Odisha news

ବୈତରଣୀ ବନ୍ୟାରେ ଉବୁଟୁବୁ ଧାମନଗର, ସ୍ଥିତି ଗମ୍ଭୀର : ଲକ୍ଷାଧିକ ଲୋକେ ପାଣିଘେରରେ, ଯୋଗାଯୋଗ ବିଚ୍ଛିନ୍ନ, ଓଡ୍ରାଫ ଟିମ୍ ଦ୍ୱାରା ୫ଜଣ ଉଦ୍ଧାର

0

ଧାମନଗର : ବୈତରଣୀ ଓ ତାର ଶାଖା କୋଚିଳା ଓ ଗେଙ୍ଗୁଟି ନଦୀରେ ପ୍ରବଳ ବନ୍ୟା ଆସି ଧାମନଗର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏହି ବନ୍ୟାରେ ଧାମନଗର ଏନଏସି ଓ ବ୍ଲକର ୩୧ ଟି ପଞ୍ଚାୟତର ୧୩୨ ଟି ରାଜସ୍ୱ ଗ୍ରାମର ଲକ୍ଷାଧିକ ଲୋକେ ପାଣି ଘେରରେ ରହିଛନ୍ତି । ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦ ସଂକେତର ପ୍ରାୟ ୨ମିଟର ରୁ ଉଦ୍ଧ୍ୱର୍ରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସେଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଗୁରୁବାର ରାତି ୮ଟା ସୁଦ୍ଧା ୨୦.୦୪ ମିଟରରେ ବନ୍ୟାଜଳ ପ୍ରବାହିତ ହୋଇ ସ୍ଥିର ରହିଥିବା ଜଣାଯାଇଛି । ଉପର ମୁଣ୍ଡରେ ପାଣି କମୁଥିବା ବେଳେ ନଦୀର ତଳମୁଣ୍ଡରେ ବନ୍ୟାଜଳ ବୃଦ୍ଧିପାଇ ପରିସ୍ଥିତି ଅଣାୟତ୍ତ ହେଉଛି । ବୈତରଣୀର ତଳମୁଣ୍ଡ ଗାନ୍ଧୀଘାଟ ଠାରେ ବିପଦ ସଂକେତ ୬.୭ ମିଟର ଥିବା ବେଳେ ସେଠାରେ ୮ ମିଟରରୁ ଉଦ୍ଧ୍ୱର୍ରେ ବନ୍ୟାଜଳ ପ୍ରବାହିତ ହୋଇ କ୍ରମଶଃ ବୃଦ୍ଧି ପାଉଥିôବା ଜଣାଯାଇଛି ।

ବୈତରଣୀ ନଦୀର ମଲ୍ଲୀମାହାରା, ଗୌରାଙ୍ଗପୁର ଓ ଗେଙ୍ଗୁଟି ନଦୀର ପାହାଡ଼ପୁର, ଗାଇଛନ୍ଦା, ମଠମାହାରା, କନ୍କେଇ ଏସକେପ୍ରେ ବନ୍ୟାଜଳ ବାହାରି ଧାମନଗର ବ୍ଲକର ବିସ୍ତୃତ ଅଞ୍ଚଳ ବୁଡ଼ାଇ ଥିବା ବେଳେ ପ୍ରମୁଖ ରାସ୍ତାଘାଟ ବୁଡ଼ିଯାଇଛି । ଧାମନଗର- ଷେଣ୍ଡପୁର, ଖଡ଼ିପଦା- ଆନନ୍ଦପୁର, ବେଦପୁର- ପଧାନି, ଧାମନଗର- ଫଳପୁର, ଧୁଷୁରୀ- ହସନବାଦ ପ୍ରୁମଖ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଯୋଗାଯୋଗ ସଂମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

ଧାମନଗର ବ୍ଲକର ପ୍ରାୟ ୧୦ହଜାର ୯୬୦ ହେକ୍ଟର ·ଷଜମି ବୁଡ଼ିଥିବା ବେଳେ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ପଙ୍ଗଟାର ଜଣେ ବୃଦ୍ଧ ବନ୍ୟାଜଳରେ ଭାସିଯାଉଥିବା ବେଳେ ଓଡ୍ରାଫ ଟିମ୍ ତାଙ୍କୁ ଉଦ୍ଧାର କରିଛି । ସେହିପରି ଅର୍ଜ୍ଜୁନପୁର, ପଙ୍ଗଟା ଓ କାଞ୍ଜିଆପାଳରରୁ ମୋଟ ୫ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି ।

ପଧାନି, ନଦୀଗାଁ ଓ ଅର୍ଜ୍ଜୁନପୁର ବନ୍ୟା ଆଶ୍ରୟ ସ୍ଥଳିରେ ତଳିଆ ଅଞ୍ଚଳର ୪୬ ଜଣ ବ୍ୟକ୍ତିଙ୍କୁ ରଖାଯାଇଥିବା ବେଳେ ୨୩ଟି ପଞ୍ଚାୟତର ପାଣି ଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ସରପଞ୍ଚ ମାନଙ୍କୁ କୁହାଯାଇଛି ବୋଲି ଧାମନଗର ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ସୂଚନା ଦେଇଛନ୍ତି ।

ସେହିପରି ଅର୍ଜ୍ଜୁନପୁର, ପଧାନି, ହସନାବାଦ ପଞ୍ଚାୟତର ୩୫ଟି ପରିବାରକୁ ରାଜସ୍ୱ ବିଭାଗ ତରଫରୁ ପାଲ ଦିଆଯାଇ ଅସ୍ଥାୟୀ ଭାବେ ନଦୀ ବନ୍ଧରେ ରଖାଯାଇଥିବା ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳ ଡଃ ଜ୍ଞାନ ଦାସ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଧାମନଗର ବନ୍ୟାଞ୍ଚଳ ଗସ୍ତ କରି ଉଦ୍ଧାର ଓ ଥଇଥାନ କାର୍ଯ୍ୟ ତ୍ୱରାନ୍ୱୀତ କରିବା ସହିତ ପାଣି ଘେରରେ ଥିବା ଲୋକଙ୍କ ପାଖରେ ତୁରନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ପହଞ୍ଚାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ତେବେ କରୋନା ସଂକ୍ରମଣକୁ ମୁକାବିଲା କରୁଥିବା ପ୍ରଶାସନ ବନ୍ୟାପାଇଁ ପ୍ରସ୍ତୁତ ନଥିବାରୁ ପାଣି ଘେରରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନ ବିଫଲ ହୋଇଛି ।

Leave A Reply