ଖୋର୍ଦ୍ଧା : ଏପ୍ରିଲ ୨୫ ତାରିଖ ଠାରୁ ରମଜାନ ମାସ ଆରମ୍ଭ ହେଉଥିବାରୁ ଏହାର ପାଳନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ଏକ ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଲକଡାଉନ ନିୟମକୁ ପୁଲିସ ଓ ପ୍ରଶାସନ ତରଫରୁ କଡାକଡିଭାବେ ପାଳନ କରାଯାଉଛି ବୋଲି ଜିଲ୍ଲାପାଳ କହିଥିଲେ । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସାମାଜିକ ଦୂରିତ୍ୱ କୁ ଗୁରୁତ୍ୱ ଦିଆଯାଉଛି । ଏଣୁ ମସଜିଦ ବା ଅନ୍ୟ କୌଣସି ସ୍ଥାନରେ ସମୁହ ନମାଜ ପାଠ କରାଯିବ ନାହିଁ । ଏଥିସହିତ ଲକଡାଉନ ଶେଷ ହେବା ପରେ ଯେଉଁମାନେ ଓଡିଶା ବାହାରୁ ଜିଲ୍ଲାକୁ ଆସିବେ ସେମାନେ ପ୍ରଥମେ ନାମ ପଞ୍ଜିକରଣ କରିବା ଆବଶ୍ୟକ । ଏଥିନିମନ୍ତେ ଏପ୍ରିଲ ୨୪ ତାରିଖରୁ ଅନଲାଇନ ନାମ ପଞ୍ଜିକରଣ ଆରମ୍ଭ ହେଉଛି । ତେବେ ଖୋର୍ଦ୍ଧା ଏସପି ଅଜେୟ ପ୍ରତାପ ସ୍ୱାଇଁ ବୈଠକରେ ଯୋଗଦେଇ ଶାନ୍ତିଶୃଙ୍ଖଳାର ସହିତ ରମଜାନ ମାସ ପାଳନ କରିବାକୁ କହିଥିବାବେଳେ ଲକଡାଉନ ନିୟମ କୁ ପାଳନ କରିବାକୁ କହିଥିଲେ । ଏହି ବୈଠକରେ ଉପଖଣ୍ଡ ପୁଲିସ ଅଧିକାରୀ, ଖୋର୍ଦ୍ଧା ଥାନା ଅଧିକାରୀ, ସଦରଥାନା ଅଧିକାରୀ ପ୍ରମୁଖ ପୁଲିସ ଅଧିକାରୀଙ୍କ ସମେତ ବହୁ ମୌଲବୀ ମାନେ ଯୋଗଦେଇଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଞ୍ଜନ ବିଶ୍ୱାଳ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।