Odisha news

ପାଠର ବୋଝ

0

ସୌଭାଗ୍ୟ ରଂଜନ ମହାନ୍ତି(ରାଜା) : ଦେଶରେ ଥିବା ଶିକ୍ଷା ବୋର୍ଡଗୁଡିକୁ ଭାଙ୍ଗିଦେଇ ଗୋଟିଏ ଶିକ୍ଷା ବର୍ଷ ଅଧିନରେ ପରୀକ୍ଷା ପରିଚାଳନା ପାଇଁ ଦାୟର ପିଟିସନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୁପ୍ରିମ କୋର୍ଟ କହିଛନ୍ତି ଯେ, ପାଠ ବୋଝରେ ପିଲାଙ୍କ ପିଠି ଏବେ ଭାଙ୍ଗିଯାଇଛି । ଏହା ସତ୍ୟ ଯେ, ପିଲାଙ୍କ ଉପରେ ପାଠର ବୋଝ ଅର୍ଥାତ ବସ୍ତାନୀ ବୋଝ ଏବେ ଦିନକୁ ଦିନ ବଢି ଚାଲିଛି । ପିଲାଙ୍କ ଉପରୁ ପାଠର ବୋଝ ହାଲୁକା କରିବା ପାଇଁ ସରକାର ନିଷ୍ପତି ଗ୍ରହଣ କରିଥିଲେ ମଧ୍ୟ ବାସ୍ତବରେ କେବଳ ସରକାରୀ ସ୍କୁଲରେ କାର୍ଯ୍ୟକାରୀତା ସୀମିତ ରହିଛି । ଘରୋଇ ସ୍କୁଲ ଗୁଡିକରେ ପାଠର ବୋଝ କମିବା ପରିବର୍ତେ ଦିନକୁ ଦିନ ବଢିବାରେ ଲାଗିଛି । କହିବା ବାହୁଲ୍ୟ ଯେ, ଏବେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସମେତ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଦଶମ ଓ ଦ୍ୱାଦଶ ଶିକ୍ଷା ବୋର୍ଡର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ଗୁରୁତର ବିଭ୍ରାଟ ସୃଷ୍ଟି ହୋଇଛି ।

ଯେଉଁଥିପାଇଁ କି ଫଳ ପ୍ରକାଶନରେ ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ, କରୋନା ଯୋଗୁଁ ପ୍ରାଥମିକ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏବେ ଦେଶରେ ଯେପରି କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି, ସେଥିରେ ଅଗଷ୍ଟ ପରେ ଯେ ସ୍କୁଲ ଖୋଲିବ ଅନୁମାନ କରାଯାଇନପାରେ । କରୋନା ଯୋଗୁଁ କେବଳ ପରୀକ୍ଷା ବାତିଲ ଓ ଫଳ ପ୍ରକାଶନରେ ବିଳମ୍ବ ଘଟିନାହିଁ, ୨୦୨୦-୨୧ ଶିକ୍ଷାବର୍ଷର ଏକ ତୃତୀୟାଂଶରୁ ଅଧିକ ସମୟ ବର୍ତମାନ ସୁଦ୍ଧା ନଷ୍ଟ ହୋଇ ସାରିଲାଣି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସିଲାବସରେ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଯାହାକି ଏକ ସ୍ୱାଗତଯୋଗ୍ୟ ଓ ସମୟୋଚିତ ପଦକ୍ଷେପ ବୋଲି କୁହାଯାଇପାରେ ।

ସାଂପ୍ରତିକି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନ କରେ । ସିଲାବସ ହ୍ରାସ ବା ପାଠ ବୋଝ ଉଭୟ ଛାତ୍ର ଓ ଶିକ୍ଷକଙ୍କୁ ଚାପମୁକ୍ତ କରିବାରେ ସହାୟକ ହେବ । କେବଳ ଏତିକି ନୁହେଁ, ୩୦ ପ୍ରତିଶତ ସିଲାବସ ହ୍ରାସ ଦ୍ୱାରା ଶିକ୍ଷାବର୍ଷର ଅବଶିଷ୍ଟ ଶିକ୍ଷାଦିବସରେ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ । ପାଠ୍ୟକ୍ରମ ଶେଷ କରିବାକୁ ଶିକ୍ଷକମାନେ ତରବରିଆ ହେବେ ନାହିଁ କି ଛାତ୍ରଛାତ୍ରୀମାନେ ଭାରାକ୍ରାନ୍ତ ହେବେ ନାହିଁ । ସ୍ୱଳ୍ପ ସିଲାବସ ଯୋଗୁଁ ପରୀକ୍ଷା ମଧ୍ୟ ଠିକ୍ ସମୟରେ ହୋଇପାରିବ । ସାଂପ୍ରତିକ ସମୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନେଇଥିବା ନିଷ୍ପତି ଯଥାର୍ଥ ବୋଲି ସ୍ୱୀକାର କରିବାକୁ ହେବ । ଓଡିଶା ସରକାର ସିଲାବସ ହ୍ରାସ ବର୍ତମାନ ସୁଦ୍ଧା ଘୋଷଣା କରି ନଥିଲେ ମଧ୍ୟ ୩୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ସିଲାବସ ହ୍ରାସ କରିବା ନେଇ ସୂଚନା ମିଳିଛି । ଏବେ ଅନଲାଇନରେ ଶିକ୍ଷା ଦାନ ଆରମ୍ଭ ହୋଇଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇ ପାରୁନାହାଁନ୍ତି । ଇଂଟରନେଟ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟାର ସୁବିଧା ଥିବା ସହରାଚଂଳର ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇଥିବା ବେଳେ ଗ୍ରାମାଚଂଳ, ଦୁର୍ଗମ୍ୟ ଅଂଚଳର ବିଦ୍ୟାର୍ଥୀ ଏଥିରୁ ବଂଚିତ ହୋଇଛନ୍ତି । ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କେବଳ ଉଚ୍ଚତର ଶିକ୍ଷା ନୁହେଁ, ପ୍ରାଥମିକ ଶିକ୍ଷା ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ୟୁନିସେଫÿ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଲକଡାଉନ ଯୋଗୁଁ ଦେଶରେ ପ୍ରାଥମିକ ଶ୍ରେଣୀରେ ପଢୁଥିବା ୨୪କୋଟି ୭୦ ଲକ୍ଷ ଏବଂ ଅଙ୍ଗନବାଡି ଯାଉଥିବା ୨କୋଟି ୮୦ ଲକ୍ଷରୁ ଉଦ୍ଧ୍ୱର୍ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ।

ଆହୁରି ମଧ୍ୟ ଦେଶରେ ଛାତ୍ରମାନଙ୍କ ତୁଳନା ଗ୍ରାମୀଣ ଛାତ୍ରୀମାନଙ୍କର ପାଠ ପଢା ବା ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଲକଡାଉନ ଅବଧି ମଧ୍ୟରେ ଇଂଟରନେଟ୍, ରେଡିଓ, ଟିଭି ଜରିଆରେ ଶିକ୍ଷାଦାନ ଜାରି ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପଦକ୍ଷେପ ନେଇଥିବା ବେଳେ ତାହା କେବଳ ସହରାଚଂଳରେ ସିମୀତ ରହିଛି ଏବଂ ମାତ୍ର ୨୪ ପ୍ରତିଶତ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇ ଥିବା ରିପୋର୍ଟରେ କୁହାଯାଇଛି । ଏହା ନିଶ୍ଚିତ ଯେ, ଏବେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ଯେଭଳି ଦିନକୁ ଦିନ ବଢିଚାଲିଛି, ସେଥିରେ ପିଲାମାନÿଙ୍କୁ ଅଭିଭାବକ ବିଦ୍ୟାଳୟ ବା ମହାବିଦ୍ୟାଳୟକୁ ଛାଡିବା ସମ୍ଭାବନାକୁ ଅଗ୍ରାହ୍ୟ କରି ହେଉନାହିଁ । ତେଣୁ ପିଲାମାନଙ୍କୁ କେବଳ ଗୁଣାତ୍ମକ ଶିକ୍ଷାଦାନ ଉପରେ ବିଶେଷଜ୍ଞମାନେ ଗୁରୁତ୍ ଦେବା ଆବଶ୍ୟକ । ଆମେ ପୁଣି ଥରେ ସିଲାବସ ହ୍ରାସକୁ ସ୍ୱାଗତ କରୁଛୁ ।

Nalco
Leave A Reply