ଭଦ୍ରକ/ଧାମନଗର, ତା୧୨ା୧୦ : ମହିଳା ସଶକ୍ତୀକରଣ କ୍ଷେତ୍ରରେ ସାରା ଦେଶରେ ସବୁବେଳେ ଉଦାହରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟରେ ଧାମନଗର ଉପ-ନିର୍ବାଚନ ପାଇଁ ଏବର ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମରେ ଶ୍ରୀମତୀ ଦାସ ତିହିଡି ଅଂଚଳରେ ସିଆରପି ଭାବେ କାର୍ଯ୍ୟକରିଥିଲେ । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଶ୍ରୀମତୀ ଦାସ କାଆଁପଡା ପଂଚାୟତର ବିଜେଡି ସମର୍ଥନରେ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ତାଙ୍କୁ ତିହିଡି ବ୍ଲକରେ ପଞ୍ଚାୟତ ସମିତିରେ ଅଧ୍ୟକ୍ଷା ଭାବେ ବସାଇଥିଲେ । ଧାମନଗର ଉପନିର୍ବାଚନ ପାଇଁ ଗୋଟିଏ ଗୋଷ୍ଠୀ ଡାକ୍ତର ସଂଜୟ ଦାସଙ୍କୁ ବିଜେଡି ଟିକେଟ ଦେବାଲାଗି ଦାବି କରୁଥିବାବେଳେ ନିଜେ ମୁକ୍ତି ଟିକେଟ ପାଇବା ଲାଗି ଜୋରଦାର ଲବି କରିଥିଲେ । ସେପଟେ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ତାଙ୍କ ଲବିକୁ ସବୁଠୁ ଅଧିକ କରିଥିବା ଦେଖାଯାଇଥିଲା । ଶେଷରେ ବିଜେଡି ସୁପ୍ରିମୋ ଭଦ୍ରକର ସମସ୍ତ ବିଧାୟକ, ପର୍ଯ୍ୟବେକ୍ଷକଙ୍କୁ ଡକାଇ ଶ୍ରୀମତୀ ଦାସଙ୍କୁ ଧାମନଗର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଦଳୀୟ ସୁପ୍ରିମୋ ସିଧାସଳଖ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଟିକେଟ ଦେଇ ନାହାଁନ୍ତି ସତ୍ କିନ୍ତୁ ତାଙ୍କ ଏକାନ୍ତ ସହଯୋଗୀ ଶ୍ରୀମତୀ ଦାସଙ୍କୁ ଟିକେଟ ଦେଇ ରାଜୁଙ୍କ ପତିଆରାକୁ ଅଧିକ ମଜବୁତ୍ କରିଥିବା ରାଜନୈତିକ ତଥ୍ୟଭିଜ୍ଞ ମହଲରୁ ଜଣାଯାଇଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କଂଗ୍ରେସ ଦଳରେ ବହୁ ଅଭିଜ୍ଞ, ପୁରୁଖା ନେତା ଦଳୀୟ ଟିକେଟ ପାଇଁ ଆଶାୟୀ ଥିବାବେଳେ ଦଳ ଜଣେ ନବାଗତ ଯୁବକଙ୍କୁ ଭରସା କରିଛି । ଧାମନଗର ସହରର ଜଣେ ଯୁବ ଆଇନଜୀବୀ ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ନିର୍ବାଚନ ମୈଦାନକୁ ପଠାଇଛି । ଧାମନଗର ବିଧାନସଭା ଆସନ ସଂରକ୍ଷିତ ହେବା ପରେ ଦଳ ସବୁ ନିର୍ବାଚନରେ ନୁଆ ନୁଆ ପ୍ରାର୍ଥୀ ଦେଉଛି ଏବଂ ସମସ୍ତ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ତେବେ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା ପରେ କଂଗ୍ରେସ ଶିବିରରେ ନୁଆ ଆଶା ସଂଚାର ହୋଇଛି
