Odisha news

ଆଧ୍ୟାତ୍ମକି ବିଚାରରେ ପ୍ରାଣଘାତୀ କରୋନା

0

Editorial:ସାରା ବିଶ୍ୱ ଏବେ ଘାତକ କରୋନା ଭୂତାଣୁ ବିଭିଷିକାରେ ଥରହର । ଏହା ବିରୋଧରେ କିପରି ଜୋରଦାର ଲଢେଇ କରିହେବ ସେଥିଲାଗି ପ୍ରାୟତଃ ସବୁ ଦେଶର ସରକାର ନାନାଦି ଉପାୟ ପାଂଚିବାରେ ବ୍ୟସ୍ତ । ଖାଲି ସେତିକି ନୁହେଁ, ସାଧାରଣ ଜନତା ବି ଯଥାସମ୍ଭବ ନିଜକୁ ସଂଯମ ତଥା ନିୟନ୍ତ୍ରଣରେ ରଖିବାକୁ ଶ୍ରେୟ ମଣିଲେଣି । ପ୍ରକୃତିର ପ୍ରକୋପକୁ ଶାନ୍ତ କରିବା ଲାଗି ନିଜର ଉଛୃଙ୍ଖଳ ଜୀବନଶୈଳୀ ଓ ଯଥେଛାଚାର ବିଚାର ଉପରେ ଲଗାମ କଷିଲେଣି ଜନତା । ଏହି ପ୍ରାଣନାଶକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଭାରତର ଭୂମିକା ଓ ଯୋଗଦାନ ଯେ ବେଶ୍ ପ୍ରଶଂସନୀୟ ଏହା ବିନା ଦ୍ୱିଧାରେ କୁହାଯାଇପାରେ ।

ଖାଲି କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିପାରୁଥିବା ଡାକ୍ତରୀ ଉପକରଣଗୁଡିକୁ ଯେ ପୃଥିବୀର ଅନ୍ୟାନ୍ୟ କରୋନା ସଂକ୍ରମିତ ଓ ପ୍ରପୀଡିତ ଦେଶକୁ ଯୋଗାଇ ଦେଉଛି ତାହା ନୁହେଁ, ଏହି ସଂକ୍ରାମକ ରୋଗର କାୟା ବିସ୍ତାରକୁ ରୋକିବା ଭଳି ଅମୋଘ ଉପାୟମାନ ମଧ୍ୟ ବିଶ୍ୱ ଦରବାରରେ ଲୋକପ୍ରିୟ ତଥା ଜନ ହିତକର କରାଇପାରିଛି ଭାରତ ।

ଏ ପ୍ରସଙ୍ଗରେ କହିବା ନିଷ୍ପ୍ରୟୋଜନ ଯେ, ଜଣଙ୍କର ଅନ୍ୟଜଣଙ୍କ ପ୍ରତି ସମ୍ମାନ ଓ ସ୍ୱାଗତ ସୂଚକ ଶବ୍ଦ ‘ନମସ୍ତେ’ଠୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର, ଯୋଗ, ପ୍ରାଣାୟାମ, ଯମ,ନିୟମ, ପ୍ରତ୍ୟାହାର, ଧ୍ୟାନ, ଆଧ୍ୟାତ୍ମିକ ଜ୍ଞାନ, ରୀତିନୀତି, ପ୍ରଥା ଓ ପରମ୍ପରାକୁ ଭାରତ ସମଗ୍ର ମାନବଜାତି ପାଇଁ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ସୁରକ୍ଷାକବଚ ରୂପେ ସ୍ଥାପିତ କରିପାରିଛି । ଏତଦ୍ ବ୍ୟତୀତ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମରୁ ନିସ୍ତରିବା ପାଇଁ ବି ସଠିକ,ଠୋସ ଉପାୟ ରୂପେ ଏହାକୁ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛି । ତେବେ ଏ କଥା ଅବଶ୍ୟ ନିରାଟ ସତ ଯେ ମୁଷ୍ଟିମେୟ ଲୋକଙ୍କ ଅପରିଣାମଦର୍ଶୀ ବିଚାର ,ଅସାବଧାନତା ବା କଳୁଷିତ ମାନସିକତା କାରଣରୁ ଏହି କରୋନା ଭୂତାଣ ସଂକଟର ସାମନା କରିବାକୁ ପଡିଛି ସମଗ୍ର ବିଶ୍ୱକୁ । ମାତ୍ର ଆଂଚଳିତ ତଥା ବିଶ୍ୱ ସମସ୍ୟାର ମୁକାବିଲା ବା ସମାଧାନ କେବଳ ମନୁଷ୍ୟର ବୁଦ୍ଧିବିବେକ, ଶକ୍ତିସାମର୍ଥ୍ୟ ,ଉଚ୍ଚଜୀବନ ମୂଲ୍ୟବୋଧ, ଆଦର୍ଶ , ଯୋଗ ବିଦ୍ୟା ଏବଂ ଆଧ୍ୟାତ୍ମିକ ସଂସ୍କୃତି ଦର୍ଶନ, ଭାରତୀୟ ଦର୍ଶନ ଇତ୍ୟାଦିରେ ନିହିତ ।

ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏହି ଅନ୍ତର୍ନିହିତ ଜ୍ଞାନ,ଗୁଣ,ଶକ୍ତି ଓ ଆଦର୍ଶକୁ ଯଥୋଚିତ ଭାବେ ଚିହ୍ନିବା ,ବିକଶିତ କରିବାରେ ସଠିକ ମାର୍ଗ ପ୍ରଦାନର ଆବଶ୍ୟକତା ରହିଛି । ଜନସଂଖ୍ୟା ଦୃଷ୍ଟିରୁ ସମଗ୍ର ବିଶ୍ୱରେ ଦ୍ୱିତୀୟ ଜନବହୁଳ ଦେଶ ହୋଇଥିବା ସତ୍ତ୍ୱେ ସବୁଠୁ କମ ମାତ୍ରାରେ ଭୂତାଣୁ ସଂକ୍ରମିତ ଦେଶ ମଧ୍ୟରେ ଭାରତ ସାମିଲ ହୋଇଛି । ଆଗକୁ କରୋନାକୁ ହରାଇବା ଦୂରୁହ,ଦୁଷ୍କର କାର୍ଯ୍ୟର ଦାୟିତ୍ୱ ଭାରତକୁ ଯେ ସମ୍ଭାଳିବାକୁ ପଡିବ ଏବେଠୁ ତାହା ଜଳଜଳ ହୋଇ ଦିଶିଲାଣି ।

କାରଣ ଭାରତର ସମସ୍ତ ପ୍ରକାର ପାରମ୍ପରିକ ଓ ଆଧୁନୀକ ଉପଚାର ପଦ୍ଧତି ଓ ଔଷଧ ସମଗ୍ର ବିଶ୍ୱବାସୀଙ୍କ ପ୍ରଶଂସାଭାଜନ ହୋଇପାରିଛି । ଭାରତରେ ଉତ୍ପାଦିତ ଔଷଧକୁ ଆପଣାଇ ନେବାକୁ ସମଗ୍ର ବିଶ୍ୱର ଅନ୍ୟାନ୍ୟ ଶକ୍ତିଶାଳୀ ଦେଶଗୁଡିକ ପଶ୍ଚାତପଦ ହୋଇ ନାହାଁନ୍ତି । ସବୁଠାରୁ ବଡ କଥା ହେଲା, ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ, ସମ୍ପ୍ରଦାୟ ଓ ରାଷ୍ଟ୍ରରୁ ଉର୍ଦ୍ଧ୍ୱକୁ ଉଠି ମହାମାରୀ କରୋନାକୁ ମୂଳୋତ୍ପାଟନ କରିବା ଲାଗି ଦେଶ ଓ ବିଦେଶରେ ମାନବ ଏକତା, ସମ୍ବେଦନଶୀଳତା ଓ ବିଶ୍ୱ ଏକ ପରିବାରର ଆଧ୍ୟାତ୍ମିକ ଭାବନା ବିଶ୍ୱ ସ୍ତରରେ ପ୍ରାଥମିକତା ଲାଭ କରିଛି । ଯାହାକୁ ଆଚରଣରେ ପ୍ରତିଫଳିିତ କରି ଦେଖାଇ ପାରିଛନ୍ତି ଶତାଦ୍ଦୀ ଶତାଦ୍ଦୀ ଧରି ଆମର ମୁନୀଋଷି ଓ ଆଧ୍ୟାତ୍ମିକବାଦୀମାନେ ।

ଯଦିଓ ଏବେକା କରୋନା ସଂକ୍ରମଣ ପ୍ରତ୍ୟକ୍ଷ ରୂପେ ଭାରତ ପାଇଁ ଏକ ବିରାଟ ଆହ୍ୱାନ ତଥାପି ପରୋକ୍ଷରେ ଦେଖିଲେ ଏହା ମଧ୍ୟ ଆମପାଇଁ ଏକ ସୂବର୍ଣ୍ଣ ସୁଯୋଗ । ଏଥିପାଇଁ ବିଶ୍ୱ ଶାନ୍ତି, ସଦ୍‌ଭାବନା, ବିଶ୍ୱ ବନ୍ଧୁତ୍ୱ , ବସୁଧେବ କୁଟୁମ୍ବକମ୍ ଇତ୍ୟାଦି ଉଚ୍ଚ ମୂଲ୍ୟବୋଧ ସହିତ ଭାରତ ପୁରାତନ ଆଧ୍ୟାତ୍ମିକ ଜ୍ଞାନ,ରାଜଯୋଗ ଧ୍ୟାନ, ସୁସ୍ଥ ନିରାମୟ ଓ ସକାରାତ୍ମକ ଜୀବନ ପଦ୍ଧତି ଇତ୍ୟାଦିକୁ ସମଗ୍ର ଦେଶରେ ପୁନର୍ଜୀବିତ ଓ ସଂସ୍ଥାପିତ କରିବା ତଥା ଜଗତ କଲ୍ୟାଣ ପାଇଁ ସାରା ବିଶ୍ୱରେ ଏହାକୁ ବିକଶିତ କରିବାର ଆବଶ୍ୟକତା ରହିଛି ।
ଜ୍ଞାନ ଓ ଯୋଗଧ୍ୟାନର ବ୍ୟକ୍ତିଗତ ଏବଂ ସାମୂହିକ ଅଭ୍ୟାସ ଦ୍ୱାରା କେବଳ ଯେ ଆମମାନଙ୍କର ଅନ୍ତର୍ନିହିତ ମାନବୀୟ ମୂଲ୍ୟବୋଧ,ଅନୁଭବ,ସଦ୍‌ଭାବନା, ସମତା ସଂକ୍ରାନ୍ତ ବିଚାର ବା ଭାବନା ବିଶେଷ ଭାବେ ଶକ୍ତିଶାଳୀ ହୁଏ ଶକ୍ତି ତାହା ନୁହେଁ ,ବରଂ ଅଧ୍ୟାତ୍ମିକ ଜ୍ଞାନଯୋଗ ଯଜ୍ଞ ରୂପେ ଏହା ମନୁଷ୍ୟ ଅନ୍ତଃକରଣ ଓ ବାହ୍ୟ ଜଗତରେ ବ୍ୟାପ୍ତ ସୂକ୍ଷ୍ମ ଓ ସ୍ଥୂଳ ବିକାର ତଥା ବ୍ୟାଧୀର କୀଟାଣୁ,ଜୀବାଣୁକୁ ସମୂଳେ ନାଶ କରିବାର ପଥକୁ ପରିଷ୍କାର କରିଦିଏ । ମୋଟାମୋଟି ଭାବେ କହିବାକୁ ଗଲେ, ଏହାଦ୍ୱାରା ଜନ ଜୀବନ,ପ୍ରାଣୀ ଜଗତ ଏବଂ ପ୍ରକୃତି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ,ବ୍ୟବସ୍ଥିତ, ସନ୍ତୁଳିତ, ସମ ବିଚାରସମ୍ପର୍ଣ୍ଣ ଓ ସୁଖପ୍ରଦ ହୋଇଥାଏ ।

Leave A Reply