Odisha news

ଗୋପାଳପୁର ବନ୍ଦରରେ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦାବିରେ ଧାରଣା

0

ଛତ୍ରପୁର,୯/୬ : ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରିବା ପରେ ଛଟେଇ କରାଯାଇଥିବା ଶ୍ରମିକମାନଙ୍କୁ ତୁରନ୍ତ ଗୋପାଳପୁର ବନ୍ଦରରେ ପୁନଃନିଯୁକ୍ତି ଦାବିରେ ଧାରଣା ଦିଆଯାଇଛି । ଗୋପାଳପୁର ବନ୍ଦରରେ ପ୍ରାୟ ୨୦ ରୁ ୨୫ ବର୍ଷ ହେବ ଟ୍ରକ ଟ୍ରାନ୍ସପୋର୍ଟ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟ କରି ଆସୁଥିବା ୨୧୯ ଜଣ ଶ୍ରମିକଙ୍କୁ ବନ୍ଦର କର୍ତ୍ତୃପକ୍ଷ ଛଟେଇ କରିଛନ୍ତି । ଉକ୍ତ ଶ୍ରମିକଙ୍କୁ ଉପରୋକ୍ତ କାର୍ଯ୍ୟରେ ପୁନଃନିଯୁକ୍ତି ଦାବି ନେଇ ଶ୍ରମିକମାନେ ମଙ୍ଗଳବାର ବନ୍ଦର ମୁଖ୍ୟ ଫାଟକ ଠାରୁ ୫୦୦ ମିଟର ଦୂର ତଥା ଡୁବୁଲି ଛକ ଠାରେ ଧାରଣା ଦେଇଛନ୍ତି ।

ଶ୍ରମିକମାନଙ୍କ ନିଯୁକ୍ତି ପ୍ରସଙ୍ଗରେ ବନ୍ଦର କର୍ତ୍ତୃପକ୍ଷ କୋଣସି ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଧାରଣାରେ ଶ୍ରମିକ ବି.ଭୀମସେନ, ବି.ଶଙ୍କର,ବି.ରମେଶ, କେ.ଭାଗିରଥୀ,ବି.ରାମେୟା, ଜି.ରାମୁଡୁ, ବି.ଚିନ୍ନେୟା, ଜେ.ପୋଲେୟା ସମେତ ଶତାଧିକ ଶ୍ରମିକ ସାମିଲ ହୋଇଛନ୍ତି । ଏ ସଂକ୍ରାନ୍ତରେ ବନ୍ଦର ପରିସରରେ କେତେକ ଶ୍ରମିକ ୟୁନିୟନ୍ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଶ୍ରମିକମାନଙ୍କ ଦାବି ପୂରଣ ହେଲା ଭଳି ସେଭଳି କିଛି ସମାଧାନର ବାଟ ବାହାରିନଥିଲା ।

ପରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଛି । ସନ୍ଧ୍ୟାରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ନେଇ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍‌, ତହସିଲଦାର ନୀଳମାଧବ ଭୋଇ, ଗୋପାଳପୁର ବନ୍ଦର ସିଇଓ କ୍ୟାପଟନ୍ ସନ୍ଦୀପ ଅଗ୍ରୱାଲ, ଡେପୁଟି ସିଇଓ ସନ୍ଥ ଖେର ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଶ୍ରମିକମାନେ ସେମାନଙ୍କ ଦାବି ପୂରଣ ନେଇ ଧାରଣାକୁ ଜୋରଦାର କରିଛନ୍ତି । ଶ୍ରମିକମାନେ ଧାରଣା ସ୍ଥଳରେ ହିଁ ରାତ୍ର ଭୋଜନ ବ୍ୟବସ୍ଥା କରି ରୋଷେଇ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଶ୍ରମିକମାନଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଦିବାରାତ୍ର ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରମିକମାନେ ସୂଚନା ଦେଇଛନ୍ତି ।

Leave A Reply