Odisha news

କରୋନା ସାଙ୍ଗକୁ ବର୍ଷା ମାଡ,ଚିନ୍ତାରେ ମୁଗ ଚାଷୀ

0

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରେ କରୋନା ସାଙ୍ଗକୁ ବର୍ଷାମାଡ ଯୋଗୁଁ ଚାଷୀ ମାନଙ୍କୁ ଭାରି କ୍ଷତି ସହିବାକୁ ପଡିଛି । ବିଶେଷ କରି ବ୍ଲକର ଗଗନଧୂଳୀ,ଡାଲଙ୍ଗ ,ପଳସା ଓ ଅଚୁ୍ୟତପୁର ପଞ୍ଚାୟତରେ ପ୍ରତିକୂଳ ପ୍ରଭାବ ପକାଇଛି । ସରକାର କିଛି କ୍ଷତିପୂରଣ ବ୍ୟବସ୍ଥା ନକଲେ ସେମାନେ ଅଣ୍ଟା ସଳଖି ଚାଳିବା ଅସମ୍ଭବ ହୋଇ ପଡିବ ବୋଲି ବିଭିନ୍ନ ପଞ୍ଚାୟତର ଚାଷୀ ପିତାମ୍ବର ମହାରଣା,ବୃନ୍ଦାବନ ବେହେରା,ଲକ୍ଷ୍ମୀ ଶରଣ,ମାମିନା ଶରଣ,ଭୁବନା ସାହୁ,ମୂରଲୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି । ଉପରୋକ୍ତ ପଞ୍ଚାୟତ ଗୁଡିକରେ ଆନୁମାନିକ ୫୦ ହେକ୍ଟର ଜମିରେ ମୁଗ ଚାଷ କରାଯାଇଥିଲା ।

ଏଥିପାଇଁ ଚାଷୀମାନେ ବିହନ ସାର ବିଷ ବାବଦରେ ପାଣିଭଳି ପଇସା ଖର୍ଚ୍ଚ କରିଥିଲେ । ଭଲ ପାଗ ଯୋଗୁଁ ଏ ବର୍ଷ ଭଲ ଫସଲ ହେବ ବୋଲି ଚାଷୀ ମାନେ ଆଶା ବାନ୍ଧିଥିଲେ । ହେଲେ ପ୍ରଥମେ କରୋନା ଲକଡାଉନ ଯୋଗୁଁ ଚାଷୀମାନେ ବିଲକୁ ଯାଇ ପାରିନଥିଲେ କି ଅମଳପାଇଁ ସାହସ କରିପାରିନଥିଲେ । ସରକାର ଚାଷ ଜମିକୁ ଯାତାୟାତରେ କୋହଳ ଦେବା ପୂର୍ବରୁ ଅର୍ଦ୍ଧାଧିକ ଫସଲ ନଷ୍ଟ ହୋଇ ସାରିଥିଲା । ସେତିକିରେ ବି ଚାଷୀ ମାନଙ୍କର ଦୁଃଖ ମେଣ୍ଟି ନଥିଲା । । କ୍ରମାଗତ କାଳ ବୈଶାଖୀର ତାଣ୍ଡବ ଚାଷୀର ସବୁଆଶାକୁ ଧୂଳିସାତ କରିଦେଇଥିଲା । ପାଣିରେ ବୁଡିରହିବା ପରେ ପାଚିଲା ମୁଗରୁ ଗଜା ବାହାରିଲାଣି ।

ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଆଣି ଚାଷରେ ଲଗାଇଥିବା ଚାଷୀ ମାନେ କଣ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ଫସଲ ବୀମାରେ ମଧ୍ୟ ତାଙ୍କ ନାମକୁ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ସେମାନଙ୍କର ବୀମା କ୍ଷତିପୂରଣ ପାଇବା ଆଶା କ୍ଷୀଣ । ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗିରେନ୍ଦ୍ର ବେହେରାଙ୍କ ମତାମତ ନେବାରେ ୨୨ହେକ୍ଟର ଜମି ନଷ୍ଟ ହୋଇଥିବା ସମ୍ପର୍କରେ ରିପୋର୍ଟ ସରକାରଙ୍କୁ ଦିଆଯାଇଥିବାର କହିଛନ୍ତି । ଫଟୋ-ଖଇରା୧-ପାଚିଲା ମୁଗରୁ ଗଜା ବାହାରିବା ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ମୁଗଚାଷୀ

Leave A Reply