Odisha news

ରାଜନୈତିକ ପଶାପାଲିରେ ଧାମନଗର ସମବାୟ ସମିତି : କୁଜିନେତାଙ୍କ ସ୍ୱାର୍ଥ ପାଇଁ ବଳିପଡୁଛନ୍ତି ଚାଷୀ

0

ଧାମନଗର, ତା୨୪ା୬ : ଧାମନଗର ସେବା ସମବାୟ ସମିତିରେ ବିଗତ ପ୍ରାୟ ଦୁଇ ମାସ ହେଲା ରାଜନୈତିକ କୁଜିନେତାଙ୍କ ନାଟକବାଜି ଦେଖିବାକୁ ମିଳୁଛି । କ୍ଷମତା ଲୋଭରେ ଅନ୍ଧ ହୋଇ ଧାମନଗର ସହର ବିଜେଡ଼ି ଓ ବିଜେପି ଦୁଇ ପ୍ରମୁଖ ଦଳର କେତେକ ସ୍ଥାନୀୟ ନେତା ବହୁ ଚାଷୀଙ୍କ ଭରସାର କେନ୍ଦ୍ରବିନ୍ଦୁ ଧାମନଗର ସେବା ସମବାୟ ସମିତିକୁ ଅଚଳ କରି ଦେଇଛନ୍ତି । ସମବାୟ ନିର୍ବାଚନରେ ଜିତି ଉକ୍ତ ସମିତିକୁ ହାତେଇବାସହ ଘିଅ ମହୁରେ ଭାସିବାର ସ୍ୱପ୍ନରେ ବିଭୋର ହୋଇ ସ୍ଥାନୀୟ ରାଜନୈତିକ ନେତାମାନେ ଲଗାତାରଭାବେ ଗୋଟିଏ ପରେ ଗୋଟିଏ ଭୁଲ କରି ଚାଲିଛନ୍ତି ।

ଦୁଇ ଦୁଇ ଥର ନିର୍ବାଚନ ଘୋଷଣା ହେବା, ଦୁଇଜଣ ସମିତି ସମ୍ପାଦକ ବଦଳିବା , ଦୁଇଜଣ ନିର୍ବାଚନ ଅଧିକାରୀ ଦାୟିତ୍ୱ ନେବା , ଶେଷରେ ନିର୍ବାଚନ କାଗଜପତ୍ର ଲୁଟ କରାଯାଇ ଥାନାରେ ମାମଲା ରୁଜୁ ହେବା ସହିତ ନିର୍ବାଚନ ଅନିର୍ଦିଷ୍ଟକାଳ ପାଇଁ ବନ୍ଦହେବା ଓ ଜଣେ ଅଭିଯୁକ୍ତ ଗିରଫ ହେବାଭଳି ଘଟଣା ଲାଗି ରହିଲା । ଗତ ପ୍ରାୟ ୧୫ ଦିନ ହେଲା ସମିତି କାର୍ଯ୍ୟାଳୟ ବନ୍ଦ ରହିବାରୁ ଚାଷୀମାନେ ଆନେ୍ଦାଳନ କରିବାକୁ ବାଧ୍ୟହେଲେ ।

ବହୁ ମହିଳାଙ୍କ ସମେତ ଶତାଧିକ ଚାଷୀ ସମିତିର ବନ୍ଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହିତ ଦାୟିତ୍ୱ ଦିଆଯାଇଥିବା ସମ୍ପାଦକ ଅରୁଣ ଉଦୟ ପାତ୍ରଙ୍କୁ ହଟାଇ ଅନ୍ୟଜଣେ ସମ୍ପାଦକ ନିଯୁକ୍ତି ଦାବି କରିଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀ ଶ୍ରୀପାତ୍ରଙ୍କୁ ହଟାଇ ଦଳାଙ୍ଗ ସେବା ସମବାୟ ସମିତିର ସମ୍ପାଦିକା ସ୍ୱାଗତିକା ରାଉତଙ୍କୁ ଧାମନଗର ସମବାୟ ସମିତିର ଅତିରିକ୍ତ ଦାୟିତ୍ୱ ଦେଇଥିବାବେଳେ ଆଜି ସମିତି କାର୍ଯ୍ୟାଳୟ ଖୋଲାଯାଇଥିବା ଜଣାଯାଇଛି । ତେବେ ଆଗକୁ କ’ଣ ଘଟୁଛି ତାହା ଦେଖିବାକୁ ବାକି ରହିଛି ।

Leave A Reply