ପ୍ରେମରେ ବିଫଳ ହେବା ପରେ ଅଭିଯୁକ୍ତ ରଚିଥିଲା ହତ୍ୟା ସଡଯନ୍ତ୍ର ; ଧର୍ମଶାଳା ଶିକ୍ଷୟିତ୍ରୀଙ୍କୁ ହତ୍ୟା: ସ୍ୱାମୀ ଓ ଝିଅକୁ ମରଣାନ୍ତକ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଗିରଫ
ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ରବିବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ଓ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଅଜି ଏକ ପ୍ରେସ ରିଲିଜ ମାଧ୍ୟମରେ ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଏହି ଥାନା ସାଲେପୁର ଗ୍ରାମର ନିଳମଣି ଜେନାଙ୍କ ପୁଅ ସୁନିଲ ଜେନା (୨୩) ବୋଲି ଜଣାପଡିଛି । ଏବେ ଏମାନେ କିଛି ବର୍ଷ ହେବ କାଏମାରେ ଏକ ଘର ଭଡା ନେଇ ରହୁଛନ୍ତି । ସୂଚନା ଯୋଗ୍ୟ ଯେ ସୋମବାର ଧର୍ମଶାଳା ଥାନା ମିର୍ଜାପୁର ପଂଚାୟତ ମହାନ୍ତି ସାହିରେ ଭାଡା ସୁତ୍ରରେ ସପରିବାର ରହୁଥିବା ଶିକ୍ଷୟତ୍ରୀ ତରୁଲତା ବିଶ୍ୱାଳଙ୍କ ଅଜଣା ଦୁର୍ବୃତଙ୍କ ଆକ୍ରମଣେ ମୃତୁ୍ୟ ଘଟିଥିବା ବେଳେ ତାଙ୍କ ସ୍ୱାମୀ ନିତ୍ୟରଞ୍ଜନ ମଲ୍ଲିକ (୫୪) ଓ ଝିଅ ଜୟଶ୍ରୀ ମଲ୍ଲିକ (୧୭) ଗୁରୁତର ଆହତ ହୋଇଥିଲେ । ଗତକାଲି ସକାଳୁ ଘର ପଛ ପଟେ ବାପା,ମାଆ ଓ ଝିଅ ରକ୍ତାକ୍ତ ଅବସ୍ଥାରେ ବାହାରେ ପଡିଥିବା ଦେଖି ପଡୋଶୀ ଲୋକେ ପୁଲିସକୁ ଖବର ଦେଇଥିଲେ ।
ଖବର ପାଇ ଧର୍ମଶାଳା ଆଇଆଇସି ସରୋଜ କୁମାର ସାହୁ ସେଠାରେ ପହଁଚି ଗୁରୁତର ଆହତ ଅବସ୍ଥାରେ ପଡିଥିବା ତରୁଲତାଙ୍କ ସ୍ୱାମୀ ନିତ୍ୟରଞନ ଓ ଝିଅ ଜୟଶ୍ରୀ ଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଉଭୟ ବାପା ଓ ଝିଅଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ଏହି ଘଟଣାରେ ମୃତ ଶିକ୍ଷୟତ୍ରୀ ତରୁଲତାଙ୍କ ଭାଇ ଭଜମୋହନ ବିଶ୍ୱାଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩୦୨/୩୦୭ ଦଫାରେ ମାମଲା ରୁଜୁ କରି ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ତରୁଲତାଙ୍କ ମୃତଦେହକୁ ବ୍ୟବଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଥିଲା । ତେବେ ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ଏହି ଘଟଣାର କୌଣସି ଟେର ପାଇ ନଥିଲା । ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ, ଏସପି ଚରଣସିଂ ମିନା ସେଠାରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଏହି ତଦନ୍ତ ସମୟରେ ସ୍ଥାନୀୟ ଅଂଚଳର ଯୁବକ ସୁନିଲ ଉପରେ ପୋଲିସର ସନେ୍ଦହ ହେବାରୁ ତାକୁ ଥାନାକୁ ଆଣି ପଚରା ଉଚରା କରିଥିଲା ।
ପରେ ସେ ନିଜର ଦୋଷକୁ ସ୍ୱାକାର କରିଥିଲା । ଶିକ୍ଷୟତ୍ରୀଙ୍କ ନାବାଳିକା ଝିଅକୁ ଏକତରଫା ପ୍ରେମ କରି ବିଫଳ ହେବା ପରେ ତାର ପରିବାର ଲୋକଙ୍କୁ ଜୀବନରୁ ମାରିଦେବା ଲାଗି ସେ ନିଷ୍ପତି ନେଇଥିଲା । ଯୋଜନା ମୁତାବକ ରବିବାର ରାତି ପା୍ରୟ ସାଡେ ଦଶଟା ସମୟେରେ ସେ ନିଜ ଘରୁ ଏକ କାଙ୍କ(ମାରଣାସ୍ତ୍ର) ନେଇ ଶିକ୍ଷୟତ୍ରୀ ତରୁଲତା ବିଶ୍ୱାଳଙ୍କ ଘର ଫଛ ପଟେ ଲୁଚିରହିଥିଲା । ଏହି ସମୟରେ ମୁହଁ ଧୋଇବା ଲାଗି ତରୁଲତା ବାହାରକୁ ଆସିବା ସମୟରେ ଅତର୍କିତ ଭାବେ କାଙ୍କରେ ଆକ୍ରମଣ କରିବାରୁ ସେ ଚିକ୍ରାର କରି ତଳେ ପଡିଯାଇଥିଲେ ।
ଏହି ଚିକ୍ରାର ଶୁଣି ତାଙ୍କ ସ୍ୱାମୀ ଓ ଝିଅ ବାହାରକୁ ଆସିବା ସମୟରେ ସେମାନଙ୍କୁ ମଧ୍ୟ ସେ ଏହି ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ଉଭୟ ବାପା ଓ ଝିଅ ସେଠାରେ ଗୁରୁତର ଅବସ୍ଥାରେ ପଡିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ସୁନିଲ ଘଟଣା ସ୍ଥଳରୁ ଫେରାର ହୋଇଯାଇ ନିଜ ଘରେ ଲୁଚି ରହିଥିଲା । ତେବେ ପୋଲିସ ତଦନ୍ତରେ ସେହିଁ ଏହି କାଣ୍ଡ ଭିଆଇଥିବା ସ୍ୱିକାର କରିଥିଲା । ଅଭିଯୁକ୍ତର ବୟାନ ଅନୁସାରେ ତା ଘରେ ଲୁଚାଇ ରଖିଥିବା କାଙ୍କକୁ ପୋଲିସ ଜବତ କରିଛି । ଆଜି ଅଭିଯୁକ୍ତ ସୁନିଲକୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଅନ୍ୟପଟେ ଗୁରୁତର ଆହତ ଉଭୟ ବାପା ଓ ଝିଅ ଏବେ ଭୁବନେଶ୍ୱରସ୍ଥିତ ଏମ୍ସରେ ଚିକିତ୍ସାଧିନ ଥିବା ଜଣାଯାଇଛି ।
