ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଦେଶରେ ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ମଧ୍ୟ କମ୍ ନୁହେଁ । ଏବେ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ଅତିକ୍ରମ କରିଥିବା ବେଳେ ସେରୋଲୋଜିକାଲ ସର୍ଭେ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଯେତିକି ଉଦ୍ବେଗଜନକ, ସେତିକି ଚିନ୍ତାଜନକ ମଧ୍ୟ । ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀର ୧୧ଟି ଜିଲ୍ଲାରେ ୨୩.୪ ପ୍ରତିଶତ ଲୋକ କରୋନା ଭୂତାଣୁରେ ସଂକ୍ରମିତ । କିନ୍ତୁ ରୋଗପ୍ରତିରୋଧକ ଶକ୍ତି ଯୋଗୁଁ କରୋନା ସଂକ୍ରମଣ ଲକ୍ଷଣ ସେମାନଙ୍କ ଶରୀରରେ ଦୃଶ୍ୟମାନ ହୋଇନାହିଁ । ସେମାନେ ଆକ୍ରାନ୍ତ ହୋଇଥିଲେ ବି ଆପେ ସୁସ୍ଥ ହୋଇଛନ୍ତି । ସର୍ଭେ ରିପୋର୍ଟ ଅନୁଯାୟୀ, ଜାତୀୟ ରାଜଧାନୀର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ କରୋନା ଭୂତାଣୁ ସଂକ୍ରମିତ ।
କିନ୍ତୁ ଦିଲ୍ଲୀର ସ୍ଥିତି ଏବେ ଯାହା ରହିଛି , ତାହା ଅତ୍ୟନ୍ତ ଖୁସି ଦାୟକ । ଦିଲ୍ଲୀରେ ଆରୋଗ୍ୟ ହାର ଏବେ ୮୬ ପ୍ରତିଶତ ରହିଛି । ଅଥଚ ଦେଶରେ ଆରୋଗ୍ୟ ହାର ୬୩ ପ୍ରତିଶତ ରହିଛି । ଉଲ୍ଳେଖଯୋଗ୍ୟ ଯେ, ମାର୍ଚ୍ଚ ଶେଷ ଭାଗର ଜୁନ୍ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣର କାୟା ଏତେ ଅଧିକ ଥିଲା ଯେ, ଦିନକୁ ସଂକ୍ରମିତଙ୍କ ସଂଖ୍ୟା ୩୫୦୦ ଛୁଇଁଥିଲା । ଗତମାସରେ ଦିଲ୍ଲୀରେ ପଜିଟିଭ ହାର ୩୨ ପ୍ରତିଶତ ରହିଥିବା ବେଳେ ଏବେ ତାହା ୭ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଆରୋଗ୍ୟ ହାର ୮୬ ପ୍ରତିଶତକୁ ବୃଦ୍ଧି ପାଇବା ନିଶ୍ଚିତ ଭାବେ ସୁଖଦ ଖବର । ବିଶେଷଜ୍ଞମାନଙ୍କ ମତରେ ଦିଲ୍ଲୀରେ ସଂକ୍ରମଣ ଶିଖର ସମୟ ଅତିକ୍ରମ କରି ସାରିଥିବାରୁ ଆରୋଗ୍ୟ ହାର ବଢିବାରେ ଲାଗିଛି । ଏବେ ଆରୋଗ୍ୟ ହାର ବଢିବା ସହ ସଂକ୍ରମଣ ହାର ମଧ୍ୟ କମିବାରେ ଲାଗିଛି । ଯାହା କି ଆଶ୍ୱସ୍ତି ଆଣିଦେଇଛି ବୋଲି କୁହାଯାଇପାରେ । ତେବେ ସେରୋଲୋଜିକାଲ ସର୍ଭେର ତଥ୍ୟ ଆମ ପାଇଁ ଅତ୍ୟନ୍ତ ଶିକ୍ଷଣୀୟ ବୋଲି କୁହାଯାଇପାରେ ।
ପ୍ରଥମତଃ ସରକାରୀ ଭାବେ ପ୍ରତିଦିନ ସଂକ୍ରମଣ ନେଇ ଯେଉଁ ତଥ୍ୟ ଦିଆଯାଉଛି, ସେରୋଲୋଜିକାଲ ସର୍ଭେ ରିପୋର୍ଟରେ ସଂକ୍ରମଣ ସରକାରୀ ତଥ୍ୟ ଠାରୁ ବହୁ ଅଧିକ । ରୋଗର ସଂକ୍ରମଣ ଏବଂ ରୋଗର ସଂକ୍ରମଣ ସଂପର୍କୀୟ ଜ୍ଞାନ ଏକ ନକରାତ୍ମକ ତଥ୍ୟ ନୁହେଁ । ବ୍ୟକ୍ତି ରୋଗର ଆକ୍ରାନ୍ତ ହେବା ଓ ବିନା ଚିକିସôାରେ ସୁସ୍ଥ ହେବା ଜାଣିବା ଅଜ୍ଞାତ ରହିଛି । ଦେଶରେ ମୃତୁ୍ୟ ହାର ୨.୫ ପ୍ରତିଶତରେ ସୀମିତ ଥିବାବେଳେ ରୋଗପ୍ରତି ଲୋକଙ୍କର ଭୟ ମଧ୍ୟ ଶୀର୍ଷରେ ରହିଛି । କରୋନା ଆକ୍ରାନ୍ତଙ୍କ ପ୍ରତି ଲୋକଙ୍କର ହତାଦାର ଏହାର ପ୍ରମାଣ । କରୋନା ଆକ୍ରାନ୍ତଙ୍କ ମର ଶରୀରକୁ ସଂପର୍କୀୟ ନଛୁଇଁ ବା ଦାହ ନ ହୋଇ ପଡ଼ି ରହିବା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । କରୋନାକୁ ଘୃଣାକର କିନ୍ତୁ ରୋଗୀକୁ ନୁହେଁ, ଏ ଉପରେ ସରକାର ଓ ସ୍ୱେଚ୍ଛାସେବୀ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଅନ୍ୟପକ୍ଷରେ ଦେଶରେ ମଧ୍ୟ କରୋନା ସଂକ୍ରମଣ ଏବେ ଚିନ୍ତାଜନକ ସ୍ଥିତିରେ ରହିଛି । ଦିନକୁ ଦିନ ସଂକ୍ରମିତ ଓ ମୃତକ ସଂଖ୍ୟା ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ଉପରେ ରହିଥିବା ବେଳେ ମୃତକ ସଂଖ୍ୟା ୫୦୦ ଉପରେ ରହିଛି । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୬ ହଜାର ଅତିକ୍ରମ କରିଛି, ଯାହାକି ସରକାରୀ ରିପୋର୍ଟରେ କୁହାଯାଇଛି ।
ମାତ୍ର ଦିଲ୍ଲୀର ସିରୋ ସର୍ଭେ ୨୩%, ସଂକ୍ରମଣ ହାର କୁ ଯଦି ଦେଶ ପରିପ୍ରେକ୍ଷୀରେ ଆକଳନ କରାଯାଏ, ତେବେ ଦେଶର ମୋଟ ୧୩୫ କୋଟି ଲୋକଙ୍କ ମଧ୍ୟରୁ ହୁଏତ ୩୦ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇପାରନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ସୁସ୍ଥ ବି ହୋଇସାରିଥିବେ । ଦେଶରେ ଏବେ ୧୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି, ଯାହାକି ମୋଟ ଜନସଂଖ୍ୟାର ୧୧ ପ୍ରତିଶତ । ସେରୋଲୋଜିକାଲ ସର୍ଭେ ରିପୋର୍ଟକୁ ବିଚାରକୁ ନେଲେ, ହୁଏତ ଦେଶର ୧୧ ପ୍ରତିଶତ ହିସାବରେ ୧୩କୋଟି ଲୋକ ସଂକ୍ରମିତ ହୋଇଥାଇ ପାରନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆପେ ଆପେ ବିନା ଚିକିସôାରେ ସୁସ୍ଥ ହୋଇପାରନ୍ତି । କାରଣ ଅଧିକାଂଶ ସଂକ୍ରମଣ ଲକ୍ଷଣ ବିହୀନ ଥିବା ଏଭଳି ସମ୍ଭାବନା ସ୍ୱାଭାବିକ । ଏହା ସତ୍ୟଯେ, ନମୂନା ପରୀକ୍ଷା ଯେତେ ଅଧିକ ହେଉଛି, ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଜୁନ, ଜୁଲାଇ, ଅଗଷ୍ଟ ମଧ୍ୟରେ ଦେଶରେ ସଂକ୍ରମଣ ଶିଖର ଛୁଇଁବ ବୋଲି ଯେଉଁ ଆଶଙ୍କା କରାଯାଉଥିଲା, ଏବେ ତାହା ସତ୍ୟ ହେବାରେ ଲାଗିଛି । କରୋନା କେବେ ହଟିବ ତାହା କେହି ଆକଳନ କରିପାରି ନାହାଁନ୍ତି ବା ଭବିଷ୍ୟବାଣୀ କରିପାରିନାହାଁନ୍ତି । ଆମକୁ କରୋନା ସହ ଲଢେଇ ମଧ୍ୟରେ ବଂଚିବାକୁ ହେବ । ଏହା ହିଁ ଆମର ସଂକଳ୍ପ ହେଉ ।