ଜାତି କି ଧର୍ମ ନୁହେଁ, ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟାରେ ‘ବିକଶିତ ଭାରତ’ର ସ୍ୱପ୍ନ ହେବ ସାକାର : ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ’ର ୨୦ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ
• ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା
• ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ ବରଂ ଗରିବ, କୃଷକ, ମହିଳା ଓ ଯୁବକ ବର୍ଗ ଗୁରୁତ୍ୱପୂର୍ଣ୍ଣ
• ଜାତୀୟ ଶିକ୍ଷା ନୀତିକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ସମୟର ଆବଶ୍ୟକତା
ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୮ – ଏକବିଂଶ ଶତାବ୍ଦୀରେ ଭାରତ ଜ୍ଞାନ ଭିତ୍ତିକ ଅର୍ଥନୀତିର ନେତୃତ୍ୱ ନେବ । ଯେତେବେଳେ ‘ବିକଶିତ ଭାରତ’ର ସ୍ୱପ୍ନ ସାକାର ହେବ, ଏହା କୌଣସି ଗୋଟିଏ ଜାତି କିମ୍ବା ଧର୍ମ ଆଧାରରେ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହେବ ବୋଲି ବୁଧବାର ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ (ଏନସିଏମ୍ଇଆଇ) ର ୨୦ତମ ପ୍ରତିଷ୍ଠା ଦିବସ ଓ ସଂଖ୍ୟାଲଘୁ ଅଧିକାର ଦିବସ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ, ଆମ ଦେଶର ସମ୍ବିଧାନର ଗୌରବମୟ ୭୫ ବର୍ଷ ପୂର୍ତ୍ତି ହୋଇଛି । ସମ୍ବିଧାନ ହିଁ ଦେଶର ସଂଖ୍ୟାଲଘୁମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବାର ଅଧିକାର ଦେଇଛି । ଶିକ୍ଷା ମାଧ୍ୟମରେ ସଂଖ୍ୟାଲଘୁମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗ ଗଠନ କରାଯାଇଥିଲା । ଗତ ସାଢ଼େ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିନା କୌଣସି ଭେଦଭାବରେ ‘ସବକା ସାଥ-ସବକା ବିକାଶ’ର ମନ୍ତ୍ରୀରେ ପ୍ରତ୍ୟେକ ବଞ୍ଚିତଙ୍କୁ ଆବାସ, ବ୍ୟାଙ୍କ ଆକାଉଣ୍ଟ, ଗ୍ୟାସ ସିଲିଣ୍ଡର, ମାଗଣା ରାସନ ଭଳି ମୌଳିକ ସୁବିଧା ପ୍ରଦାନ କରୁଛନ୍ତି । ଆମ ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ ବରଂ ୪ଟି ବର୍ଗ ଗୁରୁତ୍ୱପୂର୍ଣ୍ଣ । ଏହିମାନେ ହେଉଛନ୍ତି ଗରିବ, କୃଷକ, ମହିଳା ଓ ଯୁବକ । ସେମାନଙ୍କର ସମୁଚିତ ବିକାଶ ହିଁ ଆମର ଲକ୍ଷ୍ୟ ।
ଜାତୀୟ ଶିକ୍ଷା ନୀତିକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ସମୟର ଆବଶ୍ୟକତା । ଜାତୀୟ ଶିକ୍ଷା ନୀତିର ଦ୍ରୁତ କ୍ରିୟାନ୍ୱୟନ, ଏହି ନୀତି ଅଧୀନରେ ଏନସିଆରଏଫ୍ ଭଳି ଆଧୁନିକ ବିଷୟବସ୍ତୁକୁ ଲାଗୁ କରିବା ପାଇଁ ସଂଖ୍ୟାଲଘୁ ଅନୁଷ୍ଠାନଗୁଡିକୁ ଅଧିକ ସହଯୋଗ କରିବାକୁ ହେବ । ଯେତେବେଳେ ଆମେ ପ୍ରତିଭା ବା ଦକ୍ଷତାକୁ ଏକାଡେମିକ୍ କ୍ରେଡିଟରେ ପରିଣତ କରିବୁ, ସେତେବେଳେ ସମସ୍ତଙ୍କ ବିକାଶର ମାର୍ଗ ଫିଟିବ । ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୋଗଙ୍କୁ ସେମାନଙ୍କ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ସେମାନଙ୍କ ସାଙ୍ଗରେ ଅଛନ୍ତି ବୋଲି କହିଛନ୍ତି ।