Odisha news

ସଟ୍ଡାଉନ୍ ଶେଷ ପର୍ଯ୍ୟନ୍ତ ସାଲେପୁର ସାପ୍ତାହିକ ହାଟକୁ ରବିବାର ପରିବର୍ତ୍ତେ ସୋମବାର କରିବାପାଇଁ ଦାବି

0

ସାଲେପୁର : ସାଲେପୁର ସାପ୍ତାହିକ ହାଟ ସପ୍ତାହକୁ ଦୁଇଦିନ ହୋଇଥାଏ । ଗୁରୁବାର ଓ ରବିବାର ଏହି ହାଟ ଅନୁଷ୍ଠିତ ହୋଇଥାଏ । ଏହି ହାଟକୁ ଜିଲ୍ଲା ଓ ଜିଲ୍ଲା ବାହାରରୁ ବହୁ ବ୍ୟବସାୟୀ ଓ ଆଖପାଖ ଅଞ୍ଚଳର ବହୁ ଚାଷୀ ନିଜ ନିଜର ପନିପରିବା ଚାଷ କରି ଏହି ହାଟରେ ବିକ୍ରି କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ସରକାରଙ୍କ ନୂତନ କରୋନା କଟକଣା ଘୋଷଣା କରାଯାଇଛି । କଟକ ଜିଲ୍ଲା ସମେତ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ସଟ୍ ଡାଉନ୍ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାଲେପୁରର ଏହି ସାପ୍ତାହିକ ହାଟ ରବିବାର ହେଉଥିବାରୁ ସଟ୍ ଡାଉନ୍ ଯୋଗୁ ଏହା ବସିବ ନାହିଁ ।

ଫଳରେ ଆଖପାଖ ଅଞ୍ଚଳର ଚାଷୀମାନେ ବିଭିନ୍ନ ପନିପରିବା ବିକ୍ରି କରିବାର କୌଣସି ସୁବିଧା ପାଇବେ ନାହିଁ । ଫଳରେ ଚାଷୀମାନଙ୍କର ବ୍ୟାପକ କ୍ଷତି ଘଟିବା ସହ ଖାଉଟୀମାନେ ଉପଯୁକ୍ତ ମୂଲ୍ୟରେ ପନିପରିବା ପାଇପାରିବେ ନାହିଁ । ଅପର ପକ୍ଷରେ ଏହାର ସୁଯୋଗ କେତେକ ଅସାଧୁ ବ୍ୟବସାୟୀ ଉଠାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ହାଟ ବନ୍ଦ ହୋଇଯିବା ଯୋଗୁ ଏହି ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ ଉଚ୍ଚା ଦରରେ ଖାଉଟୀମାନଙ୍କୁ ପନିପରିବା ବିକ୍ରି କରିବେ ବୋଲି ବହୁ ଖାଉଟୀ ଅଭିଯୋଗ କରିଛନ୍ତି । ଏହାର ନଜିର ମଧ୍ୟ ଆଜି ଗୁରୁବାର ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି । ଆସନ୍ତା ରବିବାର ସଟ୍ଡାଉନ୍ ହେଉଥିବାରୁ ହାଟ ବନ୍ଦ ରହୁଥିବାରୁ ଏହା ନେଇ ଆଜି କେତେକ ଅସାଧୁ ବ୍ୟବସାୟୀ ଉଚ୍ଚା ଦରରେ ପନିପରିବା ବିକ୍ରୟ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ସାଲେପୁର ସାପ୍ତାହିକ ହାଟକୁ ସଟ୍ଡାଉନ୍ ଅବଧି ଶେଷ ହେବା ପର୍ଯ୍ୟନ୍ତ ରବିବାର ପରିବର୍ତ୍ତେ ସୋମବାର କରିବାପାଇଁ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଓ ଜନସାଧାରଣମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Leave A Reply