Odisha news

ରାଜନୀତିରେ ବିରଳ ବ୍ୟକ୍ତିତ୍ୱ : ୰ସୁଧାକର ପତ୍ରୀ

0

(ଇଂ. ବିଦ୍ୟାଧର ପଣ୍ଡା, ସର୍ପେଶ୍ୱର ସେବା ଟ୍ରଷ୍ଟ, ବଉଳପଦା, ଆଠଗଡ, କଟକ) : ମରଣଶୀଳ ସଂସାରରେ ପ୍ରତିଦିନ କିଛିଲୋକ ଜନ୍ମ ହୁଅନ୍ତି ଏବଂ ମରନ୍ତି । ଏବେ କରୋନାକାଳରେ ଜନ୍ମ ଖବର ଅପେକ୍ଷା ମୃତୁ୍ୟଖବର ବେଶୀ ଶୁଣିବାକୁ ମିଳୁଛି । ବିଶ୍ୱରେ ଗତତିନିମାସ ଭିତରେ ଛଅଲକ୍ଷଲୋକ କରୋନା ଭୂତାଣୁ ଆକ୍ରାନ୍ତରେ ମୃତୁ୍ୟବରଣ କଲେଣି । ତେଣୁ ମଣିଷର ଏହି ମୃତୁ୍ୟଜନିତ ଦୁଃଖ ଦେହସୁହା ହୋଇଗଲାଣି । ଯେଉଁଦିନ ସକାଳୁ ଖବର ମିଳୁଛି ଆଜି ବିଶ୍ୱରେ ହଜାରେ ମରିଛନ୍ତି, ସେଦିନ ଖୁସି ହେଉଛେ । କାରଣ ବିଗତ ଦିନ ମାନଙ୍କର ଅଭିଜ୍ଞତାରୁ ମନଭିତରେ ଗଣ୍ଠି ପଡିଛି ଯେ ଦଶହଜାର ଉପରେ ଆଜି ନିଶ୍ଚିତ ମରିବେ ହିଁ ମରିବେ । ତଥାପି ଏଇ ତଥାକଥିତ ଯୁଗ ସଂକ୍ରମଣ ସମୟରେ ଏମିତି କିଛିଲୋକଙ୍କର ମୃତୁ୍ୟ ହେଉଛି ଯାହାକି ଗୋଟିଏଗୋଟିଏ ସମାଜକୁ ଅସ୍ତବ୍ୟସ୍ତ କରିପକାଉଛି ।

ଗତ ଜୁଲାଇ ୨୦ତାରିଖର କାଳରାତ୍ରିରେ ଆଠଗଡ ଅଂଚଳର ନଦୀକୂଳ ଦୁଃଖୀଦରିଦ୍ରଙ୍କ ମସିହା ସୁଧାକର ପତ୍ରୀଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହେବାରୁ ଆତ୍ମୀୟ ସ୍ୱଜନ ଘରୁ କିମ୍ସ ହଷ୍ପିଟାଲ୍କୁ ସ୍ଥାନାନ୍ତରିତ କରି ଆଇସିୟୁରେ ରଖି ଚିକିତ୍ସ୍ୟା ଆରମ୍ଭକଲେ । ସେ ଦୁଇଥର ସରଂପଚ ଏବଂ ତିନିଥର ସମିତି ସଭ୍ୟ ଜିତି ସମାଜପାଇଁ ଅନେକ ଜନମଙ୍ଗଳକାରୀ କାମ କରିଛନ୍ତି । ସାପୁଆ ନଦୀରେ ପୋଲଟିଏ ତାଙ୍କରି ପ୍ରଚେଷ୍ଟାରେ ୰ଜାନକୀବାବୁ ଗଢିଦେଇ ଅଂଚଳବାସୀଙ୍କ ବହୁ ଉପକାର କରିଛନ୍ତି । ସବୁଠାରୁ ବଡକଥା ହେଲା ସେ ତାଙ୍କର ଦୀର୍ଘ ତିରିଶବର୍ଷର ରାଜନୀତି କାଳରେ ସାହାଯ୍ୟବଦଳରେ କାହାଠାରୁ କିଛି ଆଶାକରିବା କେହି ଶୁଣିନି । ସେଥିପାଇଁ ସେ ଏବେବି ସମସ୍ତଙ୍କ ହୃଦୟରେ ଅଛନ୍ତି ଏବଂ ଚିରଦିନ ପାଇଁ ରହିବେ ମଧ୍ୟ । ଡାକ୍ତରଖାନା ଆଇସିୟୁରେ ମାତ୍ର ଗୋଟିଏଦିନର ଚିକିତ୍ସ୍ୟା । ଜୁଲାଇ ୨୧ତାରିଖ ରାତ୍ର ୮ଟାରେ ତାଙ୍କର ଈହଧାମ ତ୍ୟାଗ କରିଥିବା କଥା ଡାକ୍ତରମାନେ ଘୋଷଣା କଲେ । ଏ ଖବର ବନାଗ୍ନୀ ପରି କଟକ ସିଡିଏ ଏବଂ ନଦୀକୂଳ ଅଂଚଳରେ ଖେଳିଗଲା । ସମସ୍ତେ ସ୍ତମ୍ବିଭୂତ ହୋଇ ପତ୍ରୀଙ୍କର ବିୟୋଗରେ ନାନାଜାଗାରେ ଶୋକସଭା କରି ଅମରଆତ୍ମାର ସଦ୍ଗତି କାମନା କଲେ ସିନା କିନ୍ତୁ ଏପର୍ଯ୍ୟନ୍ତ ଲୋକଙ୍କୁ ଲାଗୁଛି ତାଙ୍କର ପ୍ରିୟ ସୁଧାନା ପୁଣି ଦିନେ ଛକକୁ ଆସି ବସିବ ।

ବାଉଁସଦଣ୍ଡା ଛକ ଛୋଟାଦୋକାନରେ ବସି ଚା ଯାଚିବ । ସରକାରୀ ଅଫିସରେ କାହାର କେତେ କାମ ସବୁ ବାକି ଅଛି । ନିଜ ମୋଟରସାଇକେଲ୍ ପଛରେ ବସେଇ ନିଜ ହାତରୁ ଖର୍ଚ୍ଚପତ୍ର କରି ଲୋକଙ୍କ କାମସାରି ତା’ଙ୍କୁ ଆଣି ଘରେ ଛାଡିବ । ବାସ୍ତବରେ ଏହା ଆଉ ଆଦୌ ସମ୍ଭବ ନୁହେଁ, ତଥାପି କିଛି ଗାଉଁଲି ସରଳଲୋକଙ୍କ ମନରେ ସିଏ ଏବେ ବି ଜୀବୀତ ।

୬୨ବର୍ଷ ତଳେ ୧୬-୦୧-୧୯୫୮ ତାରିଖରେ ଆଠଗଡ ଧୁରୁକୁଡିଆ ଗ୍ରାମରେ ସୁଧାକର ପତ୍ରୀଙ୍କର ଜନ୍ମ । ପିତା ୰ମଙ୍ଗୁଳୀ ପତ୍ରୀ ଏବଂ ମାତା ପ୍ରେମଲତା ବେୱାଙ୍କର ସୁଧାକର ଥିଲେ ମଧ୍ୟମ ସନ୍ତାନ । ସୁଧାକରଙ୍କ ଉପରେ ବଡଭାଇ ପ୍ରଭାକର ଏବଂ ତଳେ ସାନଭଉଣୀ ପ୍ରତିମା । ଏବେ ସୁଧାକର ମାଆଙ୍କର ଶରୀର ସମ୍ପୂର୍ଣ୍ଣ ସୁସ୍ଥ । ବୟସ ପଂଚାଶୀ ଛୟାଶୀ, ତଥାପି ନିଜକାମ ନିଜେ କରିବା ସହ ରୋଷେଇବାସ ବି କରି ପାରୁଛନ୍ତି । ତାଙ୍କର ସବୁଠାରୁ ଗେହ୍ଲାପୁଅ ଥିଲେ ସୁଧା, ଯାହାର ବିୟୋଗରେ ମାବୁଢୀ ଏବେ ଟିକେଭାଙ୍ଗି ପଡିଛନ୍ତି । ମାଆ ଆଗରେ ପୁଅର ମୃତୁ୍ୟହେଲେ ଧୈଯ୍ୟଧରି ରହିବା କ’ଣ ସହଜ କଥା! ତାଙ୍କର ଶବସତ୍କାର ସମୟରେ ଅନେକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଠଗଡର ସ୍ଥାନୀୟ ବିଧାୟକ ଏବଂ ଓଡିଶା ସରକାରଙ୍କ ଖାଉଟି ଓ ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରିଥିଲେ । କୋଭିଡ୍-୧୯ ପାଇଁ ପୋଲିସ କଟକଣା ଏବଂ ମାଡଡରରେ ସେଦିନ ଅବିଭକ୍ତ ମେଘା ପଂଚାୟତର ଗ୍ରାମବାସୀମାନେ ବହୁତ କମ୍ସଂଖ୍ୟାରେ ଶ୍ମଶାନଘାଟରେ ଯୋଗଦେଲେ, ନହେଲେ ସେ ଆଖଣ୍ଡଳମଣି ମନ୍ଦିର ପରିସର ଜନସମୁଦ୍ରରେ ଉଛୁଳି ପଡିଥାନ୍ତା । ମେଘାଠାରୁ ବନ୍ଧହଟା ଯାଏଁ ଆବାଳବୃଦ୍ଧ ବନିତା ସମସ୍ତଙ୍କର ପ୍ରିୟ ସୁଧାକରଙ୍କ ଶେଷଦର୍ଶନ ପାଇଁ ସେଠାକୁ ଆସିବାକୁ ସମସ୍ତଙ୍କର ମନରେ ଇଚ୍ଛା ଥିଲା । କିନ୍ତୁ ନିରୁପାୟ ହୋଇ ବାଧ୍ୟ ବାଧକତାରେ ସମସ୍ତେ ଘରେ ରହି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଅଶ୍ରୁ ତର୍ପଣ ପୂର୍ବକ ପ୍ରାର୍ଥନା କଲେ ।

୰ସୁଧାକର ପତ୍ରୀଙ୍କର ରାଜନୈତିକ ଜୀବନର ଅୟଂ ଆରମ୍ଭ ହେଲା ଆଠଗଡ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ଜୀବନରୁ । ୧୯୭୭-୭୮ ମସିହାରେ ସେ ଛାତ୍ର ସଂସଦର ସଭାପତି ପଦପାଇଁ ଜୀବନର ପ୍ରଥମ ନିର୍ବାଚନ ଲଢେଇରେ ଜିତି ସେ ଦାୟିତ୍ୱ ସୁଚାରୂପେ ନିର୍ବାହକଲେ । ସେତେବେଳେ ତାଙ୍କ କକା ୰ମୁରଲୀଧର ପତ୍ରୀ ସରପଂଚ ହେଉଥାନ୍ତି । ପୁତୁରାକୁ ପଂଚାୟତ ରାଜନୀତିରେ ସୁଯୋଗ ମିଳୁନଥାଏ । ଆଠଗଡ ରାଜନୀତିରେ ୰ଜାନକୀ ବଲ୍ଲଭ ପଟ୍ଟନାୟକ ପଦାର୍ପଣ କଲାପରେ ନଦୀକୂଳ ଅଂଚଳରେ ତ୍ରିମୂର୍ତ୍ତି ନେତା ବାହାରିଲେ । ମଂଚେଶ୍ୱର କିରଣ ଖଟୁଆ, କଖଡିର ସୁନିଲ୍ ସୁତାର ଏବଂ ମେଘାର ସୁଧାକର ପତ୍ରୀ । ଜାନକୀବାବୁଙ୍କର ସବୁଠାରୁ ପ୍ରିୟ ଥିଲେ ସୁଧାକର । ତେଣୁ ସିଏ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ମାତ୍ର ଥରେ କେବଳ ତାଙ୍କ କକାଙ୍କୁ ସୁଯୋଗ ଦେଇ ଦ୍ୱିତୀୟଥରକୁ ପୁତୁରା ସୁଧାକର ପତ୍ରୀଙ୍କୁ ସର୍ବସମ୍ମତିକ୍ରମେ ବିନା ନିର୍ବାଚନରେ ଅବିଭକ୍ତ ମେଘା ପଂଚାୟତର ସରଂପଚ ଦାୟିତ୍ୱ ମିଳିଲା ଯାହାକି ଏକ ବିରଳ ଇତିହାସ । ସିଏ କେବଳ ଜଣେ ରାଜନେତା ଥିଲେ ତା ନୁହେଁ ପଂଚାୟତ ଫୁଟ୍ବଲ୍ ଟିମ୍ରେ ଫରୱାଡ୍ ଖେଳିବା ସହ ଅଧିନାୟକ ଏବଂ ଭଲିବଲ୍ ଟିମି୍ରେ ଫ୍ରଂଟ୍ମିଡିଲ୍ ହିଟର୍ ରୂପେ ଖେଳି ଅଗଣିତ ଜନମାନସଙ୍କର ହୃଦୟ ଜିତୁଥିଲେ । ୧୯୮୦ରୁ ୧୯୮୯ ଏବଂ ପରେ ୧୯୯୫ରୁ ୧୯୯୯ ୰ଜାନକୀବାବୁ ଓଡିଶାକୁ ୧୩ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରିଛନ୍ତି । ସେତେବେଳେ ସୁଧାନାଙ୍କ କଥାରେ କଥା । ସୁଧାକର ପତ୍ରୀଙ୍କର ସଚ୍ଚୋଟତା ଏବଂ କର୍ମନିଷ୍ଠତା ପ୍ରତି ଆକୃଷ୍ଟ ହୋଇ ମାଡାମ୍ ଜୟନ୍ତୀ ପଟ୍ଟନାୟକ ତାଙ୍କୁ ପୁଅପରି ଦେଖୁଥିଲେ । ଦୀର୍ଘ କୋଡିଏ ବର୍ଷକାଳ ରାଜନୀତିରେ ଯେଉଁ ସୁଯୋଗ ସୁଧାକରବାବୁଙ୍କୁ ମିଳିଥିଲା ସିଏ ଚାହିଁଥିଲେ ବହୁତ କିଛି ତାଙ୍କ ନିଜପାଇଁ କରିପାରିଥାନ୍ତେ । କିନ୍ତୁ ସିଏ କେତେବେଳେ ନିଜ ସ୍ୱାର୍ଥକୁ ସାରଥି କରିନାହାନ୍ତି ।

ଆଜୀବନ ସିଏ ଫକଡରାମ ଗିରିଧାରୀ । ଆଖଣ୍ଡଳମଣି ବାବାଙ୍କ ଦର୍ଶନକରି ଫେରିବାବେଳେ ଚଣ୍ଡିଖୋଲ ପାଖରେ ଗାଡିଧକ୍କାରେ ପ୍ରଥମପତ୍ନୀଙ୍କର ମୃତୁ୍ୟ ହେବାର କିଛିଦିନ ପରେ ସିଏ ଦ୍ୱିତୀୟପତ୍ନୀଙ୍କର ପାଣିଗ୍ରହଣ କରି ସଂସାର କରିଥିଲେ । ପ୍ରଥମପତ୍ନୀଙ୍କର ଦୁଇପୁଅ ଏବଂ ଝିଅ ସମସ୍ତେ ବହୁତଭଲ ରୋଜଗାର କରି ସପରିବାରେ ଭଲରେ ଅଛନ୍ତି । ସବୁଠାରୁ ବଡ ଝିଅ, ଦିଲ୍ଲୀରେ ରୁହନ୍ତି । ଗୋଟେ ପୁଅ କର୍ଣ୍ଣାଟକର ବେଙ୍ଗଲୁରୁରେ ଏବଂ ଅନ୍ୟଟି ତେଲେଙ୍ଗାଣା ହାଇଦ୍ରାବାଦ ସହରରେ ରୁହନ୍ତି । ଦ୍ୱତୀୟ ପତ୍ନୀଙ୍କର ଏକମାତ୍ର ଝିଅ ଭୁବନେଶ୍ୱର ପଟିଆରେ ବିବାହିତ ଏବଂ ଭଲରେ ଅଛି । ପରିବାରରେ ସମସ୍ତଙ୍କର ଆର୍ଥôକ ଅବସ୍ଥା ସ୍ୱଛଳ ଥିଲେ ମଧ୍ୟ ନିଜଖର୍ଚ୍ଚ ପାଇଁ କାହାପାଖରେ ହାତପତାଇ ମାଗିବାକୁ ବେଳେବେଳେ ସ୍ୱାଭିମାନ ତାଙ୍କୁ ବାରଣ କରୁଥିଲା । ରାଜନୀତିରେ ଏପରି ବିରଳ ବ୍ୟକ୍ତିତ୍ୱ ବହୁତ କମ୍ ଦେଖିବାକୁ ମିଳେ । ୰ସୁଧାକର ପତ୍ରୀଙ୍କର ନିଃସ୍ୱାର୍ଥପର ଜନସେବା ଏବଂ ସହଜ ସରଳ ବ୍ୟବହାର ପାଇଁ ସିଏ ଆମ ସମାଜରେ ଏକ ଆଦର୍ଶ ଦୃଷ୍ଟାନ୍ତ ମୂଳକ ରାଜନେତା ଭାବରେ ଚିର ଅମର ରହିବେ । ଭଗବାନ ତାଙ୍କର ଅମରଆତ୍ମାକୁ ସଦ୍ଗତି ପ୍ରାପ୍ତିସହ ଶାନ୍ତି ଦେବାରେ ସହାୟ ହୁଅନ୍ତୁ ବୋଲି ଆମ ସମସ୍ତଙ୍କର ବିନମ୍ର ପ୍ରାର୍ଥନା ।

Leave A Reply