ୍ୟ କରି ଚାଲିଥାନ୍ତି । ମାନସିକ ସ୍ତରରେ ଆଘାତ ଦେଇ ନିର୍ଯ୍ୟାତନା ଦେବା ସହିତ ଚରିତ୍ର ଓ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଠିଆ କରାଇ ମନୋବଳକୁ ଦୁର୍ବଳ କରିବା ନିନ୍ଦୁକଙ୍କ ମୁଖ୍ୟ କାର୍ଯ୍ୟ । ହତୋସôାହିତ କରି କୈାଣସି କାର୍ଯ୍ୟକୁ ସୂଚାରୁ ରୂପେ ନ କରେଇଦେଇ ଗୋଡ ଟଣା ନୀତିରେ ବେଶ ମାହିର । ସର୍ବଦା ନକରାତ୍ମକ ଚିନ୍ତାଧାରାରେ ବଶୀଭୂତ ଓ ସମାଧାନର ବାଟ ପ୍ରତିବଦଳେ ଆରୋପ ଓ ଆକ୍ଷେପରେ ବଦନାମ କରି ଖୁସି ହେବାରେ ନିନ୍ଦୁକ ଆନନ୍ଦ ପାଆନ୍ତି ।

ନିନ୍ଦୁକଙ୍କ ପାଖେ ସମାଧାନରେ ରାସ୍ତା କମ ଦେଖିବାକୁ ମିଳେ । ପକ୍ଷପାତିତା ନିନ୍ଦୁକ ଓ ସମାଲୋଚକଙ୍କୁ ଶୋଭା ପାଏ ନାହିଁ । ଯେଉଁ କାରଣ ପାଇଁ ଜଣଙ୍କୁ ନିନ୍ଦା ବା ସମାଲୋଚନା କରାଯାଉଛି ତାହା ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବା ଦରକାର । ଅବସ୍ଥା ଦେଖି ବା ଛତା ଯୁଆଡେ ବର୍ଷା ସିଆଡେ ପରି ମତ ପରିବର୍ତ୍ତନ କରିବା ଅସଲ ନିନ୍ଦୁକ ଓ ସମାଲୋଚକଙ୍କ ପରିଭାଷା ନୁହେଁ । ଯିଏ ଯାହା କହିଲେ ବା ନିଜକୁ ମାର୍ଜିତ ଓ ଉନ୍ନତ କରିବାର ଦେଖାଇହେଲେ ମଧ୍ୟ ନିଜ ମୈାଳିକ ପରିଚୟରୁ କେବେ ମୁକ୍ତି ପାଇବ ନାହିଁ । ତେଣୁ ଢଗରେ କୁହାଯାଇଛି, ‘ଦେହେ ମନ୍ଦାକିନୀ ରଜ ଲଗାଇ, ଗ୍ରାମ ଶୂକର କି ହୋଇବ ଗାଈ ?’

ଆମେ ଜାଣନ୍ତି ଜଣେ ପ୍ରଶଂସା ଓ ଉସôାହିତ ହେବାରେ ଖୁସି ହୋଇଥାଏ ସତ କିନ୍ତୁ ସେଥିରେ ଦୋଷ ଦୁର୍ବଳତାକୁ ଜାଣିବାର ଅବକାସ କମ ମିଳେ । ଏଠାରେ ପ୍ରଶ୍ନଉଠେ ନିନ୍ଦୁକ ଓ ସମାଲୋଚକ ଭିତରେ କିଏ ବେଶୀ ସହଯୋଗୀ ସାବ୍ୟସ୍ତ ହୁଏ । ଉଭୟ ଦୋଷ ଦୁର୍ବଳତାକୁ ଦର୍ଶାଇଥାନ୍ତି । ସମାଲୋଚନା ତଥ୍ୟଭିତ୍ତକ ଓ ପ୍ରମାଣ ସର୍ବସ୍ୱ ହେଲେ ସମାଲୋଚନାରେ ଗୁରୁତ୍ୱ ରୁହେ ନଚେତ ସେମାନେ ନିନ୍ଦୁକ ଗୋଷ୍ଠୀରେ ସାମିଲ ହେବେ । ସମାଲୋଚନାରୁ ଶିକ୍ଷା କରିବା ଓ ଉକôୃଷ୍ଟ ପ୍ରଦର୍ଶନ କରିବାରେ ଶପଥ କରି କଥାରେ ନୁହେଁ କାମରେ କରି ସମାଲୋଚକଙ୍କ ମୁହଁ ବନ୍ଦ କରିବା ଶ୍ରେୟସ୍କର । ଯେଉଁଥିରେ ନିଜକୁ ଠିକ ମନେ କରୁଛନ୍ତି ସେଥିରେ ଦ୍ୱିମତ ନହୋଇ ନିନ୍ଦୁକଙ୍କୁ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦେଇ ବ୍ୟସ୍ତ ବିବ୍ରତ ହେବା ଉଚିତ ନୁହେଁ । କଥାରେ ଅଛି, ଯାହା ବି କଲେ ଲୋକେ କହିବେ । ପିଲିଟି ଦିନରୁ ତ ଏହି ଗପଟି ବହୁତଥର ଶୁଣିଥିବେ ଯେ ସ୍ୱାମୀ-ସ୍ତ୍ରୀ ଦୁଇଜଣ ଗଧଟିଏ ନେଇ ଯାଉଥିଲେ ।

ଗଧ ଉପରେ ବସି ନ ଯାଇ ଚାଲି ଯାଉଥିବାରୁ ଜଣେ ବୋକା କହିଲା । ତେଣୁ ଦୁଇ ଜଣ ଗଧ ଉପରେ ବସି ଯାଉଥିବାବେଳେ କେତେ ନିର୍ଦ୍ଦୟ ଗୋଟିଏ ଗଧ ଉପରେ ଦୁଇଜଣ ବସିଯାଉଛନ୍ତିର କଥା ଶୁଣି ସ୍ୱାମୀ ଓହ୍ଲାଇ ପଡି ସ୍ତ୍ରୀ କେବଳ ବସିକରି ଯିବାରୁ ପୁଣି ଆଗରେ ଜଣେ ଲୋକ ସ୍ତ୍ରୀକୁ ବସାଇ ନିଜେ ଚାଲୁଥିବାରୁ ସ୍ତ୍ରୀ ବୋଲକରା କହିବାରୁ ସ୍ୱାମୀ ଗଧ ଉପରେ ବସି ସ୍ତ୍ରୀକୁ ଓହ୍ଲାଇ ଦେଇ ପୁନଶ୍ଚ କିଛି ବାଟ ଗଲାପରେ ଶୁଣିବାକୁ ପାଇଲେ ଯେ ସ୍ତ୍ରୀ ଲୋକଟିକୁ ଚଲାଇ ଅବିବେକୀ ସ୍ୱାମୀ ନିଜେ କେମିତି ଗଧ ଉପରେ ବସି ଯାଉଛି ଆଦି ଭିନ୍ନ ଭିନ୍ନ ଆକ୍ଷେପ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ କଣ କରିବେ ନ କରିବେ । ଏଥିରୁ ଜାଣିବାକୁ ମିଳେ ଯେ ଗୋଟିଏ ଜିନିଷ ଯାହାପାଇଁ ଠିକ ଅନ୍ୟପାଇଁ ଭୁଲ ହୋଇଥାଇ ପାରେ । ଏହା ଭିତରେ ଆମେ ଭୁଲି ଯାଆନ୍ତି ଯେ ସ୍ୱାମୀ-ସ୍ତ୍ରୀ ଓ ଗଧ ଯାଉଥିବାବେଳେ ଭିନ୍ନଭିନ୍ନ ଲୋକେ ଭିନ୍ନଭିନ୍ନ ପରିସ୍ଥିତି ଦେଖି କହିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯାତ୍ରାର କେହି ନ ଥିଲେ ।

ତେଣୁ ଜୀବନ ଯାତ୍ରାରେ ଯିଏ ତୁମ ସହିତ ଜଡିତ ଓ ତୁମକୁ ବୁଝିପାରିଛି ସେମାନେ ହିଁ କେବଳ ତୁମ ମନୋଭାବ ବୁଝିପାରିବେ । ପ୍ରତ୍ୟେକ ଦିନ ମିଶୁଥିବା ଭିନ୍ନ ଭିନ୍ନ ଲୋକ ନୁହେଁ । ଏହାର ଅର୍ଥ ନୁହେଁ ସେମାନଙ୍କ ଆଲୋଚନ, ସମାଲୋଚନା ଓ ନିନ୍ଦାକୁ ସମ୍ପୂର୍ଣ୍ଣ ଅଣଦେଖା କରିବା । ଯାହା ଯୁକ୍ତିସଙ୍ଗତ ଓ ପ୍ରଯୁର୍ଯ୍ୟ ଗ୍ରହଣ କରିବାରେ ସମୀକ୍ଷା କରିବା ଉଚିତ । ବାକି ସବୁଥିରୁ ନିଜକୁ ଦୂରେଇ ରଖିବାର କଳା ଶିଖିବାକୁ ହେବ । ଏହା ହିଁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ସୁଗମ କରିଥାଏ । ଏଥି ସକାସେ ସମାଲୋଚକକୁ ପୁଞ୍ଜି ମନେକରିବା ଉଚିତ । ନିନ୍ଦୁକଙ୍କ କଥାକୁ ମନରେ ଗୁଞ୍ଜିବା ଉଚିତ ନୁହେଁ । ଏପରିକଲେ ନିନ୍ଦୁକ ତାଙ୍କ କାର୍ଯ୍ୟରେ ସଫଳ ହୋଇପାରିବେ ନାହିଁ ।

ପ୍ରଶଂସାର ଭୋକିଲା ହେଲେ ଝୁଣ୍ଟିବା ହେବ । କଳେବଳେ ସାଉଁଟିବାର ପ୍ରୟାସ କଲେ ଲୋକେ ନିର୍ଲଜ କହିବେ । ସାମର୍ଥ୍ୟଠାରୁ ଅଧିକ ଟେକାଟେକି ହେଲେ ସେଥିରେ ଫୁଲି ଉଠୁଥିବା ଲୋକେ ସମାଲୋଚନା ଓ ନିନ୍ଦାକୁ ଆଦୈା ସହ୍ୟ କରିପାରନ୍ତି ନାହିଁ । ତେଣୁ ଢଗରେ କୁହାଯାଇଛି, ‘ନିର୍ଲଜ ଲାଉ ଟେକିଟାକି ଦେଲେ ପିଢାକୁ ଯାଉ ।’ ମନେ ରଖିବାକୁ ହେବ ପ୍ରଶଂସା ପାଇବାକୁ ହେଲେ ପ୍ରଥମେ ସମାଲୋଚନାକୁ ପିଇବାକୁ ହୁଏ ଏବଂ ନିନ୍ଦା ଅପବାଦକୁ ସହିବାକୁ ହୁଏ । ତେଣୁ ଜୀବନରେ ସମାଲୋଚକ ଓ ନିନ୍ଦୁକ ଯେତେ ଶୀଘ୍ର ଆସିବେ ସଫଳତାର ବାଟ ସେତେ ଶୀଘ୍ର ଫିଟିବ ଯଦି ଏହାକୁ ସାଦରେ ଗ୍ରହଣ କରାଯାଏ ।

Leave A Reply