ଡ଼ୁବୁରୀ : ଟମକା ଥାନା ଅଂଚଳରେ ପେଟ୍ରୋଲ୍ ଢାଳି ଯୁବକକୁ ହତ୍ୟା ଉଦ୍ୟମ ଘଟଣାର ପର୍ଦାଫାସ କରିଛି ପୁଲିସ୍ । ଏଭଳି ବର୍ବରତାପୂର୍ଣ ଘଟଣାକୁ ଟମକା ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ମାତ୍ର ଦୁଇ ଦିନ ବ୍ୟବଧାନରେ ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି ଟମକା ପୁଲିସ୍ ।ତେବେ ପ୍ରେମ ଓ ଝଗଢା ହିଁ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା ବେଳେ ଅଭିଯୁକ୍ତ ଏଭଳି ଚରମ ନିଷ୍ପତି କୁ ବାଛି ନେଇଥିବା ସୁଚନା ମିଳିଛି । ସୂଚନା ଖବର ମୁତାବକ ପେଟ୍ରୋଲ ଆକ୍ରମଣର ଶିକାର ହୋଇ ମୁହଁର ୭୦ଭାଗ ପୋଡି ଯାଇଥିବା ସ୍ଥାନୀୟ ଥାନା ଅନ୍ତର୍ଗତ ଟମକା ଗ୍ରାମର ସୁନାରାମ ସୋରେନ୍ଙ୍କ ପୁଅ ଜିତୁନ ଏବେ କଟକ ବଡ ଡାକ୍ତରଖାନାର ବର୍ଷ ୱାର୍ଡରେ ଚିକିତ୍ସିତ । ସେଠାରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ନିଜ ପଂଚାୟତ ସମରପିଟା ଗ୍ରାମର ଜୈନକ ଯୁବତୀଙ୍କୁ ଦୀର୍ଘ ଦିନ ହେବ ଭଲ ପାଉଥିଲା । ଏପରିକି ଦୁଇ ପରିବାର ଲୋକ ରାଜି ନହେବାରୁ ଦ୍ବୟ ଚେନ୍ନାଇ ଯାଇ ସେଠାରେ ୩ମାସ କାଳ ରହିବା ପରେ ପରିବାର ଲୋକଙ୍କ ବୁଝାମଣାରେ ଦୁହେଁ ଘରକୁ ‘ରିହିଥିଲେ । ଯୁବତୀ ଜଣଙ୍କ ନିଜ ଘରେ ରହୁଥିବା ବେଳେ ଉକ୍ତ ଗ୍ରାମର ନିରଞ୍ଜନ ବେହରାଙ୍କ ପୁଅ ସୌମ୍ୟରଞ୍ଜନ ମଧ୍ୟ ଉକ୍ତ ଯୁବତୀଙ୍କୁ ଭଲ ପାଇଥିଲା। ଏହାକୁ ନେଇ ଜିତୁନ ଏବଂ ସୌମ୍ୟରଞ୍ଜନଙ୍କ ମଧ୍ୟରରେ ବାଦବିବାଦ ଲାଗି ରହିଥିବା ବେଳେ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେବେ ଘଟଣା ଦିନ ଯୁବତୀ ଘର ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ସେଠାରେ ଉକ୍ତ ଯୁବତୀକୁ ଜିତୁନ,ସୌମ୍ୟରଂଜନ ଏବଂ ତାଙ୍କ କେତେ ଜଣ ସାଙ୍ଗଙ୍କ ସହ ଦେଖିବାକୁ ପାଇଥିଲା । ଯାହାକୁ ନେଇ ଦ୍ଵୟଙ୍କ ମଧ୍ୟରେ ପ୍ରଥମେ ବଚଷା ଓ ପରେ ଝଗଡା ମଧ୍ୟ ହୋଇଥିଲା । ତେବେ ନିଶାଶକ୍ତ ଥିବା ସୌମ୍ୟରଂଜନ ଏଥିରେ ଇକ୍ଷିପ୍ତ ହୋଇ ଜିତୁନକୁ ମାରିଦେବାକୁ ଏକ ପ୍ଲାନ ରଚିଥିଲା । ରାତି ପ୍ରାୟ ୧୦ ଘଟିକା ସମୟରେ ଜିତୁନ ଘରକୁ ରଥିବା ସମୟରେ ସୌମ୍ୟରଂଜନ ଏବଂ ତାର କିଛି ସାଙ୍ଗ ଏକୁଟିଆର ସୁଯୋଗ ନେଇ ଏକ ବାଇକ୍ ରେ ଆସି ଜିତୁନ ଉପରକୁ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଖବର ପାଇ ଜିତୁନଙ୍କ ପ୍ରେମିକା ଓ ତାଙ୍କ ବଡ ଭଉଣୀ ଜିଚୁନ ଉପରେ ପାଣି ଢାଳି ନିଆଁ ଲିଭାଇ ତାକୁ ଚଲେଇ ଚଲେଇ ଆଣି ଟମକାରେ ଛାଡି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକ ଉଦ୍ଧାର କରି ଜିତୁନଙ୍କୁ ଡାକ୍ତରଖାନା ନେଇଥିଲେ । ଏନେଇ ମଙ୍ଗଳବାର ନୂତନଙ୍କ ପରିବାର ତରଫରୁ ଲିଖୁତ ଅଭିଯୋଗ ହେବା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖିଥିଲେ ।ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମରପିଟାର ନିରଞ୍ଜନ ବେହେରାଙ୍କ ପୁଅ ସୌମ୍ୟରଂଜନ(୨୨)ଙ୍କ ସମେତ ଭାଗିରଥ ମହାନ୍ତଙ୍କ ପୁଅ ରିଙ୍କୁ(୨୧), ମଙ୍ଗଲ ଗାଗରାଇଙ୍କ ପୁଅ ଅଭି(୧୯), ସୁନାରାମ ବାତାରଙ୍କ ପୁଅ ଗେଢ(୧୯)କୁ ଅଟକରଖି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ବଡ ଡାକ୍ତରଖାନା ରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିତୁନର ବୟାନ ରେକର୍ଡ କରାଯାଇଥିବା ବେଳେ ସୌମ୍ୟରଞ୍ଜନ ହିଁ ମୁଖ୍ୟ ଅଭିଯୁକ୍ତ ଏବଂ ପୁର୍ବରୁ ତା ସହିତ ଝଗଡା ହୋଇଥିବା ବେଳେ ଘଟଣା ଦିନ ରାତିରେ ୪ଜଣ ଆସି ତାକୁ ପେଟ୍ରୋଲ ପିଙ୍ଗି ନିଆଁ ଲଗାଇଥିବା ସେ ନିଜ ବୟାନରେ କହିଥିବା ଜଣାପଡିଛି । ବୁଧବାର ଅପରାହ୍ନରେ ଡିଏସପି ମିନତୀ ବିଶ୍ବାଳ ମଧ୍ଯ ଟମକା ଓ ସମରପିଟା ଗସ୍ତ କରି ତଦନ୍ତ କରିଥିବା ସୂଚନା ମିଳିଛି । କୌଣସି ଅପ୍ରୀତିକର ପରିସ୍ଥିତି ଦୃଷ୍ଟିରେ ରଖି ଆଜି ଅଭିଯୁକ୍ତଙ୍କୁ କଳିଙ୍ଗ ନଗର ଥାନରେ ରଖାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।