ଧାମନଗର : ଧାମନଗର ଅଞ୍ଚଳରେ କ୍ରମାଗତ ଭାବେ କରୋନା ସଂକ୍ରମଣ ବଢୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଧାମନଗର ଏନ୍ଏସି ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟଡ଼ାଉନ୍ ଘୋଷଣା କରିଛନ୍ତି । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଥିବାବେଳେ ଓଡ଼ିଶାରେ ମଧ୍ୟ ସ୍ଥିତି ଅସମ୍ଭାଳ । ଜୁଲାଇ ମାସରେ ସାବଧାନ ରହିବାପାଇଁ ସରକାରଙ୍କ ତରଫରୁ ତାଗିଦ କରାଯାଇଥିଲେ ହେଁ ଏହାକୁ ଲୋକେ ଭୃକ୍ଷେପ କରୁନାହାନ୍ତି । ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଧାମନଗର ସଦର ଏନ୍ଏସି ରେ ଜଣେ ଘରୋଇ ଡ଼ାକ୍ତରଙ୍କ କରୋନାରେ ମୃତୁ୍ୟ ହେବାପରେ ବହୁ ରୋଗୀଙ୍କ ସହିତ ତାଙ୍କର ସମ୍ପୃକ୍ତିକୁ ନେଇ ଲୋକେ ଛାନିଆ ହୋଇ ପଡ଼ିଥିଲେ । ପରେ ସମ୍ପୃକ୍ତ ଡ଼ାକ୍ତରଙ୍କ ଜଣେ ଭାଇଙ୍କ ମୃତୁ୍ୟ ହେବା ଏବଂ ଅନ୍ୟ ଜଣେ ଭାଇଙ୍କ କରୋନା ପଜିଟିଭ ବାହାରିବା ଘଟଣା ସ୍ଥାନୀୟ ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଧାମନଗର ଏନ୍ଏସି ସ୍ଥିତ ଆଦର୍ଶ ବିଦ୍ୟାଳୟ କୋଭିଡ଼ କେୟାର ସେଣ୍ଟର ଓ ଧାମନଗର ହାଇସ୍କୁଲ ସଂଗରୋଧ କେନ୍ଦ୍ରରୁ ଜଣେ ଲେଖାଁଏ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବାପରେ ପ୍ରଶାସନ ସଜାଗ ହୋଇ ଉଠିଛି । ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ଧାମନଗର ଏନ୍ଏସିକୁ ୧୭ତାରିଖ ଶୁକ୍ରବାର ସକାଳ ୫ଟା ଠାରୁ ୨୦ତାରିଖ ସୋମବାର ସକାଳ ୫ଟା ପର୍ୟ୍ୟନ୍ତ ୭୨ଘଣ୍ଟା ସଟ୍ଡ଼ାଉନ୍ ଘୋଷଣା କରିଛନ୍ତି ।
ସେହିପରି ମୁସ୍ତଫାପୁର ଅଞ୍ଚଳର ଜଣେ ବ୍ୟକ୍ତି ସଂମ୍ପୃକ୍ତ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ଚିହ୍ନଟ ହୋଇଥିବାରୁ ଉକ୍ତ ପଞ୍ଚାୟତର ସରପଞ୍ଚ ବିଷ୍ଣୁ ଦାସ ତାଙ୍କର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଦୋବଲ ଓ କାଳୀବଜାରକୁ ୪୮ଘଣ୍ଟିଆ ସଟ୍ଡ଼ାଉନ୍ ଘୋଷଣା କରିଛନ୍ତି । ଫଳରେ ଶନିବାର ଓ ରବିବାରକୁ ମିଶାଇ ମୁସ୍ତଫାପୁରରେ ମୋଟ ୪ଦିନ ସଟ୍ଡ଼ାଉନ୍ ଲାଗୁହୋଇଥିବା ଜଣାଯାଇଛି । ଧାମନଗର ଏନ୍ଏସି ଅଞ୍ଚଳକୁ ଗୁରୁବାର ଦିନ ଦମକଳ ସାହାଯ୍ୟରେ ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା ବିଶୋଧନ କରାଯାଇଥିବାବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ କୋଭିଡ଼-୧୯ ନିୟମକୁ କଢାକଢି ଭାବେ ପାଳନ କରିବାପାଇଁ ପଦକ୍ଷେପ ନିଆଯାଉଛି । ଏହି ଘଡ଼ି ସନ୍ଧି ମୁହୁର୍ତ୍ତରେ ଲୋକେ କୋଭିଡ଼ ନିୟମକୁ ସଠିକ୍ ଭାବେ ପାଳନ କରିବା ସହିତ ପ୍ରଶାସନକୁ ସମ୍ପୁର୍ଣ୍ଣ ସହଯୋଗ କରିବାକୁ ଧାମନଗର ତହସିଲଦାର ରାଧାକାନ୍ତ ବାରିକ, ଏନ୍ଏସି ନିର୍ବାହୀ ଅଧିକାରୀ ଯତିନ୍ଦ୍ର କୁମାର ମିଶ୍ର, ଆଇଆଇସି ରତିକାନ୍ତ ଗିରି ପ୍ରମୁଖ ଅନୁରୋଧ କରିଛନ୍ତି ।