ଧର୍ମଶାଳା ୨୮ । ୯: ଧର୍ମଶାଳା ତହସିଲ ଅନ୍ତର୍ଗତ କେଲୁଅ ନଦୀର ଗୋପନଗରଠାରେ ପ୍ରଶାସନ ପକ୍ଷରୁ ଲିଜ ଦିଆଯାଇଥିବା ବାଲିଘାଟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏହି ବ୍ଲକ କାଏମା ପଂଚାୟତର ଗୋପନଗର ଠାରେ ଥିବା ବାଲିଘାଟକୁ ତହସିଲ ପ୍ରଶାସନ ପକ୍ଷରୁ କିଛି ଦିନ ତଳେ ଜୈନିକ ଇଜରାଦାରଙ୍କୁ ଲିଜ ସୂତ୍ରରେ ଦିଆଯାଇଛି । ଏହି ବାଲିଘାଟରୁ ସୋମବାର ପୁର୍ବହ୍ନରେ ଟ୍ରାକ୍ଟର ଯୋଗେ ବାଲି ପରିବହନ ହେଉଥିବା ବେଳେ ସ୍ଥାନୀୟ ଅଂଚଳର ଶତାଧିକ ପୁରୁଷ ଓ ମହିଳା ସେଠାରେ ପହଁଚି ବାଲି ପରିବହନ କରୁଥିବା ଟ୍ରାକ୍ଟରକୁ ଅଟକ ରଖିଥିଲେ ।
ଫଳରେ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା । ବାଲିଘାଟ ନିକଟରେ ସ୍କୁଲ, ମନ୍ଦିର ଶ୍ମଶାନ ରହିଥିବା ବେଳେ ପ୍ରତ୍ୟେକ ଦିନ ସ୍ଥାନୀୟ ଅଂଚଳର ଚାଷୀ ଏହି ବାଟ ଦେଇ ନିଜ କ୍ଷେତକୁ ଯାଇଥାନ୍ତି । ସେହିପରି ଗାଁର ମହିଳାମାନେ ସ୍ନାନ ଓ ଶୌଚ ପାଇଁ ଏହି ଘାଟକୁ ଆସିଥାନ୍ତି । ତେଣୁ ଏଠାରେ ବାଲିଘାଟ ଚାଲିଲେ ପ୍ରତ୍ୟେହ ଦିନ ଶହ ଶହ ଟ୍ରିପ ବାଲି ଚାଲାଣ ହେବ ।
ଯାହା ଫଳରେ ଅଂଚଳ ପ୍ରଦୂଷଣ ହେବା ସହ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେବେ ବୋଲି ଅଭିଯୋଗ କରିଛନ୍ତି । ଏଣୁ କରି ଏଠାରେ ବାଲିଘାଟକୁ ବନ୍ଦ କରିବାକୁ ଗ୍ରାମବାସୀମାନେ ଦୃଢ ଦାବି କରିଛନ୍ତି । ଅନ୍ୟପଟେ ଏସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ ବୋଲି ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା କହିଛନ୍ତି । ସୂଚନା ଯୋଗ୍ୟ ଯେ ଏହି ତହସିଲ ଅନ୍ତର୍ଗତ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲିମାଫିଆମାନେ ବାଲି ଉତୋଳନ କରି ଅନ୍ୟତ୍ର ଚାଲାଣ କରୁଥିଲେ । ଯାହା ଫଳରେ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଥିଲେ । ଏହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଉକ୍ତ ବେଆଇ ବାଲିଘାଟକୁ ଲିଜ ସୂତ୍ରରେ ଦେବା ଲାଗି ସ୍ଥିର କରି ୯ ଗୋଟି ବାଲିଘାଟକୁ ଏବେ ଲିଜ ସୂତ୍ରରେ ଦିଆଯାଇଛି ।
