ଧାମନଗର : ସାରା ଭାରତ ବର୍ଷ କରୋନା ସତକର୍ତା ନିମନ୍ତେ ଲକ୍ଡାଉନ ଥିବା ବେଳେ ମଦ୍ୟପ ଓ ଚୋରା ମଦ ବ୍ୟବସାୟ ପାଇଁ ସବୁ ଦୁଆର ଖୋଲା ରହିଛି । ଚୋରା ମଦ ବେପାରୀଙ୍କ ପାଇଁ ଅବକାରୀ ବିଭାଗ ଓ ପୋଲିସ ଯେତେ କଟକଣା କଲେବି ସେମାନେ ଆଇନକୁ ବେଖାତିର କରି ତାଙ୍କର ସାମ୍ରାଜ୍ୟ ବଢାଇଚାଲିଛନ୍ତି । ସମଗ୍ର ଧାମନଗର ଅଞ୍ଚଳ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ଡାଉନରେ ଥିବା ବେଳେ ଧାମନଗର ପୋଲିସ ଏହି ସମୟରେ ଜଣେ ଚୋରା ମଦ ବେପାରୀ ପାଖରୁ ବିପୁଳ ପରିମାଣରେ ମଦ ଜବତ କରିଛି । ଦେହୁଡି ଆନନ୍ଦପୁର ଗ୍ରାମ ପଞ୍ଚାୟତ ଉତେଇପୁର ଗ୍ରାମର ବାବାଜି ପତି ନାମକ ଜଣେ ଚୋରା ମଦ ବ୍ୟବସାୟୀକୁ ପୋଲିସ ଗିରଫ କରିଥିବା ବେଳେ ତା ନିକଟରୁ ପ୍ରାୟ ୨୧ଲିଟର ବିଦେଶୀ ମଦ ଓ ଆସ୍କା-୪୦ ଜବତ କରିଛି । ଧାମନଗର ପୋଲିସ ଏ ସମ୍ପର୍କରେ ଥାନାରେ ୭୨/୨୦ରେ ଏକ ମାମଲା ରୁଜୁ କରି ବାବାଜି ପତିକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ତେବେ ଅବକାରୀ ବିଭାଗ ଧାମନଗର ଠାରେ ଥିବା ତାଙ୍କ ନୂତନ କାର୍ଯ୍ୟାଳୟକୁ ବର୍ଷ ବର୍ଷ ଧରି ଲକ୍ଡାଉନ କରି ପକାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଭଦ୍ରକରେ ରହୁଛନ୍ତି । ତେଣୁ ଚୋରା ମଦ ବ୍ୟବସାୟୀ ମାନେ ଧାମନଗର ଅଞ୍ଚଳରେ ତାଙ୍କର ମଦ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ଏପରିକି ବିଭାଗୀୟ ଅଧିକାରୀମାନଙ୍କ ଜ୍ଞାତସାରରେ ଧାମନଗରରେ ଚୋରା ମଦ କାରବାର ଚାଲୁଛି ବୋଲି ଅଭିଯୋଗ ହେଉଛି । ମଝିରେ ମଝିରେ ନିର୍ଦ୍ଦିଷ୍ଟ କେତେ ଜଣ ଚୋରା ମଦ ବେପାରୀଙ୍କୁ ପୋଲିସ ଅଥବା ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ସେମାନେ ଦିନେ କିମ୍ବା ଦୁଇ ଦିନରେ ଜାମିନରେ ଆସି ପୁଣି କାରବାର ଚଳାଉଛନ୍ତି । ଧାମନଗର ଅଞ୍ଚଳରେ ଏହି ଚୋରାମଦ କାରବାରକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।