ତିହିଡି : ବିଭିନ୍ନ ଘରୋଇ ଋଣ ଲଗାଣକାରୀ ସଂସ୍ଥାର ନେଇଥିବା ଋଣ ଛାଡ କରିବା ଦାବିରେ ଆଜି ଶତାଧିକ ମହିଳା ତିହିଡି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏମାନେ ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବିଡିଓ ଦାୟିତ୍ୱରେ ଥିବା ତହସିଲଦାର ରମେଶ ପଣ୍ଡାଙ୍କୁ ପ୍ରଦାନ କରିଥିଲେ ।
ପ୍ରକାଶ ଯେ, ଏହି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତର ମହିଳାଗୋଷ୍ଠୀ ଗୁଡିକ ତିହିଡିରେ ଥିବା ଭାୟା,, କେଜିଏଫଏସ୍, ଆରୋହଣ, ଆନନ୍ଦିତା, ଭେକ୍ଟର, ଜନକଲ୍ୟାଣ, କେପିଟାଲ, ସ୍ପନ୍ଦନା, ବନ୍ଧନ,ଏଲ.ଏଣ୍ଡଟି. ସମସ୍ତା ଓ ଅନ୍ନପୂର୍ଣ୍ଣା ଆଦି ଘରୋଇ ସଂସ୍ଥାରୁ ଋଣ ନେଇଥିଲେ । ସେହିପରି ଭଦ୍ରକର ଏକ୍ସିସ ବ୍ୟାଙ୍କ, ଏଚଡିଏଫସି, ଡିସିବି, ଜନ ବ୍ୟାଙ୍କ, ସୂର୍ଯ୍ୟଦୋୟ ଓ ଫୁଲ୍ଟନ ଆଦି ବ୍ୟାଙ୍କରୁ ମଧ୍ୟ ଋଣ ଆଣିଥିଲେ । ତେବେ ବର୍ତ୍ତମାନ କରୋନା ଜନିତ ପରିସ୍ଥିତି କାରଣରୁ ଲୋକେ ବେରୋଜଗାର ହୋଇପଡିଥିବା ବେଳେ ଘରୋଇ ସଂସ୍ଥା ଗୁଡିକ ଋଣ ଅସୁଲ କରିପାରିବେ ନାହିଁ ବୋଲି ସରକାର ନିଦେ୍ର୍ଦଶ ଦେଇଥିବା ବେଳେ ଉପରୋକ୍ତ ସଂସ୍ଥା ଗୁଡିକ କିନ୍ତୁ ଏହାକୁ ପାଳନ ନକରି ଋଣ ପୈଠ କରିବାକୁ ମହିଳା ମାନଙ୍କୁ ବାଧ୍ୟ କରୁଥିବା ସହ ବିଭିନ୍ନ ଧମକଚମକ ଦେଉଛନ୍ତି ।
ତେଣୁ ଉକ୍ତ ଘରୋଇ ସଂସ୍ଥା ଗୁଡିକର ଏତାଦୃଶ ଦୌରାତ୍ମ୍ୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କ ଋଣ ଛାଡ କରିବା ଦିଗରେ ପଦକ୍ଷେପ ନେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି । ଆଜି ପୂର୍ବାହ୍ଣରେ ମହିଳାମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ତିହିଡି ବଜାର ପରିକ୍ରମା କରିବା ସହ ତିହିଡି ବ୍ଲକ କାର୍ଯ୍ୟାଳୟ ପହଞ୍ଚି ବିଡିଓ ଶ୍ରୀ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରତିମା ପତି, ରୀତାଞ୍ଜଳି ମହାଳିକ, ଉର୍ମିଳା ବାରିକ, ଛବିରାଣୀ ପାଢୀ, ରୀତାରାଣୀ ପାଢୀ, ପୂର୍ଣ୍ଣିମା ମହାଳିକ, ମିନତି ପାଣି, ସୁକାନ୍ତି ଦାସ, ସୁକାନ୍ତି ବେହେରା, କମଳିନି ବେହେରା, ପାର୍ବତୀ ଶିଅଳ, ଅନୁପମା ବେହେରା, ରୁନିପ୍ରଭା ପଣ୍ଡା, ବାସନ୍ତୀ ଦାସ, ଗୁରୁବାରୀ ଜେନା, ପୁଷ୍ପଲତା ପାତ୍ର, ସୁକାନ୍ତି ଦାସ ଓ ମାଳତୀ ମହାଳିକ ପ୍ରମୁଖ ଶତାଧିକ ମହିଳା ଏଥିରେ ସାମିଲ ଥିଲେ ।