Odisha news

ଓଡିଆ ପୁଅ ଆଜି ପ୍ରବାସରେ କାହିଁକି ?

0

ଯଦୁମଣି ପାଣିଗ୍ରାହୀ  : ସଂପ୍ରତି କରୋନା ଯୋଗୁଁ ସମଗ୍ର ବିଶ୍ୱରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଆମ ଦେଶ ଭାରତ ବର୍ଷରେ ମଧ୍ୟ ଅବସ୍ଥା ଅସମ୍ଭାଳ ହୋଇପଡିଛି । ଆଉ ଏଭଳି ସ୍ଥିତିରେ ପ୍ରବାସରେ ଥିବା ଓଡିଆ ମାନେ ଘରକୁ ଫେରିବାରେ ଲାଗିଛନ୍ତି । ଆଜି ଯାଏଁ ଯେତେ ଓଡିଆ ଏ ରାଜ୍ୟକୁ ଫେରିଲେଣି ସେମାନେ ସମସ୍ତେ ବହୁ କଷ୍ଟସ୍ୱୀକାର କରି ଓ ନାନା ଭାବେ ହଇରାଣ ହରକତ ହୋଇ ଘରକୁ ଫେରିଛନ୍ତି । ଆଗକୁ ବି ପ୍ରବାସୀଙ୍କ ଫେରିବା ପ୍ରକ୍ରିୟା ଚାଲୁରହିବ । ପ୍ରବାସୀଙ୍କ ଆଗମନକୁ ନେଇ ଆମ ରାଜ୍ୟ ସରକାର ଓ ପ୍ରଶାସନିକ ଅଧିକାରୀ ମାନେ ବି ଧନ୍ଦି ହୋଇ ଗଲେଣି । ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ଠାରୁ ଖାଦ୍ୟପେୟର ବ୍ୟବସ୍ଥା ଓ ସେମାନଙ୍କୁ ପରୀକ୍ଷା ନିରୀକ୍ଷା କରିବା ଯାଏଁ ବହୁ କଥା ବୁଝିବାକୁ ହେଉଛି । ପ୍ରବାସୀଙ୍କ ଆଗମନ ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଆଗକୁ ବି ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ତେବେ କରୋନା ଯୋଗୁଁ ଗୋଟିଏ କଥା ନଜରକୁ ଆସିଛି, ତାହା ହେଉଛି ଲକ୍ଷ ଲକ୍ଷ ଓଡିଆ ପୁଅ ପେଟପାଟଣା ଲାଗି ପ୍ରବାସରେ ରହିଛନ୍ତି । ଏତେ ସଂଖ୍ୟକ ଓଡିଆ ଯେ, ପ୍ରବାସରେ ରହିଛନ୍ତି ତାହା ବୋଧେ ପୂର୍ବରୁ ଅନେକଙ୍କୁ ଅଗୋଚର ଥିବ । ତେବେ ଏଇଠି ମନରେ ପ୍ରଶ୍ନ ଉଠେ ଯେ, ଓଡିଆ ପୁଅ ଆଜି ପ୍ରବାସରେ କାହିଁକି? ଦିନେ ବେପାର ବଣିଜରେ ଓଡିଆ ପୁଅ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ବେଳେ ସେମାନଙ୍କ ପରବର୍ତ୍ତୀ ପିଢି ଆଜି ପେଟ ପାଇଁ ପ୍ରବାସରେ ଦାଦନ ଖଟିବାକୁ ଯାଉଛି । ଏହା ହେଉଛି ସବୁଠାରୁ ବଡ ବିଡମ୍ବନା । ଭାରତ ବର୍ଷର ବିଭିନ୍ନ ରାଜ୍ୟ ମଧ୍ୟରୁ ଓଡିଶା ବୋଧେ ଏକମାତ୍ର ରାଜ୍ୟ, ଯେଉଁ ରାଜ୍ୟର ଏତେ ସଂଖ୍ୟକ ଲୋକ ଅନ୍ୟ ରାଜ୍ୟ ମାନଙ୍କରେ ଯାଇ କାମଧନ୍ଦା କରି ଜୀବିକା ନର୍ବାହ କରୁଛନ୍ତି । ଓଡିଶାରେ କର୍ମସଂସ୍ଥାନ ଅଭାବରୁ ଓଡିଆ ପୁଅ ଆଜି ଦାଦନ ଖଟିବାକୁ ପ୍ରବାସକୁ ଚାଲିଯିବାକୁ ବାଧ୍ୟ ହୋଇଛି । କାରଣ ଏହାବ୍ୟତୀତ ତା’ପାଖରେ ଅନ୍ୟ ବିକଳ୍ପ ବୋଧେ ଆଉ କିଛି ନାହିଁ । ଆଜି ଓଡିଶାର ଗାଁ ଗଣ୍ଡାର ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ ନିର୍ବିଶେଷରେ ଲକ୍ଷ ଳକ୍ଷ ଲୋକ କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଲାଗି ପ୍ରବାସକୁ ବାଛି ନେଇଛନ୍ତି ।

ଦୀର୍ଘ ୨ଦଶନ୍ଧି ହେଲା କ୍ଷମତା ଡୋରି ଜାବୁଡି ଧରିଥିବା ରାଜ୍ୟ ସରକାର ଆଜିଯାଏଁ ଏଠାରେ ଓଡିଆଙ୍କ କର୍ମ ନିଯୁକ୍ତି ନେଇ କି ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ସମସ୍ତେ ଊଣାଅଧିକେ ଅବଗତ ଥିବେ ।

ଓଡିଶାର ଶତକଡା ପ୍ରାୟ ସତୁରି ଭାଗ ଭଳି ଲୋକ କୃଷି ଉପରେ ନିର୍ଭର କରିଥାନ୍ତି । ଓଡିଶାର ଅର୍ଥନୀତିକୁ କୃଷିର ଅବଦାନ କିଛି କମ୍ ନୁହେଁ । ଏପରିସ୍ଥଳେ ଓଡିଶାରେ କୃଷି ଓ କୃଷକର ଅବସ୍ଥା ସେତେଟା ସନ୍ତୋଷ ଜନକ ନୁହେଁ । ଓଡିଶାର କୃଷି ଉତ୍ପାଦନ ଆଶାଜନକ ସ୍ଥିତିରେ ପହଞ୍ଚିଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଏ ରାଜ୍ୟର କୃଷକର ଆର୍ଥିକ ସ୍ଥିତିରେ ସୁଧାର ଆସି ପାରିନାହିଁ । ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ଦୁର୍ବିପାକ ସାଙ୍ଗକୁ ସରକାରୀ ଅବହେଳାର ଶିକାର ହୋଇ ଏ ରାଜ୍ୟର କୃଷକର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡୁଛି । ସମସ୍ତଙ୍କ ମୁହଁରେ ଆହାର ଦେଉଥିବା କୃଷକ ନିଜେ ଆଜି ଅତି ଦୀନହୀନ ଜୀବନଯାପନ କରିବାକୁ ବାଧ୍ୟ ହେଉଛିି ।

ଯାହାଫଳରେ କୃଷି ପ୍ରତି ସେ ଧୀରେ ଧୀରେ ଅନାଗ୍ରହ ଭାବ ପ୍ରକାଶ କରୁଛି । ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପତ୍ତି ସାଙ୍ଗକୁ ଫସଲରେ ରୋଗପୋକର ପ୍ରାଦୁର୍ଭାବ ଆଜି ବି ଏ ରାଜ୍ୟର ଚାଷୀକୁ କବଳିତ କରିଚାଲିଛି । ବ୍ୟାଙ୍କର ଋଣ ବ୍ୟବସ୍ଥା ସବୁ ପ୍ରକାର କୃଷକଙ୍କୁ ଉପକୃତ କରାଇ ପାରୁ ନଥିବା ବେଳେ ଗାଁ ମହାଜନ ବା ସାହୁକାର ପାଖରୁ ଋଣକରଜ କରି ଚାଷରେ ବିନିଯୋଗ କରିଥିବା କୃଷକ ଫସଲ ଅମଳ କଲା ବେଳକୁ ପ୍ରାକୃତିକ ବିପତ୍ତି ଅଥବା ରୋଗପୋକର ପ୍ରାଦୁର୍ଭାବର ଶିକାର ହୋଇ ଆର୍ଥିକ କ୍ଷତିରେ ପଡୁଛି । ଉଜୁଡା ଫସଲ ସାଙ୍ଗକୁ କରଜ ପରିଶୋଧ ଜନିତ ଦୁଶ୍ଚିନ୍ତା ଓ ମାନସିକ ନିର୍ଯାତନା କାରଣରୁ ସେ ଆତ୍ମହତ୍ୟାର ବାଟ ବି ବାଛି ନେଉଛି । ଯଦିବା ତା’ପକ୍ଷେ ଭଲରେ ଫସଲ ଅମଳ କରିବା ସମ୍ଭବପର ହେଲା ତେବେ ଏହାକୁ ସଂରକ୍ଷିତ କରି ରଖିବା କିମ୍ବା ଉଚିତ ମୂଲ୍ୟରେ ବିକ୍ରୀ କରିବା ନେଇ ଆଜି ବି ସମସ୍ୟାରେ ପଡୁଛି କୃଷକ । ଏଥିସହିତ ଆଜି ବି ରାଜ୍ୟରେ ବ୍ୟାପକ ଜମିକୁ ଜଳସେଚନର ସୁବ୍ୟବସ୍ଥା କରାଯାଇପାରିନି । ଶସ୍ୟ ସଂରକ୍ଷଣ କରି ରଖିବାକୁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିନି ।

ସରକାରୀ ଭାବେ ଓ ନ୍ୟାର୍ଯ୍ୟ ମୂଲ୍ୟରେ କୃଷକର କୃଷିଜାତ ଦ୍ରବ୍ୟକୁ କିଣିବାର ସୁବନେ୍ଦାବସ୍ତ କରାଯାଇ ପାରିନି । କୃଷକକୁ ସରଳ ଓ ସହଜ ଉପାୟରେ ତଥା ଠିକ୍ ସମୟରେ ବ୍ୟାଙ୍କ ଋଣ ପ୍ରଦାନ କରିବାର ବ୍ୟବସ୍ଥା ହୋଇପାରିନି । ସରକାରୀ ଭାବେ ଆଉ ସୁଲଭ ମୂଲ୍ୟରେ କୃଷକକୁ ବିହନ, ସାର ଓ କୀଟନାଶକ ଯୋଗାଣ ନେଇ ସନ୍ତୋଷଜନକ ପଦକ୍ଷେପ ନିଆଯାଇପାରିନି । ଏତଦଭିନ୍ନ ବିଶେଷକରି ଯୁବଗୋଷ୍ଠୀଙ୍କୁ କୃଷି ପ୍ରତି ଆକୃଷ୍ଟ କରିବାର କୌଣସି କାର୍ଯ୍ୟକ୍ରମ ବି ସରକାରଙ୍କ ପକ୍ଷରୁ ଆଜିଯାଏଁ କରାଯାଇନି । ଯେଉଁଥିପାଇଁ କୃଷି ପ୍ରତି ବୀତସ୍ଫୃହ ହୋଇ ଓଡିଆ ଯୁବକ ବରଂ ପ୍ରବାସରେ ଯାଇ ଦାଦନ ଖଟିବାକୁ ଅଧିକ ଶ୍ରେୟ ମଣୁଛି ।

ଅନ୍ୟପକ୍ଷେ ଏ ରାଜ୍ୟର ଶିଳ୍ପ ଅବସ୍ଥା ମଧ୍ୟ ନ କହିବା ଭଲ । ଖଣିଜ ସଂପଦ, ଜଳସଂପଦ ଓ ଅରଣ୍ୟ ସଂପଦ ଆଦି ପ୍ରାକୃତିକ ସଂପଦରେ ଏ ରାଜ୍ୟ ସମୃଦ୍ଧ । ରତ୍ନଗର୍ଭା ଓଡିଶାର ମାଟି ତଳେ ଅମାପ ପ୍ରାକୃତିକ ପ୍ରାଚୁର୍ଯ୍ୟ ଭରପୁର ହୋଇ ରହିଛି । କୋଇଲା, ଲୁହାପଥର, ମାଙ୍ଗାନିଜ, ବକ୍ସାଇଟ ଓ ଚୁନପଥର ଆଦି କେତେକ’ଣ ଖଣିଜ ପଦାର୍ଥ ଏଠି ଭରି ରହିଛି । ମାତ୍ର ଏସବୁକୁ ଉପଯୋଗ କଲାଭଳି କଳ କାରଖାନା ଓଡିଶାରେ ନଥିବା କାରଣରୁ ଏହି ମୂଲ୍ୟବାନ ସଂପଦ ଗୁଡିକ ଅତି ସ୍ୱଳ୍ପ ମୂଲ୍ୟରେ ବାହାର ରାଜ୍ୟକୁ ବିକ୍ରି କରାଯାଉଛି । ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ଏ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଥିବା ସତ୍ତ୍ୱେଦୀର୍ଘ ବର୍ଷ ହେଲା ରାଜନୈତିକ ଇଚ୍ଛାଶକ୍ତି ଓ ଆନ୍ତରିକତା ଅଭାବରୁ ଏଠାରେ ଆଶା ଜନକ ଶିଳ୍ପ ପ୍ରତିଷ୍ଠା ସମ୍ଭବପର ହୋଇପାରିନି । ବରଂ ଇତିମଧ୍ୟରେ ଅନେକ ଶିଳ୍ପ ଆର୍ଥିକ କ୍ଷତିର ଶିକାର ହୋଇ ବନ୍ଦ ହୋଇଯାଇଛି । ସେହିପରି କୃଷି ଜାତ ସାମଗ୍ରୀ ଆଧାରରେ ଏଠାରେ ଅନେକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ହେଲେ ସେସବୁ ଦିଗରେ ଶାସକୀୟ ସ୍ଥାଣୁତା ପ୍ରତିବନ୍ଧକ ସାଜିଛି । ବିଗତ ବର୍ଷ ଗୁଡିକରେ ଅନେକ ଦେଶୀ ଓ ବିଦେଶୀ କମ୍ପାନୀ ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଶାସକୀୟ ଅସହଯୋଗ ସେମାନଙ୍କୁ ଏଠାରୁ ମୁହଁ ଫେରାଇ ନେବାକୁ ବାଧ୍ୟ କରିଛି । ଆଜି ଏ ରାଜ୍ୟରେ କର୍ମ ସଂସ୍ଥାନର ଘୋର ଅଭାବ । ଫଳରେ ବେରୋଜଗାର ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

ପାଠଶାଠ ପଢି ଲକ୍ଷ ଲକ୍ଷ ଓଡିଆ ପୁଅ ଆଜି ପ୍ରବାସରେ ଦାଦନ ଖଟୁଛନ୍ତି । ବିଶେଷ କରି ଯାନ୍ତ୍ରିକ ଓ ବୈଷୟିକ ତାଲିମ ପ୍ରାପ୍ତ ଅନେକ ଯୁବକ ଆଜି ପ୍ରବାସରେ ଅତି ସ୍ୱଳ୍ପ ମଜୁରିରେ କାମ କରି ପେଟ ପୋଷୁଛନ୍ତି । ସୁରଟ, ବାଙ୍ଗାଲୋର, ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡୁ, ମୁମ୍ବାଇ ଓ ଚେନ୍ନାଇରେ ଆଜି ଲକ୍ଷ ଲକ୍ଷ ଓଡିଆ କାମ କରୁଛନ୍ତି । ଆଉ କେତେକ ବି ଅତି ବିପଜ୍ଜନକ କାମରେ ନିୟୋଜିତ ରହି ଅନେକ ସମୟରେ ନିଜ ଜୀବନ ହରାଉଥିବା ଭଳି ଘଟଣା ଘଟୁଥିବା ଜାଣିବାକୁ ମିଳୁଛି । ଏବେ ସମୟ ଆସିଛି । ରାଜ୍ୟ ସରକାର ଏ ରାଜ୍ୟର ଉଭୟ କୃଷି ଓ ଶିଳ୍ପର ଉନ୍ନତି ନେଇ ପଦକ୍ଷେପ ନିଅନ୍ତୁ । ଓଡିଆ ମାନେ ଆଉ ପ୍ରବାସକୁ ନଯାଇ ଯେପରି ଓଡିଶାରେ କର୍ମନିଯୁକ୍ତିର ସୁଯୋଗ ପାଇବେ ସେଥିନେଇ ବ୍ୟବସ୍ଥା କରନ୍ତୁ ।

Leave A Reply