ଧର୍ମଶାଳା : ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଠାରୁ ଭଦ୍ରକ ବାଲେଶ୍ୱର ଯାଏଁ ପ୍ରସସ୍ତି କରଣ କାର୍ଯ୍ୟ ଚାଲିଥିବା ବେଳେ ସମ୍ପୃକ୍ତ ଠିକାଦାର କମ୍ପାନୀର ମନମାନୀ ଯୋଗୁ ଗାଡି ଚଳାଚଳରେ ବାଧା ଉପୁଜୁଛି । ରାସ୍ତା କାମ କରୁଥିବା ସମ୍ପୃକ୍ତ ଠିକାଦାର ଗାଡି ଚଳାଚଳ ପାଇଁ ବିକଳ୍ପ ବ୍ୟବସ୍ଥା କରିବା ପରେ ରାସ୍ତା କାମ କରିବାର ନିୟମ ରହିଥିଲେ ହେଁ ଏହି ସଂସ୍ଥାର ମନମାନି ଯୋଗୁ ରାସ୍ତାରେ ଗାଡି ଚଳଚଳରେ ବାଧା ସୃଷ୍ଟି ହେଉଛି । ବିଶେଷ କରି ଧର୍ମଶାଳା ବ୍ଲକ ଜାରକା ଛକ ଠାରେ ଏକ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ମୁଖ୍ୟ ରାସ୍ତାକୁ କାଟିଦିଆଯାଇଥିବା ବେଳେ ବାଇପାସ ରାସ୍ତାଦେଇ ଗାଡି ଚଳାଚଳ କରୁଛି ।
ଏହି ରାସ୍ତା ଗୁଡିକ ଅଣ ଓସାରିଆ ହୋଇଥିବାରୁ ରାସ୍ତାରେ କୌଣସି ଗାଡି ବ୍ରେକ ଫେଲ ହେଲେ ଶହ ଶହ ସଂଖ୍ୟାରେ ଗାଡି ରାସ୍ତା ଉପରେ ଅଟକି ରହିବା ଫଳରେ ଗାଡିରେ ଯାଉଥିବା ଯାତ୍ରୀଙ୍କୁ ହନ୍ତସନ୍ତ ହେବଇକୁ ପଡୁଛି । ରାସ୍ତା ଜାମ କରି ରହୁଥିବା ଗାଡକୁି ପାସ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି । ମଙ୍ଗଳବାର ପୁର୍ବାହ୍ନରେ ରାସ୍ତାରେ ଯାଉଥିବା ଏକ ଟ୍ରକ ଜାରକା ବ୍ୟାଙ୍କଛକ ଠାରେ ବ୍ରେକ ଫେଲ ହେବା ଫଳରେ ଶହ ଶହ ଗାଡି ରାସ୍ତା ଉପରେ ଅଟକି ରହିଥିଲା ।
ଖବର ପାଇ ପୋଲିସ ସେଠାରେ ପହଁଚି ଉକ୍ତ ଗାଡିକୁ ଟୋଚନ ଦ୍ୱାରା ଅନ୍ୟତ୍ର ହଟାଇବା ପରେ ଗାଡିଚଳଚଳ ସ୍ୱଭାବିକ ହୋଇଥିଲା । ଅନ୍ୟପଟେ ରାସ୍ତା କାମ ପାଇଁ ଠିକାଦାର ବିଭିନ୍ନ ସ୍ଥାନରେ ଡାଇଭରସନ କରିଥିଲେ ହେଁ ସେଠାରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରିନଥିବାରୁ ଅନେକ ସମୟରେ ଦୁର୍ଘଟଣାଘଟି ଲୋକେ ପ୍ରାଣହରାଉଛନ୍ତି । ପ୍ରତିଦିନ ଏଠାରେ ଏଭଳି ଅବସ୍ଥା ଦେଖାଯାଉଥିଲେ ହେଁ ରାସ୍ତା କାମରେ ନିୟୋଜିତ ଠିକାଦାର ଏଥିପ୍ରତି ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲାପାଳ ଓ ଏସପି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।