ଧର୍ମଶାଳା : ଧର୍ମଶାଳା ତହସିଲ ଅଧିନସ୍ଥ ଆରୁହା ଓ ବାଜବାଟୀ ପାହାଡର କଳାପଥର ଖାଦାନ ନିଲାମ ନେଇ ବୁଧବାର ଦିନ ଧର୍ମଶାଳା ଭବନରେ ଏହା ଉପରେ ଜନ ଶୁଣାଣୀ କରାଯାଇଛି । ଆଜିର ଏହି ଜନଶୁଣାଣୀ ଶିବିରରେ ଯାଜପୁର ଏଡିଏମ ମିହିର ପ୍ରସାଦ ମହାନ୍ତି, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଆଂଚଳିକ ପ୍ରଦୁ୍ୟଷଣ ବୋର୍ଡର ଅଧିକାରୀ ପ୍ରମୋଦ ବେହେରା, ପରିବେଶ ମଞ୍ଜୁରୀ ବୋର୍ଡ କଲ୍ୟାଣୀ ଲାବ୍ରୋଟାରିର ଦେବାଶିଷ ବିଶ୍ୱାଳ ଉପସ୍ଥିତିରେ ରହିଥିଲେ ।
ଆଜି ଆରୁହା ପାହାଡର ୫ଟି ଓ ବାଜବାଟୀର ୬ଟି ଖାଦାନକୁ ନେଇ ଜନଶୁଣାଣୀ ହୋଇଥିଲା । ସେହିପରି ଗତକାଲି ମହିଶରାଠାରେ ଡଙ୍କାରୀ ଓ ରାହାଡପୁର କଳାପଥର ଖାଦାନ ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ବିଭିନ୍ନ ପାହାଡରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ ପଥର ଉତ୍ତୋଳନ ଉପରେ ରୋକ ଲଗାଯାଇଛି ।
ଏହିଅଂଚଳର କଳାପଥର ଖାଦାନ ବନ୍ଦ ରହିବା ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ସ୍ଥାନୀୟ ଅଂଚଳର ଲୋକମାନେ ରୋଜଗାର ହରାଇ ବସିଛନ୍ତି । ଏବେ କୋଭିଡ ପାଇଁ ଲୋକମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ବିଭିନ୍ନ ରାସ୍ତା ଘାଟର ନିର୍ମାଣ ପାଇଁ ଆବଶ୍ୟକ କଳାପଥର ଯୋଗଇଦେବା ନିମନ୍ତେ ଏହି ଖାଦାନ ଗୁଡିକୁ ଚଳାଇବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଖାଦାନ ଗୁଡିକ ଚାଲିବା ଫଳରେ ଲୋକେ ରୋଜଗାର ପାଇବା ସହିତ କୋଟି କୋଟି ଟଙ୍କାର ରାଜସ୍ୱ ସରକାରୀ ତହବିଲକୁ ଯାଇପାରିବ । ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ନେଇ ଏହି ଜନଶୁଣାଣୀ କରାଯାଉଥିବା ବେଳେ ଏହା ସକାରତ୍ମକ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ପୁରୁଣାବଉଳମାଳ ପଂଚାୟତ କାର୍ଯ୍ୟାଳୟରେ ଲୁଣିବର ଓ ସାହାଣିଢିହ ମୈାଜାରେ ଥିବା ୧୦ଟି ଖାଦାନ ପାଇଁ ଜନଶୁଣାଣୀ କରାଯିବ ବୋଲି ତହସିଲଦାର ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି ।