ନୂଆଦିଲ୍ଳୀ: ଶୁକ୍ରବାର ରାତିରେ ନୂଆଦିଲ୍ଲୀର କରୋଲ ବାଗ ଏବଂ ଧୌଲା କୁଆଁ ଅଞ୍ଚଳ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିବା ସୂଚନା ରହିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ ଏହି ଆତଙ୍କବାଦୀ ଜଣକ ପୂର୍ବରୁ ଦିଲ୍ଲୀରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲା
ରାଜଧାନୀ ଦିଲ୍ଳୀଠାରେ ହୋଇଥିବା ଗୁଳି ବିନିମୟରେ ଗତକାଲି ବିଳମ୍ବିତ ରାତିରେ ଜଣେ ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍ ଆଇଏସ୍ଆଇଏସ୍ର ଏହି ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଆଇଏସ୍ଆଇଏସ୍ର କିଛି ଆତଙ୍କବାଦୀ ରାଜଧାନୀ ଦିଲ୍ଲୀରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଲୁଚି ରହିଥିଲେ ବୋଲି ଦିଲ୍ଲୀ ପୁଲିସ୍ ସୂଚନା ଦେଇଛି।
ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି ଚିହ୍ନଟ କରାଯାଇଛି। ଆବୁ ୟୁସୁଫ୍ ଦିଲ୍ଲୀର କିଛି ସହଯୋଗୀଙ୍କ ସହ କାମ କରୁଥିଲା। ପୁଲିସ ବର୍ତ୍ତମାନ ଏହି ସହଯୋଗୀମାନଙ୍କୁ ଖୋଜୁଛି। ଆବୁ ୟୁସୁଫ ଉତ୍ତରପ୍ରଦେଶର ବଳରାମପୁରର ବାସିନ୍ଦା। ପୁଲିସ୍ ଆବୁକୁ ଗିରଫ କରିବା ପରେ ତା’ ଘରେ ଚଢ଼ାଉ ଆରମ୍ଭ କରିଛି।
ଦିଲ୍ଲୀର ଡେପୁଟି କମିସନର ପ୍ରମୋଦ ସିଂ କୁସୱାହା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କି, ‘ଧୌଲାକୁଆଁଠାରେ ଆମର ସ୍ବତନ୍ତ୍ର ସେଲ୍ ଦ୍ବାରା ହୋଇଥିବା ଗୁଳି ବିନିମୟରେ ଆଇଏସ୍ଆଇଏସ୍ର ଜଣେ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ କିଛି ଇମ୍ପ୍ରୁଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍(ଆଇଇଡି) ଜବତ କରାଯାଇଛି।’
