ବାସୁଦେବପୁର,୧୦/୮ : ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ବାଲିମୁଣ୍ଡା ପଂଚାୟତଠାରେ ଧାମରା ବନ୍ଦର ପ୍ରସ୍ତାବିତ ଏୟାର ଷ୍ଟ୍ରିଫ ବିସ୍ଥାପିତମାନଙ୍କର ଧାରଣା ସପ୍ତମ ଦିନରେ ପହଂଚିଛି । ଆଜି ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଧାରଣା ସ୍ଥଳରେ ପହଂଚି ବିସ୍ଥାପିତଙ୍କ ସମସ୍ୟା ପଚାରି ବୁଝିବା ସହିତ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି । ସମସ୍ତଙ୍କ ସହମତି ଭିତ୍ତିରେ ବାଲିମୁଣ୍ଡା ଅଂଚରେ ଏୟାର ଷ୍ଟ୍ରିଫ ହେଉ କିନ୍ତୁ ବିସ୍ଥାପିତମାନଙ୍କୁ କମ୍ପାନୀ କ୍ଷତିପୂରଣ ଦେବା ସହିତ ନିର୍ମାଣ କାମରେ ସ୍ଥାନୀୟ ଯୁବକ ଯୁବତୀ ଓ ଶ୍ରମିକମାନଙ୍କୁ ନିୟୋଜିତ କରିବା ଓ କାମରେ ଲାଗୁଥିବା ଟ୍ରକ, ଟ୍ରାକ୍ଟର ଏହି ଗ୍ରାମର ଲୋକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବା ଆବଶ୍ୟକ ବୋଲି ବିଧାୟକ କହିଥିଲେ । ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ବିସ୍ଥାପିତଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ ବୋଲି ବାସୁଦେବପୁର ବିଧାୟକ ଶ୍ରୀରାଉତରାୟ ଧାରଣା ସ୍ଥଳକୁ ଯାଇ ଧାରଣାକାରୀଙ୍କୁ କହିଥିଲେ । ବାଲିମୁଣ୍ଡା ଏୟାର ଷ୍ଟ୍ରିଫ ଅଂଚଳ ପାଇଁ ଦଖଲରେ ରହିଥିବା ଲୋକ ଓ ପଟ୍ଟା ଭୁକ୍ତ ସଂପୂର୍ଣ୍ଣ ଚାଷୀଙ୍କର ସଠିକ୍ ପ୍ରାପ୍ୟ ଦିଆଯିବା, ଚାଷଜମିରୁ ବର୍ଷାଜଳ ନିଷ୍କାସନ କରିବା, ଏୟାର ଷ୍ଟ୍ରିଫ ନିର୍ମାଣ କାର୍ଯ୍ୟରେ ଯେଉଁ ପାଂଚ ଜଣ ସମାଜସେବୀ ସହଯୋଗ କରୁଛନ୍ତି ସେମାନଙ୍କୁ ବିଭିନ୍ନ କାମରେ ଅଗ୍ରାଧିକାର ଦେବା, ବାସହରା ଲୋକମାନଙ୍କୁ ୧୦ ଡିସମିଲ ଘରବାଡି ଜମି ଯୋଗାଇ ଦେବା ଓ ୧ଲକ୍ଷ ଟଙ୍କା ସହ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଦାବୀ କରାଯାଇଛି ବୋଲି ଧାରଣାକାରୀ ବିଧାୟକଙ୍କୁ ଜଣାଇଥିଲେ । ପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିସ୍ଥାପିତଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦିଆଯିବ ବୋଲି ବିଧାୟକ କହିଛନ୍ତି ।
