ଯଦୁମଣି ପାଣିଗ୍ରାହୀ : ବିଶ୍ୱ ମହାମାରୀ କରୋନା କବଳରେ ଆଜି ସମଗ୍ର ବିଶ୍ୱ କବଳିତ । ଦିନକୁଦିନ ଏହି ମହାମାରୀ ତା’ର କାୟା ବିସ୍ତାର କରିଚାଲିଛି । ସଂକ୍ରମଣର ପ୍ରକୋପ ଯେମିତି ବୃଦ୍ଧି ପାଉଛି ମୃତାହତଙ୍କ ସଂଖ୍ୟା ବି ସେହି ଅନୁପାତରେ ବୃଦ୍ଧି ପାଇବାରେ ଲାଗିଛି । ସବୁଠି କେମିତି ଗୋଟେ ଭୟ ଓ ଆତଙ୍କର ବାତାବରଣ । ସାଧାରଣ ଲୋକଙ୍କର ଉଭୟ ଜୀବନ ଓ ଜୀବିକା ବହୁମାତ୍ରାରେ ପ୍ରଭାବିତ ହୋଇଛି । ଭାରତ ଭଳି ସ୍ୱଳ୍ପ ବିକଶିତ ଦେଶ ଓ ଓଡିଶା ଭଳି ଏକ ଆର୍ଥିକ ଅନଗ୍ରସରେ ରାଜ୍ୟରେ କରୋନାର ପ୍ରଭାବ ପ୍ରାୟ ସବୁ କ୍ଷେତ୍ରରେ ପ୍ରତିଫଳିତ ହୋଇଛି । ବିଶେଷକରି ଆମ ରାଜ୍ୟର ଶିକ୍ଷା ଉପରେ ଏହା ଗୁରୁତର ପ୍ରଭାବ ସୃଷ୍ଟି କରିଛି । ଓଡିଶାର ଶିକ୍ଷା ବ୍ୟବସ୍ଥାରେ କିଛି ନା କିଛି ଦୋଷ ତ୍ରୁଟି ସଦାସର୍ବଦା ପରିଲକ୍ଷିତ ହୋଇ ଆସିଥିବା ବେଳେ ଆଜିର ପରିସ୍ଥିତି ଏହାକୁ ଆହୁରି ସଙ୍ଗୀନ କରିଦେଇଛି ।
ଏ ରାଜ୍ୟର ପ୍ରାଥମିକ ଶିକ୍ଷା ଠାରୁ ପୁଣି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଯାଏଁ ଏକ ଅସଜଡା ଭିତ୍ତିଭୂମି ଉପରେ ଦଣ୍ଡାୟମାନ ହୋଇଥିବା ଯୋଗୁଁ ଏଭଳି ମହାବିତ୍ତିର ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି । ଆମ ରାଜ୍ୟରେ ଚଳିତ ବର୍ଷର ମାଟି୍ରକ ପରୀକ୍ଷା, ନବମ ଶ୍ରେଣୀର କିଛି ବିଷୟ ଓ ଯୁକ୍ତ ଦୁଇ ଶ୍ରେଣୀର କିଛି ବିଷୟ ର ପରୀକ୍ଷା ଅନୁଷ୍ଠିତ ହେବା ପରେ ପରେ ଗତ ମାର୍ଚ୍ଚ ୨୫ରୁ କରୋନା ଜନିତ ଲକଡାଉନ ଆରମ୍ଭ ହୋଇଥିଲା । ଯାହାଫଳରେ ୧ମରୁ ୮ମ ଶ୍ରେଣୀ ଯାଏଁ କୌଣସି ପରୀକ୍ଷା କରାଇବା ଆଉ ସମ୍ଭବପର ହୋଇ ନଥିଲା । ତେଣୁ ସରକାର ୧ମରୁ ୯ମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାଶ୍ କରାଇବାର ବ୍ୟବସ୍ଥା କରାଇଥିବା ବେଳେ ଯୁକ୍ତ ଦୁଇ ଶ୍ରେଣୀର ବାକିଥିବା କେତେକ ବିଷୟ ତଥା ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ପରୀକ୍ଷାକୁ ବାତିଲ କରି ଦେଇଛନ୍ତି । ଆଉ ଇତିମଧ୍ୟରେ ମାଟି୍ରକ ଖାତାର ମୂଲ୍ୟାୟନ ହୋଇସାରିଥିବା ବେଳେ କେବଳ ଏହାର ଫଳାଫଳ ପ୍ରକାଶ ପାଇବା ଅପେକ୍ଷାରେ ଅଛି ।
ଏବେବି ଲକ୍ଡାଉନ ବଳବତ୍ତର ରହିଥିବା ବେଳେ ସରକାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଟିଉସନ ଓ କୋଚିଂ ସେଣ୍ଟରକୁ ଆଗମାୀ ଅଗଷ୍ଟ ଯାଏଁ ବନ୍ଦ ରଖିବାକୁ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଅଗଷ୍ଟ ମାସ ପରେ ଯେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ତାହା ବି ଏବେଠାରୁ କହିବା ମୁସ୍କିଲ । କାରଣ ବର୍ତ୍ତମାନ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଗୁଡିକରେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ମାନ ଖୋଲାଯାଇ ସେଥିରେ ଓଡିଶା ଫେରୁଥିବା ପ୍ରବାସୀଙ୍କୁ ରଖାଯାଉଛି । ଆଉ ଏବେବି ପ୍ରବାସୀଙ୍କ ଆଗମନ ଜାରି ରହିଥିବାରୁ ନିକଟ ଭବିଷ୍ୟତରେ ସ୍କୁଲ କଲେଜ ଗୁଡିକ ଏଥିରୁ ମୁକ୍ତ ହେବାର ସମ୍ଭାବନା ମଧ୍ୟ କ୍ଷୀଣ । ତେଣୁ ସ୍କୁଲ କଲେଜ ଖୋଲିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି ।
ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ବାର୍ଷିକ ବହୁ ଅର୍ଥ ବ୍ୟୟ କରିଥାନ୍ତି । ପ୍ରାଥମିକ ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ଭୋଜନ ସାଙ୍ଗକୁ ମାଗଣାରେ ପାଠ୍ୟପୁସ୍ତକ, ପୋଷାକ, ଜୋତା ଓ ମଉଜା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ସେହିପରି ନବମ ଶ୍ରେଣୀର ପିଲାଙ୍କ ଲାଗି ସାଇକେଲ ପ୍ରଦାନର ବ୍ୟବସ୍ଥା କରିଛନ୍ତି ।
ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ଲାଗି ବାଧ୍ୟତା ମୂଳକ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି । ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରାଇବା ଲାଗି ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଘରୋଇ ବିଦ୍ୟାଳୟ ଗୁଡିକର ଅନୁକରଣରେ ଉଭୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ ପିଲାଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଇଛନ୍ତି । ବିଦ୍ୟାଳୟ ଗୃହର ନବୀକରଣ ସାଙ୍ଗକୁ ଏହାର ପରିବେଶକୁ ସବୁଜ ସୁନ୍ଦର କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଏସବୁ ସତ୍ତ୍ୱେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ଫେରାଇ ଘରୋଇ ସ୍କୁଲ ପ୍ରତି ଆକୃଷ୍ଟ ହେଉଛନ୍ତି । ପ୍ରତିବର୍ଷ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଯେତେ ଛାତ୍ରଛାତ୍ରୀ ନାମ ଲେଖାଇଥାନ୍ତି ମାଧ୍ୟମିକ ଶ୍ରେଣୀ ବେଳକୁ ସେତିକି ପିଲା ନଥାନ୍ତି ଅର୍ଥାତ ଅଧାରୁ ପାଠ ଛାଡି ଦିଅନ୍ତି । ଦିନକୁଦିନ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ କମିବାରେ ଲାଗିଛନ୍ତି ।
ଫଳରେ ଇତି ମଧ୍ୟରେ ଆମ ରାଜ୍ୟରେ ଅନେକ ବିଦ୍ୟାଳୟ ବନ୍ଦ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାମାନେ ଓଡିଆ ଓ ଇଂରାଜୀ ବର୍ଣ୍ଣମାଳା, ସଂଖ୍ୟା ଗଣନା ଓ ପଣିକିଆ ଭଲ ଭାବେ ଜାଣିନାହାନ୍ତି । କେବଳ ସେତିକି ନୁହେଁ ମାଧ୍ୟମିକ ଶ୍ରେଣୀ ଅର୍ଥାତ୍ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଅତି ସାଧାରଣ କଥାଗୁଡିଏ ବି ଜାଣି ନାହାନ୍ତି । ଯେଉଁଥିପାଇଁ ସରକାର ସ୍କୁଲ ଗୁଡିକରେ ଉଜ୍ଜ୍ୱଳ, ଉକ୍ରର୍ଷ ଓ ଉତ୍ଥାନ ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସେମାନଙ୍କ ପୂର୍ବ ଶ୍ରେଣୀର ପାଠକୁ ପୁଣିଥରେ ମନେ ପକାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରତିବର୍ଷ ଏ ରାଜ୍ୟର ଲକ୍ଷାଧିକ ମାଟ୍ରିକ ଛାତ୍ରଛାତ୍ରୀ ଅକୃତକାର୍ଯ୍ୟ ହେଉଛନ୍ତି । ଗତ ବର୍ଷ ଏ ରାଜ୍ୟର ୮୦ଟି ହାଇସ୍କୁଲରେ କେହି ଜଣେ ହେଲେ ବି ଛାତ୍ରଛାତ୍ରୀ ମାଟ୍ରିକ ପାଶ୍ କରିବାକୁ ସମର୍ଥ ହୋଇପାରି ନାହାନ୍ତି ।
ରାଜ୍ୟର ସ୍କୁଲ ଗୁଡିକରେ ଏଭଳି ଅବ୍ୟବସ୍ଥା ଏକ ଚିରାଚରିତ ଧାରା ଦେଇ ଗତି କରୁଥିବା ବେଳେ କରୋନା ଲାଗି ସରକାର ଛାତ୍ରଛାତ୍ରୀଙ୍କ ଲାଗି ଅନଲାଇନ ଶିକ୍ଷା ପ୍ରଦାନର ଯେଉଁ ବ୍ୟବସ୍ଥା କରିଛନ୍ତି ତାହା କେତେଦୂର ଫଳପ୍ରଦ ସାବ୍ୟସ୍ତ ହେବ ତାହା ସମସ୍ତେ ଜାଣନ୍ତି । ତା’ଛଡା ଏ ରାଜ୍ୟର ମୁଷ୍ଟିମେୟ ଛାତ୍ରଛାତ୍ରୀ ଏହା ଦ୍ୱାରା କିଛି ମାତ୍ରାରେ ଉପକୃତ ହୋଇପାରନ୍ତି ସତ ହେଲେ ବିଭିନ୍ନ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଉପରେ ଅନଲାଇନ ଶିକ୍ଷାର ପ୍ରଭାବ ସାମାନ୍ୟ ବି ପଡିବାର ସମ୍ଭାବନା ନାହିଁ ।
ପ୍ରତିବର୍ଷ ଏପ୍ରିଲରେ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ସରକାର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦେବାରେ ବିଫଳ ହୋଇଥାନ୍ତି । ଫଳରେ ଶିକ୍ଷା ବର୍ଷ ଅଧାଯାଏଁ ବି ଛାତ୍ରଛାତ୍ରୀଙ୍କ ପାଖରେ ଅଧା ବିଷୟର ପାଠ୍ୟପୁସ୍ତକ ନଥାଏ । ସ୍କୁଲ ଓ କଲେଜ ଗୁଡିକରେ ଖାଲି ପଡିଥିବା ଶିକ୍ଷକ-ଅଧ୍ୟାପକ ପଦବୀ ପୂରଣ କରିବାକୁ ସରକାର ଅସମର୍ଥ ହେଉଥିବା ଯୋଗୁଁ ଶିକ୍ଷାଦାନ ନେଇ ସର୍ବଦା ସମସ୍ୟା ସୃଷ୍ଟି ହୋଇଥାଏ । ବିଶେଷକରି ନିର୍ଦ୍ଦିଷ୍ଟ ବିଷୟରେ ନିର୍ଦ୍ଦିଷ୍ଟ ଶିକ୍ଷକ ନଥିବାରୁ ସେହି କାର୍ଯ୍ୟ ଅନ୍ୟ ଜଣେ ଶିକ୍ଷକଙ୍କ ଦ୍ୱାରା ସଂପନ୍ନ ହୋଇଥାଏ । ତେଣୁ ଏଥିପ୍ରତି ଛାତ୍ରଛାତ୍ରୀଙ୍କ ଅନାଗ୍ରହ ଭାବ ଆସିବା ସ୍ୱାଭାବିକ କଥା ।
ସେହିପରି ପରୀକ୍ଷା ପରିଚାଳନାରେ ବି ଶିକ୍ଷା ବିଭାଗ ଅନେକ ସମୟରେ ବିଫଳ ହେଉଥିବା ପରିଲକ୍ଷିତ ହେଉଛି । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଶ୍ରେଣୀ ପରୀକ୍ଷାକୁ ସଫଳତାର ସହ ସଂପନ୍ନ କରାଇବାକୁ ବିଭାଗ ଅକ୍ଷମ ହେଉଥିବା ବେଳେ ମାଟ୍ରିକ, ଯୁକ୍ତ ଦୁଇ ଓ ଅନ୍ୟାନ୍ୟ ଶ୍ରେଣୀର ଫାଇନାଲ ପରୀକ୍ଷାରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ସଙ୍କଟକୁ ମୁକାବିଲା କରିବାରେ କେମିତି ଯେ ସକ୍ଷମ ହେଉଥିବ ତାହା ବିଚାର ସାପେକ୍ଷ । ସରକାରଙ୍କ ଦୂରଦୃଷ୍ଟିର ଅଭାବ ହେଉ ଅଥବା ବିଭାଗୀୟ ଅଧିକାରୀଙ୍କ ଅପାରଗତା କାରଣରୁ ହେଉ ପ୍ରତିବର୍ଷ ଏ ରାଜ୍ୟର ଛାତ୍ରଛାତ୍ରୀ କୌଣସି ଦୋଷ ନ କରି ବି ଏଥି ଲାଗି ଦଣ୍ଡ ଭୋଗ କରିଥାନ୍ତି ।
ଆଜି କରୋନା ଜନିତ ପରିସ୍ଥିତି ସମଗ୍ର ଦେଶର ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥିବା ବେଳେ ଦୁର୍ବଳ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ବିଭିନ୍ନ ରାଜ୍ୟ ସମେତ ଓଡିଶାର ଶିକ୍ଷା ବ୍ୟବସ୍ଥା ଏହା ଦ୍ୱାରା ବହୁମାତ୍ରାରେ ଯେ କ୍ଷତିଗ୍ରସ୍ତ ହେବ ଏହା ନିଃସନେ୍ଦହ । ବିଶେଷଭାବେ ଏ ରାଜ୍ୟର ଗ୍ରାମାଞ୍ଚଳରେ ରହୁଥିବା ଓ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯେଉଁମାନେ ଏବେ କରୋନା ସହିତ ସେମାନଙ୍କ ଜୀବନ ଜୀବିକାକୁ ନେଇ ଅହରହ ଲଢେଇ ଜାରି ରଖିଛନ୍ତି ସେମାନଙ୍କ ଭବିଷ୍ୟତ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟ ଭବିଷ୍ୟତରେ ଯଦି ଏ ରାଜ୍ୟର ସବୁ ବର୍ଗର ଛାତ୍ରଛାତ୍ରୀଙ୍କ ଉପକୃତ ହେବା ଭଳି କୌଣସି ସୁନିଶ୍ଚିତ ଉପାୟ ବାହାର କରା ନଯାଏ ତେବେ ପରିସ୍ଥିତି ସୁଧୁରିବା ବେଳକୁ ଏ ରାଜ୍ୟର ଶିକ୍ଷା ଯେ, ରସାତଳଗାମୀ ହୋଇ ସାରିଥିବ ଏଥିରେ ସନେ୍ଦହ ଅବକାଶ ନାହଁ ।