ଓଡିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତିଭୂମି ଉପରେ ମୋଦି ସରକାର ଗୁରୁତ୍ୱ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଚଳିତବର୍ଷ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ରେ ସର୍ବାଧିକ ୬୯ ହଜାର କୋଟିର ବ୍ୟୟବରାଦ
. ଓଡ଼ିଶାରେ ୬ଟି ନୂଆ ମେଡ଼ିକାଲ୍ କଲେଜର ନିର୍ମାଣ କାମ ଚାଲୁଅଛି
. ରାଜ୍ୟରେ ୧୯୮ ଜନ ଔଷଧୀ କେନ୍ଦ୍ର ଦ୍ୱାରା ଲକ୍ଷାଧିକ ଗରିବ ଲୋକ ଉପକୃତ ହୋଇଛନ୍ତି
. ମିଶନ ଇନ୍ଦ୍ରଧନୁଷରେ ରାଜ୍ୟର ୫.୧୮ ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୧.୪୪ ଲକ୍ଷ ଗର୍ଭବତୀ ମହିଳାଙ୍କ ଟୀକାକରଣ
. ଭୁବନେଶ୍ୱର ପରେ ସ୍ୱର୍ଗତ ବାଜପେୟୀଙ୍କ ଦୂରଦୃଷ୍ଟିରେ ପ୍ରତି ରାଜ୍ୟରେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ
(ଏମ୍ସ) ପ୍ରତିଷ୍ଠା ମୋଦି ସରକାରଙ୍କ ଲକ୍ଷ୍ୟ
. ସ୍ୱାସ୍ଥ୍ୟ ସେବାରେ ଆର୍ôଥକ ବ୍ୟବସ୍ଥା କରିବା ପାଇଁ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ
. ମୋଦି ସରକାର ପ୍ରତ୍ୟେକଙ୍କୁ ସୁଲଭ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ
. “ବସୁଧୈବ କୁଟୁମ୍ବକମ୍”ର ଅନୁସରଣ କରି ଭାରତ ବିଭିନ୍ନ ଦେଶକୁ ଔଷଧ ଏବଂ କିଟ୍ ଯୋଗାଇ ମହାମାରୀ
ବିରୋଧୀ ଲଢେଇକୁ ମଜବୁତ୍ କରିଛି
ନୂଆଦିଲ୍ଲୀ/ଭୁବନେଶ୍ୱର, – ଓଡିଶା ସମେତ ଦେଶରେ ବିଶ୍ୱମାନର ଚିକିତ୍ସା ସୁବିଧା ଭିତିଭୂମି ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ୬ଟି ମେଡ଼ିକାଲ୍ ସମେତ ସାରାଦେଶରେ ୧୫୦ଟି ନୂଆ ମେଡିକାଲ୍ କଲେଜ୍ ନିର୍ମାଣ କରିବାର କାମ ଆରମ୍ଭ କରିଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁଲଭ ଏବଂ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦି ସରକାର ଭାରତକୁ ଆୟୁଷ୍ମାନ କରିବା ପାଇଁ ବଜେଟରେ ପ୍ରତିବର୍ଷ ଅଧିକ ଅର୍ଥ ବ୍ୟୟବରାଦ କରୁଛନ୍ତି । ଚଳିତ ଦଶନ୍ଧି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ସର୍ବାଧିକ ବଜେଟ୍ ବ୍ୟୟବରାଦ ମୋଦି ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଥିବା ପ୍ରାଥମିକତାକୁ ଦର୍ଶାଉଛି । ୨୦୨୦-୨୧ ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୬୯ ହଜାର କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି,ଏହା ୨୦୧୦-୧୧ ପାଇଁ ବଜେଟରେ
ବ୍ୟୟବରାଦ୍ ହୋଇଥିବା ୨୨,୩୦୦ କୋଟି ଟଙ୍କାର ପ୍ରାୟ ତିନିଗୁଣା ଅଧିକ । ସେ କହିଛନ୍ତି ମୋଦି ସରକାର ରୋଗ ପ୍ରତିରୋଧକ ଏବଂ କମ୍ ମୂଲ୍ୟର ସ୍ୱାସ୍ଥ୍ୟସେବା ସମେତ ଅନେକ କ୍ଷେତ୍ର ପ୍ରତି ଆଭିମୁଖ୍ୟ ଗ୍ରହଣ କରି ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା(ପିଏମବିଜେପି) କମ୍ ମୂଲ୍ୟରେ ଜେନେରିକ୍ ଔଷଧ ଯୋଗାଇ ସ୍ୱାସ୍ଥ୍ୟସେବାର ମୂଲ୍ୟକୁ ହ୍ରାସ କରିପାରିଛି ।ଦେଶରେ ୫୦୦୦ ଜନ ଔଷଧୀ କେନ୍ଦ୍ର ଗୁଡ଼ିକରେ ୮୦୦ରୁ ଉର୍ଦ୍ଧ୍ୱ ପ୍ରକାରର ଜେନେରିକ୍ ଔଷଧ ଉପଲବ୍ଧ ଥିବାବେଳେ ଓଡ଼ିଶାର ଥିବା ଏହି ୧୯୮ କେନ୍ଦ୍ର ଦ୍ୱାରା ଲକ୍ଷାଧିକ ଗରିବ ଲୋକ ଉପକୃତ ହୋଇପାରିଛନ୍ତି ।
ଏହାସହ ଗରିବଙ୍କ ପାଇଁ ଷ୍ଟେଣ୍ଟ୍ ପରି ମେଡ଼ିକାଲ ଉପକରଣ ଗୁଡ଼ିକର ମୂଲ୍ୟକୁ ନିର୍ଦ୍ଧାରଣ କରାଯାଇଛି । ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି । ସେ ସ୍ୱାସ୍ଥ୍ୟ ସେବାରେ ଆର୍ôଥକ ବ୍ୟବସ୍ଥା କରିବା ପାଇଁ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ଯୋଜନା ଆରମ୍ଭ କରିଛନ୍ତି । ଅପରପକ୍ଷରେ ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ସାରାଦେଶର ୫୨୮ ଜିଲ୍ଲାର ୩.୧୫ କୋଟିରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୮୦ ଲକ୍ଷ ଗର୍ଭବତୀ ମହିଳାଙ୍କ ଟୀକାକରଣକୁ ସୁନିଶ୍ଚିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୫.୧୮ ଲକ୍ଷରୁ ଉର୍ଦ୍ଧ୍ୱ ଶିଶୁ ଏବଂ ୧.୪୪ ଲକ୍ଷ ଗର୍ଭବତୀ ମହିଳାଙ୍କ ଟୀକାକରଣ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଭୁବନେଶ୍ୱର ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ପାଇଁ ଓଡ଼ିଶା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପ୍ରତି ଚିରକୃତଜ୍ଞ ରହିବ । ତାଙ୍କର ଦୂରଦୃଷ୍ଟିକୁ ଆଗେଇ ନେବା ପାଇଁ ମୋଦି ସରକାର ପ୍ରତି ରାଜ୍ୟରେ ଏମ୍ସ ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟ କରୁଛନ୍ତି ।
କୋଭିଡ-୧୯ ମୋଦି ସରକାରଙ୍କ ନିରନ୍ତର ସ୍ୱାସ୍ଥ୍ୟସେବା ସୁବିଧାକୁ ଅଧିକ ଉନ୍ନତ କରିବା ପାଇଁ ସହାୟକ ହୋଇଛି ।
କରୋନା ଭାଇରସର ପ୍ରାରମ୍ଭରେ ଦେଶରେ ଗୋଟିଏ କୋଭିଡ୍ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ୧୫୦୦ ଟି ଲ୍ୟାବ୍ ସ୍ଥାପନ କରାଯାଇ ଦୈନିକ ୧୦ ଲକ୍ଷ ପରୀକ୍ଷା କରାଯାଉଛି । କେନ୍ଦ୍ର ସରକାର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍-୧୯ ବିରୋଧୀ ଲଢେଇରେ ଦେଶକୁ ଏକାଠି କରି ଏହାକୁ ଜନକୈନ୍ଦ୍ରିକ କରିପାରିଛନ୍ତି । ଏହି ଉଦ୍ୟମରେ ‘ଯୋଗ’ ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ପାରମ୍ପରିକ ‘ଆୟୁର୍ବେଦ ପ୍ରଣାଳି’ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ତଥା କରୋନା ରୋଗୀ ସୁସ୍ଥ ହେବା ପରେ ସହାୟକ ହୋଇଛି । ଯେତେବେଳେ ଅନେକ ଦେଶ ଏକାସାଙ୍ଗରେ “ଟିକା ଜାତୀୟତାବାଦ”ର ପ୍ରଚାର କରୁଛନ୍ତି, ସେତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ “ବସୁଧୈବ କୁଟୁମ୍ବକମ୍”ର ଅନୁସରଣ କରି ପଡୋଶୀ ରାଷ୍ଟ୍ର ସମେତ ଅନ୍ୟାନ୍ୟ
ଦେଶକୁ ଔଷଧ ଏବଂ କିଟ୍ ଯୋଗାଇ ମହାମାରୀ ବିରୋଧୀ ଲଢେଇରେ ସାହାଯ୍ୟ କରିପାରିଛି ବୋଲି ଟ୍ୱିଟ୍ କରି ଶ୍ରୀ
ପ୍ରଧାନ କହିଛନ୍ତି ।
