ଭୁବନେଶ୍ୱର, ୨।୧ : ୫-ଟି ସୂତ୍ରର ରୂପାୟନ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ- ଗେଜେଟ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ନୂଆବର୍ଷ ଅବସରରେ ରାଜ୍ୟ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ପୋର୍ଟାଲ୍ ଉନ୍ମୋଚନ ସଭାରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଇ-ଗେଜେଟ୍ ବ୍ୟବସ୍ଥାର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ସମସ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ଇ-ଗେଜେଟ୍ ଉତ୍ତମ ପ୍ରଶାସନ ପଥରେ ଏକ ମାଇଲ୍ଖୁଣ୍ଟ । ଏହା ଦ୍ୱାରା ଗେଜେଟ୍ ବିଜ୍ଞପ୍ତି ତ୍ୱରିତ ଓ ତ୍ରୁଟିମୁକ୍ତ ହେବ । ଏହା ଦ୍ୱାରା ଟ୍ରକ୍ ଟ୍ରକ୍ କାଗଜର ପରିବହନ ଆବଶ୍ୟକ ପଡ଼ିବ ନାହିଁ ଓ ପୁଦ୍ରଣ ଖର୍ଚ୍ଚ ମଧ୍ୟ କମ ହେବ । ଇ-ଗେଜେଟ ପୋର୍ଟାଲ୍ ବ୍ରବସ୍ଥା ବିଷୟରେ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ କହିଥିଲେ ଏଥିରେ ବିଭାଗ ଓ ବିଷୟ ୱାରୀ ଗେଜେଟ ଖୋଜିବାର ବ୍ୟବସ୍ଥା ରହିବ । ଗେଜେଟ ପାଇଁ କୌଣସି ବ୍ୟକ୍ତିଙ୍କୁ ଆଉ ସରକାରୀ ମୁଦ୍ରଣାଳୟ, କାର୍ଯ୍ୟାଳୟ ବା ଲୋକସେବା ଭବନ ଆସିବାକୁ ପଡ଼ିବ ନାହିଁ ।