ଧାମନଗର  : ବୈତରଣୀ ନଦୀର ଶାଖା ଗେଙ୍ଗୁଟି ନଦୀବନ୍ଧରେ ବାରମ୍ବାର  ଫାଟ ସୃଷ୍ଟି ହେବା ଓ ଧସିବା ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ବୈତରଣୀ ନଦୀରେ  ବନ୍ୟା ଛାଡିଥିବା ବେଳେ ଲୋକଙ୍କ ଦୁର୍ଦଶା ବଢି ବଢି ଚାଲିଛି । ଏପରି ସମୟରେ ବୈତରଣୀର ଶାଖା ଗେଙ୍ଗୁଟି ନଦୀବନ୍ଧ ବାରମ୍ବାର ଧସୁଥିବାରୁ ସେଠାକାର ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗେଙ୍ଗୁଟି ନଦୀରେ ବନ୍ୟା ସମ୍ପୂର୍ଣ୍ଣ ଛାଡିନଥିବା ବେଳେ ନଦୀବନ୍ଧ ଧସୁଥିବାରୁ ଏହା ଯେ କୌଣସି ସମୟରେ ବିପଦ ସୃଷ୍ଟି କରିବା ସମ୍ଭା ବନା ରହିଛି । ଗେଙ୍ଗୁଟି ନଦୀର ଦକ୍ଷୀଣପାଶ୍ୱର୍ ନଦୀବନ୍ଧ ଗତକାଲି ରାତିରେ ଦଳାଙ୍ଗ ଠାରେ ପ୍ରାୟ ୧୦୦ଫୁଟରୁ ଉଦ୍ଧ୍ୱର୍ ନଦୀଗର୍ଭକୁ ଧସିଥିବା ବେଳେ ସେଠାରେ ପ୍ରାୟ ୨୦୦ଫୁଟରୁ ଅଧିକ ଲମ୍ବର ଫାଟ ସୃଷ୍ଟି ହୋଇଛି ।

ପ୍ରାୟ ୮କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଗେଙ୍ଗୁଟି ନଦୀର ନନ୍ଦୀପୁର ଠାରୁ କଣ୍ଟିଦୋଳ ପର୍ଯ୍ୟନ୍ତ ଏହି ପ୍ୟାକେଜର କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବାରୁ ନଦୀବନ୍ଧ ବାରମ୍ବାର ଧସୁଛି । ଠିକାଦାର ଓ ଜଳସମ୍ପଦ ବିଭାଗର ସ୍ଥାନୀୟ ଯନ୍ତ୍ରୀଙ୍କ ଚରମ ଅବହେଳା ତଥା ଖାମଖିଆଲ କାର୍ଯ୍ୟପାଇଁ ଏପରି ଅବସ୍ଥା ସୃଷ୍ଟି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।  ଲଘୁଚାପ ବର୍ଷା ଓ ବନ୍ୟାରେ ଗେଙ୍ଗୁଟି ନଦୀର ଉଭୟ ବାମ ଓ ଦକ୍ଷୀଣ ପାଶ୍ୱର୍ ବନ୍ଧର ୪ଟି ପ୍ୟାକେଜ କାର୍ଯ୍ୟ ପ୍ରାୟ ୩୦କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟୟ ଅଟକଳରେ କରାଯାଉଥିବା ବେଳେ ସମ୍ପୃକ୍ତ ଠିକାଦାର ମାନେ ଉକ୍ତ କାର୍ଯ୍ୟପ୍ରତି ଆଦୌ ଯତ୍ନବାନ ହେଉନାହାଁନ୍ତି । ଫଳରେ  ବନ୍ଧର ଦୃଢୀକରଣ କାର୍ଯ୍ୟ ନିମ୍ନ ମାନର ହେଉଛି । ବାରମ୍ବାର ନଦୀବନ୍ଧ ଓ ପଥର ପ୍ୟାକିଂ ଧସୁଥିବାରୁ ଏହାର ବିଭାଗୀୟ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ଠିକାଦାରଙ୍କୁ କଳାତାଲିକା ଭୁକ୍ତ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି

LEAVE A REPLY

Please enter your comment!
Please enter your name here