ଧର୍ମଶାଳା : ବିପଦ ଆସେ ପୁଣି ଏମିତି । ମସ୍ତିଷ୍କ ବିକୃତ ବଢିଲା ପୁଅ ଝିଅଙ୍କ ଗହଣରେ ବିତୁଛି ରୋଗୀଣା ମାଆର ଜୀବନ । ଝାଟିମାଟି ଚାରିକାନ୍ଥ ଭିତରେ ଲଟକିଛି ୪ ପ୍ରାଣୀ କୁଟୁମ୍ବଙ୍କ ଭାଗ୍ୟ । ଦୁର୍ଭାଗ୍ୟ ଏମିତି, ଗୋଟିଏ ବଖରାରେ ଓ ଅତି ନିକଟରେ ଥାଇବି ମାଆ ସନ୍ତାନ ପାଇଁ ଓ ସନ୍ତାନ ମାଆ ପାଇଁ ଅଲୋଡା ହୋଇ ପଡିଛନ୍ତି । ଢୋକେ ପିଇ ଦଣ୍ଡେ ଜିଇବା ଛାଡା ଆଉ କିଛି ପନ୍ଥା ନାହିଁ । ବଞ୍ଚି ଥାଉ ଥାଉ ଏମାନେ ପଙ୍ଗୁ ଓ ଅକର୍ମଣ୍ୟ ହୋଇପଡିଛନ୍ତି ।
ଧର୍ମଶାଳା ବ୍ଲକ ମଧୁସୂଦନପୁର ପଞ୍ଚାୟତର ସୋରେଇ ଦୁଇ ନମ୍ବର ୱାର୍ଡର ବସବାସ କରନ୍ତି ବିଧବା ମହିଳା ବେଙ୍ଗ ଦଳେଇ(୬୫) । ଦୁଇ ଝିଅଙ୍କୁ ବହୁ ଦୁଃଖ କଷ୍ଟରେ ବିବାହ ଦେବାପରେ ପାଖରେ ରହନ୍ତି ଗୋଟିଏ ଝିଅ ଓ ଦୁଇ ପୁଅ । ୩ଜଣ ଜନ୍ମରୁ ମସ୍ତିଷ୍କ ବିକୃତ ଓ ଅକର୍ମଣ୍ୟ । ସ୍ୱାମୀ ନୁର ଦଳେଇ ଗତ ୪ ବର୍ଷ ତଳେ କିଡନୀ ରୋଗରେ ଚାଲିଯିବା ପରେ ଅଭାବୀ ସଂସାରର ବୋଝ ନିଜ ପାରୁପଣେ ବୋହି ଚାଲିଥିଲେ ବେଙ୍ଗ । ବହୁ ଦୁଃଖ କଷ୍ଟରେ ମାଗିଯାଚି ନିଜେ ଓ ୩ ପୁଅ ଝିଅଙ୍କୁ ଖାଇବାକୁ ଖଣ୍ଡେ ଦେଇ ବଞ୍ଚାଇ ଆସିଥିଲେ । କିନ୍ତୁ ଏବେ ସେ ନିଜେ ବୋଝ ହୋଇଗଲେ ଏହି ୩ ସନ୍ତାନଙ୍କ ପାଖରେ । ଗତ ୪ ମାସ ତଳେ ହଠାତ ପଡିଯିବାରୁ ବେଙ୍ଗ ପକ୍ଷାଘାତ ରୋଗର ଶିକାର ହେଲେ ।
ଅଣ୍ଟିରେ ଟଙ୍କାଟିଏ ନାହିଁ କି ଦାୟିତ୍ୱ ନେବାକୁ କେହି ନାହିଁ । ଏଭଳି ସ୍ଥିତିରେ ଚିକିସôା ଅଭାରୁ ଦିନକୁ ଦିନ ସେ ବି ପଙ୍ଗୁ ହୋଇ ସବୁଦିନ ପାଇଁ ବିଛଣାରେ ପଡିଗଲେ । ବେସାହାରା ହୋଇଗଲା ପରିବାର । ସେପଟେ ଝିଅ ମଞ୍ଜୁ (୪୨) ଓ ଦୁଇପୁଅ ପ୍ରକାଶ(୪୦) ଓ ଶିବା(୩୮) ଜନ୍ମରୁ ଅକର୍ମଣ୍ୟ । କିଛି ବୁଝନ୍ତିନି କି କିଛି କରନ୍ତିନି । କାହା ସହ ମିଶନ୍ତିନି କି କୁଆଡେ ଯାନ୍ତିନି । ଦେଲେ ଖାଇଲେ ନଦେଲେ ନାହିଁ । ଏକ ପ୍ରକାର ମାନସିକ ରୋଗୀ । ଏଭଳି ସ୍ଥିତିରେ ନୁର ମୂଲ ଲାଗି ଯାହା ରୋଜଗାର କରେ ୫ ପ୍ରାଣୀ କୁଟୁମ୍ବ ଚଳନ୍ତି । ନୁର ବଞ୍ଚିଥିବା ବେଳେ ୨ ଝିଅ ବିବାହ ଦେଇଛନ୍ତି ।
ନୁରର ମୃତୁ୍ୟ ପରେ କେହି ରୋଜଗାର କରିବାକୁ ନାହାନ୍ତି । ସ୍ୱାମୀର ଦେହାନ୍ତ ପରେ ପତ୍ନୀ ପକ୍ଷାଘାତର ଶିକାର । ପକ୍ଷାଘାତ ମାଆ କାନ୍ଧରେ ୩ ମାନସିକ ବିକୃତ ସନ୍ତାନଙ୍କ ବୋଝ । ମାସ ଶେଷରେ ସରକାରୀ ରାସନ ଚାଉଳ ଓ ବିକଳାଙ୍ଗ ଭତ୍ତା ଭରଷା । ଏଭଳି ସ୍ଥିତିରେ ଗ୍ରାମବାସୀ ଓ ସାହିଭାଇ କେହି କିଛି ଦୟା ଦେଖାଇ ରୋଷେଇ କରି ଦେଲେ ଏମାନେ ଖାନ୍ତି । ନଚେତ ଅଧିକାଂଶ ସମୟ ଉପାସ । ରହିବା ପାଇଁ ଘରଟିଏ ନାହିଁ । ଗୋଟିଏ ବଖରା ଭଙ୍ଗା ଚାଳଛପର ଘରେ ବର୍ଷା ଓ ଖରା ସବୁକୁ ସହ୍ୟ କରନ୍ତି ଏମାନେ । ହୁଏତ ଆବାସଟିଏ ଏହି ପରିବାରକୁ ମିଳିଲେ କେହି ନିଜ ହାତରୁ ଖର୍ଚ୍ଚ କରି ତାଙ୍କ ପାଇଁ ଘରଟିଏ କରିପାରନ୍ତା । ଉପଯୁକ୍ତ ଚିକିସôା ମିଳିଲେ ହୁଏତ ବେଙ୍ଗ ପୂର୍ବ ଭଳି ଅକ୍ଷମରୁ ସକ୍ଷମ ହୋଇପାରନ୍ତେ । କିନ୍ତୁ ସେତକ ବି ସାହାଯ୍ୟର ହାତ ମିଳୁନି । ଏମାନଙ୍କୁ ଦେଖିଲେ ଯେତିକି ଦୁଃଖ ଲାଗେ ତା ଠାରୁ ଉପହାସ ଲାଗେ ସରକାରଙ୍କ ଗରିବଙ୍କ ପାଇଁ ଉପଲବ୍ଧ ମାଳମାଳ ଯୋଜନା ।