ଡେରାବିଶ : ଭାରତୀୟ ନାଗରିକମାନଙ୍କ ପରିଚୟ ପାଇଁ ଲୋଡ଼ା ହେଉଥିବା ଆଧାର କାର୍ଡ଼ ବର୍ତମାନ ସମୟରେ ସମସ୍ତ ସରକାରୀ, ବେସରକାରୀ ଯୋଜନା ଏବଂ ବ୍ୟାଙ୍କ ଭଳି ଆର୍ଥିକ ସଂସ୍ଥା ମାନଙ୍କରେ ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି । ବିନା ଆଧାର କାର୍ଡ଼ରେ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ତେବେ ସରକାରଙ୍କ ତରଫରୁ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ଆଧାରକାର୍ଡ଼ ଗୁଡ଼ିକ ଭାରତୀୟ ଡାକ ବିଭାଗ ଦ୍ୱାରା ହିତାଧିକାରୀମାନଙ୍କ ନିକଟରେ ପହଂଚାଯାଇଥାଏ ।

ହେଲେ କିଛି ଅସାଧୁ ଡାକବିଭାଗ କର୍ମଚାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏଗୁଡ଼ିକ ଲୋକଙ୍କ ପାଖରେ ପହଂଚିବା ବଦଳରେ ନାଳ ଓ ନଦୀରେ ଫିଙ୍ଗିଦିଆଯାଉଥିବାର ଦେଖିବାକୁ ମିଳିଛି । ଆଜିଖମୋଳ ପଂଚାୟତର ଖମୋଳ ଗ୍ରାମଦେଇ ଯାଇଥିବା ୧୨ ନମ୍ବର କେନାଲ୍ରେ ୫୦୦ରୁ ଉଦ୍ଧ୍ୱର୍ ଆଧାର କାର୍ଡ଼ ଏକ ଅଖାରେ ଭର୍ତି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ନାଳରେ ଏକ ବନ୍ଧା ହୋଇ ଭାସୁଥିବା ଅଖା ଦେଖି କୌତୁହଳ ବଶତଃ ଖମୋଳ ଗ୍ରାମର ଗୋଲଖ ଚନ୍ଦ୍ର ନାୟକଙ୍କ ପୁଅ ପ୍ରଦୀପ କୁମାର ନାୟକ ଏହାକୁ ଖୋଲି ଦେଖିବା ପରେ ଏହି ବସ୍ତା ମଧ୍ୟରୁ ୫୦୦ରୁ ଉଦ୍ଧ୍ୱର୍ ଆଧାର କାର୍ଡ଼ ପାଇଥିଲେ । ସେଗୁଡ଼ିକୁ ଖେଳେଇ ଦେଖିବାରୁ ତାଙ୍କ ନାମରେ ଥିବା ଆଧାର କାର୍ଡ଼ଟି ମଧ୍ୟ ଏଥିରେ ପଶିଥିବା ଦେଖିବାକୁ ପାଇଲେ । ଯେଉଁ କାର୍ଡ଼ ପାଇଁ କିଛିମାସ ପୂର୍ବରୁ ଆବେଦନ କରି ଆଧାର କାର୍ଡ଼ଟି ପାଇବା ପାଇଁ ବାରମ୍ବାର ଜନସେବା କେନ୍ଦ୍ରକୁ ଦୌଡ଼ୁଥିଲେ ।

ଏହି ଖବର ପ୍ରଚାରିତ ହେବା ପରେ ଚାନେ୍ଦାଳ ଉପଡାକଘର ଅଧୀନ ଜହ୍ନିମୂଳ ଶାଖା ଡାକଘର ଅନ୍ତର୍ଗତ ଖମୋଳ, ଜହ୍ନିମୂଳ, ପଟଣା, କରିମୂଳ ଆଦି ଗ୍ରାମର ଲୋକମାନେ ପହଂଚି ପାଣି ମଧ୍ୟରୁ ଉଦ୍ଧାର ହୋଇଥିବା ବସ୍ତାରୁ ସେମାନଙ୍କ ଆଧାର କାର୍ଡ଼ ବାଛି ନେଇଥିଲେ । ତହିଁରୁ କିଛି କାର୍ଡ଼ ପାଣିରେ ଭେଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି କାର୍ଡ଼ ସ୍ୱେଚ୍ଛାସେବୀ ମାନେ ଉଦ୍ଧାର କରି ନିଜ ତରଫରୁ ବାଂଟିଥିବା ଜଣାପଡ଼ିଛି । ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକକର୍ମଚାରୀମାନଙ୍କର ଏଭଳି ଦାୟିତ୍ୱ ହୀନତା ପାଇଁ ଜନସାଧାରଣ ହଇରାଣ ହେଉଥିବା ବେଳେ ଏହି ଗୁରୁତର ଓ ସମ୍ବେଦନଶୀଳ ଘଟଣାର ବିଧିବଦ୍ଧ ତଦନ୍ତ କରି ଦାୟିତ୍ୱରେ ଅବହେଳା କରୁଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଖମୋଳ ପଂଚାୟତ ଅଧୀବାସୀ ଦାବି କରିଛନ୍ତି

LEAVE A REPLY

Please enter your comment!
Please enter your name here