Odisha news

ନୀଚ ଅମାନବୀୟ ଖେଳ

0

Editorial :ମାର୍ଚ୍ଚମାସ ଶେଷ ସପ୍ତାହର କଥା । ଦେଶରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଥିଲା । ବାହାରକୁ ବାହାରିବା ସଂପୂର୍ଣ୍ଣ ନିଷିଦ୍ଧ ହେଇଥିଲା । ହଠାତ୍ ଦେଖାଗଲା ଦିଲ୍ଲୀର ବସ୍ ଷ୍ଟାଣ୍ଡ ମାନଙ୍କରେ ଲକ୍ଷ ଲକ୍ଷ ଲୋକଙ୍କର ଭୀଡ଼ । ରାତ୍ରିର ଅନ୍ଧକାରରେ ଦିଲ୍ଲୀର ଡି.ଟି.ସି ବସ୍ ସବୁ ଲୋକଙ୍କୁ ଖୁନ୍ଦା ଖୁନ୍ଦି ଭାବେ ଭର୍ତ୍ତି କରି ବସ୍ ଷ୍ଟାଣ୍ଡମାନଙ୍କରେ ଛାଡ଼ି ଦେଇ ଆସୁଛି । ଚାହୁଁ ଚାହୁଁ ଲକ୍ଷ ଲକ୍ଷ ଲୋକେ ଆନନ୍ଦ ବିହାର ବସ୍ ଟର୍ମିନସ୍ ଓ ଆଇ. ଏସ୍. ବି. ଟି. ଇତ୍ୟାଦି ସ୍ଥାନମାନଙ୍କରେ ଜମା ହେଇଗଲେ । ଠେଲା ପେଲା ଟଣା ଓଟରା । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ – ଘରକୁ ଯିବା ପାଇଁ ବସ୍ କାହିଁ?
ଏହି ଲୋକମାନେ ବିଭିନ୍ନ ରାଜ୍ୟରୁ ଆସି ଦିଲ୍ଲୀରେ ରହି ଛୋଟ ଛୋଟ କାମ କରନ୍ତି । କେହି ଦିନ ମଜୁରିଆ ତ ଅନ୍ୟ କେହି କୌଣସି ଦୋକାନରେ କାମ କରେ । କେହି କନଷ୍ଟ୍ରକ୍ସନ୍ କାମରେ ମୂଲ ଲାଗେ । । ଲକ୍ ଡାଉନ୍ ହେବା ଦ୍ୱାରା ସବୁ କିଛି ବନ୍ଦ ହେଇଗଲା । ଯେଉଁମାନେ ଯେଉଁଠାରେ ଥିଲେ ତାଙ୍କୁ ସେହିଠାରେ ନିଜ ନିଜ ଘରେ ରହିବାକୁ ନିଦେ୍ର୍ଦଶ ମିଳିଲା । ଏହା ହିଁ କରୋନା ଭାଇରସ୍ ସହ ଲଢ଼ିବାର ଏକମାତ୍ର ଉପାୟ ଥିଲା । କେବଳ ଦିଲ୍ଲୀରେ ନୁହେଁ ଏହା ସାରା ଦେଶରେ ଲାଗୁ ହେଇଥିଲା । ତେବେ ଲକ୍ ଡାଉନ୍ ର ନିଷେଧ ନ ମାନି ହଠାତ୍ ଏତେ ସଂଖ୍ୟାରେ ଲୋକେ ବାହାରକୁ ବାହାରିଲେ କାହିଁକି? କେହି କିଛି ବୁଝି ପାରିଲେ ନାହିଁ । ଦେଶରେ ଏତେ ପ୍ରଦେଶ । ଅନ୍ୟ କେଉଁଠାରେ ଏପରି ପରିସ୍ଥିତି ହେଲା ନାହିଁ? କେବଳ ଦିଲ୍ଲୀରେ ଏପରି ହେଲା କାହିଁକି?
ଧୀରେ ଧୀରେ କଥା ବାହାରକୁ ଆସିଲା । ଏ ଖେଳ କିଏ କେତେବେଳେ ଓ କିପରି ଖେଳିଲା ତାହା ଜାଣିବା ପାଇଁ ମୂଳରୁ ଘଟଣା କ୍ରମ ଦେଖିବାକୁ ପଡ଼ିବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୦ ତାରିଖ ଦିନ ଭିଡିଓ କନ୍ଫରେନ୍ସ ଦ୍ୱାରା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ବିଷାଣୁ ବିଷୟରେ ବିଚାର ବିମର୍ଶ କଲେ । ୨୨ ତାରିଖ ଦିନ ଆଗେ ବାହାରି ପଡ଼ି କେଜରୀବାଲ୍ ସରକାର ୨୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍ ଡାଉନ ଘୋଷିତ କଲେ । ମେଟ୍ରୋ ସେବା ବନ୍ଦ ହେଲା । କେବଳ ଆକସ୍ମିକତା ପାଇଁ ମାତ୍ର ୨୫ ପ୍ରତିଶତ ଡି.ଟି.ସି. ବସ୍ ରାସ୍ତାରେ ଚାଲିଲେ । ୨୩ ତାରିଖ ରାତି ଆଠଟାରେ ପ୍ରଧାନ ମନ୍ତ୍ରୀ ଘୋଷଣା କଲେ ରାତି ବାରଟା ପରଠାରୁ ଅର୍ଥାତ୍ ୨୪ ମାର୍ଚ୍ଚଠାରୁ ଦେଶରେ ଆଗାମୀ ୨୧ ଦିନ ପାଇଁ ସଂପୂର୍ଣ୍ଣ ଲକ୍ ଡାଉନ୍ ହେବ । ଘୋଷଣାର ପନ୍ଦର ଘଣ୍ଟା ଯାଇନାହିଁ । ହଠାତ୍ କେଜରୀବାଲ୍ ପୁଣି ଗୋଟିଏ ଘୋଷଣା କଲେ । କହିଲେ ଏଥର ୨୫ ପ୍ରତିଶତ ନୁହେଁ ୫୦ ପ୍ରତିଶତ ଡି.ଟି.ସି. ବସ୍ ରାସ୍ତାରେ ଚାଲିବ । ଅବଶ୍ୟ ବସ୍ ଗୁଡ଼ିକ ଖାଲି ରହିବ । ଅର୍ଥାତ୍ ଏଥିରେ ଯାତ୍ରୀ ନ ଥିବେ । ନିଜ ନିଜ ନିର୍ଦ୍ଧାରିତ ଗନ୍ତବ୍ୟ ମାର୍ଗରେ ଏହି ଖାଲି ବସ୍ ଗୁୁଡ଼ିକ ଯେପରି ପୂର୍ବରୁ ଯାଉଥିଲେ ସେପରି ଚାଲିବେ ।
ତା ପରେ ଅତି ରହସ୍ୟ ଜନକ ଭାବେ ଶ୍ରମିକ ବସ୍ତିମାନଙ୍କରେ ପାଣି ଓ ବିଜୁଳି ସରବରାହ ବନ୍ଦ ହେଇଗଲା । ମାତ୍ର କିଛିମାସ ତଳେ ଯେଉଁମାନେ ମାଗଣା ବିଜୁଳି ଓ ପାଣି ଲୋଭରେ କେଜରୀବାଲ୍ ଙ୍କୁ ଭୋଟ୍ ଦେଇଥିଲେ ସେହିମାନଙ୍କ ଘରେ ପାଣି ଠୋପାଏ ନ ଥିଲା ବା ଚେନାଏ ବିଜୁଳି ଆଲୁଅ ନ ଥିଲା । ହଠାତ୍ ୨୫ ତାରିଖ ରାତିରେ ଶ୍ରମିକ ବସ୍ତିମାନଙ୍କରେ ମାଇକ୍ ଦ୍ୱାରା ଘୋଷଣା କରାଗଲା – ‘ଯେଉଁମାନେ ବିହାର ବା ଉତ୍ତର ପ୍ରଦେଶ ଯିବାକୁ ଚାହୁଁଛନ୍ତି ସେମାନେ ଦିଲ୍ଲୀ ସୀମାକୁ ଚାଲି ଯାଆନ୍ତୁ । ସେଠାରେ ବସ୍ ଠିଆ ହେଇଛି । ସେମାନଙ୍କୁ ଘରକୁ ନେଇ ଯିବ । ଡିଟିସି ବସ୍ ସବୁ ତାଙ୍କୁ ଦିଲ୍ଲୀ ସୀମାକୁ ନେଇଯିବା ପାଇଁ ଅପେକ୍ଷା କରିଛି ।’
ହଜାର ହଜାର ସଂଖ୍ୟାରେ ଲୋକେ ବାହାରି ପଡ଼ିଲେ । ସତକୁ ସତ ଡିଟିସି ବସ୍ ସବୁ ଠିଆ ହେଇଥିଲା । ଲୋକେ ଖୁନ୍ଦା ଖୁନ୍ଦି ହେଇ ବସ୍ ରେ ବସି ଦିଲ୍ଲୀ ସୀମାକୁ ଚାଲି ଗଲେ । ଧୀରେ ଧୀରେ ଦିଲ୍ଲୀ ସୀମାରେ ଥିବା ବସ୍ ଆଡ୍ଡା ଗୁଡ଼ିକରେ ଲକ୍ଷ ଲକ୍ଷ ଲୋକ ଜମା ହେଲେ । ଦେଶରେ ସଂପୂର୍ଣ୍ଣ ଲକ୍ ଡାଉନ୍ ଘୋଷିତ ହେଇଥାଏ । ଜଣେ ଲୋକ ଠାରୁ ଆଉ ଜଣେ ଲୋକ ଅତି କମ୍ ରେ ଗୋଟିଏ ମିଟର୍ ଦୂରତାରେ ଠିଆ ହେବା ନିୟମ । ସେହି ସମୟରେ ଦିଲ୍ଲୀର ବସ୍ ଆଡ୍ଡା ମାନଙ୍କରେ ଲକ୍ଷ ଲକ୍ଷ ଲୋକଙ୍କ ଭୀଡ଼, ଠେଲା ପେଲା । କେନ୍ଦ୍ର ସରକାରଙ୍କର ସବୁ ତପସ୍ୟା ଫସର ଫାଟି ଗଲା । ଗୋଟିଏ ମିଟର୍ ବହୁ ଦୂର କଥା । ଭୂଇଁ ଉପରେ ପାଦ ରଖିବା ପାଇଁ ଗୋଟିଏ ଇଞ୍ଚ ଜାଗା ରହିଲା ନାହିଁ । ଲକ୍ ଡାଉନ୍ ର ସବୁ ସିଦ୍ଧାନ୍ତ ବିଫଳ ହେଇସାରିଥିଲା ।
ତେବେ କଥା ଏତିକିରେ ସରିଲା ନାହିଁ । ବସ୍ ଆଡ୍ଡାମାନଙ୍କରେ ପହଞ୍ଚô ଲୋକେ କାବା ହେଲେ । ଗୋଟିଏ ହେଲେ ବସ୍ ଉତ୍ତର ପ୍ରଦେଶ ବା ବିହାର ଯିବା ପାଇଁ ନ ଥିଲା । ଲୋକେ ଧୀରେ ଧୀରେ ବୁଝିବାକୁ ପାଇଲେ ଯେ ଏହା ଏକ ଗଭୀର ଷଡ଼ଯନ୍ତ୍ର ତାଙ୍କୁ ଦିଲ୍ଲୀରୁ ବାହାର କରିଦେବା ପାଇଁ ।
ଭୋକ, ଓପାସ, ଅନିଦ୍ରା ଓ ବିଷାଦରେ ଛଟପଟ ହେଉଥିବା ଲୋକେ କ’ଣ କରିବେ ତାହା ବୁଝିପାରିଲେ ନାହିଁ । ପୁଣି ଦିଲ୍ଲୀରେ ନିଜ ଘରକୁ ଫେରିଯିବା ପାଇଁ ସାହସ ନ ଥିଲା ବା ସାଧନ ନ ଥିଲା । ଯାଇ ମଧ୍ୟ କ’ଣ କରିବେ ? ଘରେ ପାଣି ଠୋପାଏ ନାହିଁ କି ବିଜୁଳି ନାହିଁ । ଯେଉଁ ପ୍ରଶାସନ ତାଙ୍କୁ ଦିଲ୍ଲୀରୁ ବାହାର କରିଦେବା ପାଇଁ ଏତେ ବଡ଼ ଷଡ଼ଯନ୍ତ୍ର କରିଛି ସେ ଯେ ତାଙ୍କୁ ଘରେ ବସାଇ ଖାଇବାକୁ ଦେବ ତାହା ଆକାଶ କୁସୁମ । ଶେଷରେ ସେମାନେ ଯାହା କଲେ ତାହା କଳ୍ପନାର ବାହାରେ ଥିଲା । ସେମାନେ ନିଜ ପାଦରେ ଚାଲି ଚାଲି ଶହ ଶହ କିଲୋମଟର ପାର କରି ନିଜ ଗାଁରେ ପହଞ୍ଚôବା ପାଇଁ ବାହାରି ପଡ଼ିଲେ । କାହାରି ଘର ଦୁଇଶହ କିଲୋମିଟର ଦୂର ତ କାହାର ଚାରି ଶହ ବା ଛଅଶହ କିଲୋମଟର । ସମସ୍ତେ ଅଗତ୍ୟା ପାଦରେ ଚାଲି ଚାଲି ଯିବା ଆରମ୍ଭ କଲେ ।
ଗଣମାଧ୍ୟମରେ ଏହା ପ୍ରସାରିତ ହେଲା । ସେତେବେଳେ ଅନାଥର ନାଥ ପରି ଆବିର୍ଭୂତ ହେଲେ ଯୋଗୀ ଆଦିତ୍ୟନାଥ । କାଳବିଳମ୍ବ ନ କରି ସଙ୍ଗେ ସଙ୍ଗେ ବ୍ୟବସ୍ଥା କଲେ ଏକ ହଜାର ବସ୍ । ସେହି ବସ୍ ସବୁୁ ଖୋଜି ଖୋଜି ରାସ୍ତା ଘାଟରୁ ଯାତ୍ରୀମାନଙ୍କୁ ଉଦ୍ଧାର କଲେ ଓ ସେମାନଙ୍କୁ ନେଇ ଉତ୍ତର ପ୍ରଦେଶ ପହଞ୍ଚାଇଲେ । ସେଠାରୁ ସେମାନଙ୍କୁ ସିଧା ଘରକୁ ଯିବାପାଇଁ ଦିଆଗଲା ନାହିଁ କିନ୍ତୁ ବିଷାଣୁ ଦୂର କରିବା ପାଇଁ କ୍ୱାରାଣ୍ଟାଇନ୍ରେ ରଖାଗଲା । ନିର୍ଦ୍ଧାରିତ ସମୟ ଚାଲିଯିବା ପରେ ସେମାନଙ୍କୁ ତାଙ୍କ ନିଜ ନିଜ ଘରେ ପହଞ୍ଚାଇ ଦିଆଗଲା ।
ଏଣେ କେଜରୀବାଲ୍ ପ୍ରତିଦିନ ଟେଲିଭିଜନ୍ରେ ଗୋଟିଏ ପରେ ଗୋଟିଏ ବିଜ୍ଞାପନ ଦେଇ ଦେଶ ଦୁନିଆକୁ କହିଚାଲିଲେ ଦିଲ୍ଲୀରେ କିପରି ଗରିବମାନଙ୍କୁ ମାଗଣାରେ ଖାଇବାର ବ୍ୟବସ୍ଥା କରି ତାଙ୍କୁ ସୁଖସୁବିଧାରେ ରଖିବାର ବ୍ୟବସ୍ଥା କରାଯାଇଛି । କେଉଁଠାରେ ସେ ବ୍ୟବସ୍ଥା ହେଇଛି ତାହାର କିଛି ଠିକଣା ବା ଭିଡ଼ିଓ ଦିଆଗଲା ନାହିଁ । କିନ୍ତୁ ସେହି ବିଜ୍ଞାପନରେ ପ୍ରାୟ ପାଞ୍ଚଶହ କୋଟିରୁ ବେଶୀ ଟଙ୍କା ଖର୍ଚ୍ଚ ହେଇଗଲା । କିନ୍ତୁ ପ୍ରକୃତ ଗରିବଙ୍କୁ ଛିନ୍ ଛତର୍ କରି ଦିଲ୍ଲୀରୁ ବାହାର କରିଦିଆଯାଇଥିଲା ।
ବାତ୍ୟା ଓ ବନ୍ୟା ପରି ଦୈବୀ ଦୁର୍ବିପାକରେ ହଜାର ହଜାର ଲୋକ ମରିଯାଆନ୍ତି । ସେତେବେଳେ ଦୁଇପ୍ରକାର ଲୋକେ ବାହାରନ୍ତି । କିଛି ଲୋକ ବିପନ୍ନଙ୍କ ଜୀବନ ବଞ୍ଚାନ୍ତି ଓ ଖାଦ୍ୟ, ବସ୍ତ୍ର, ଔଷଧ ଇତ୍ୟାଦି ଯୋଗାନ୍ତି । କିନ୍ତୁ ସେହି ସମୟରେ ଆଉ କିଛି ଲୋକ ବାହାରି ପଡ଼ନ୍ତି ଯେଉଁମାନେ ମୃତଦେହ ମାନଙ୍କରୁ ଅଳଙ୍କାର, ଘଡ଼ି ଇତ୍ୟାଦି ସଂଗ୍ରହ କରିବାରେ ଲାଗି ପଡ଼ନ୍ତି ।
ସେହିପରି ଆମ ଦେଶରେ ଦୁଇପ୍ରକାର ନେତା ଅଛନ୍ତି । ଗୋଟିଏ ପ୍ରକାର ନେତାଙ୍କର ସଂପୂର୍ଣ୍ଣ ଜୀବନ କେବଳ ପ୍ରଜାହିତ ପାଇଁ ଉତ୍ସର୍ଗୀକୃତ । ପୁଣି ଏପରି ବି ନେତା ଅଛନ୍ତି ଯେଉଁମାନେ ମାନବ ଜାତିର ଚରମ ଦୁର୍ଦ୍ଦିନରେ ମଧ୍ୟ ତାଙ୍କ ସହ ନୀଚ ଅମାନବୀୟ ଖେଳ ଖେଳିଦେଇ ପାରନ୍ତି । କେବଳ ସେତିକି ନୁହେଁ ସେହି ଦୁର୍ଦିନରେ ମଧ୍ୟ ଦରିଦ୍ର ଜନତାର ଧନ ଖର୍ଚ୍ଚ କରି ନିଜ ପାଇଁ ନିଜପାଇଁ ଯଶ, ଖ୍ୟାତିର ବ୍ୟବସ୍ଥା ମଧ୍ୟ କରିପକାନ୍ତି ।

Har Ghar Tiranga

Leave A Reply