ଡେଲାଙ୍ଗ,୧୦/୧—ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମରେ ରବିବାର ପିପିଏଲ କ୍ରିକେଟର ଉଦଯାପନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଏହି ଲିଗ ମ୍ୟାଚରେ ସମୁଦାୟ ୬ଟି ଦଳ ଭାଗନେଇ ସେମାନଙ୍କର କ୍ରୀଡା କୌଶଳ ପ୍ରଦର୍ଶନ କରିଥିଲେ।ଉକ୍ତ ଉଦଯାପନୀ ମ୍ୟାଚ ଉତ୍ପଳା କିଙ୍ଗ ଏବଂ ଗୋପୀନାଥ ରିଟେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଉତ୍ପଳା ଟିମ ପ୍ରଥମେ ଟସ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ଓଭରରେ ୪ଉଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା।ଜବାବରେ ଗୋପୀନାଥ ରିଟେନ ଟିମ ସେହି ୧୨ଓଭର ଖେଳରେ ୮ଉଇକେଟ ହରାଇ ୯୬ରନ ସଂଗ୍ରହ କରି ପରାଜୟ ସ୍ୱୀକାର କରିଥିଲା।ଏହି ମ୍ୟାଚରେ ୨୭ରନ ଆଗୁଆ ଥାଇ ଉତ୍ପଳା ଟିମ ପ୍ରତିପକ୍ଷ ଦଳକୁ ହରାଇ ବିଜୟ ଘୋଷିତ ହେବା ସହ ଚମ୍ପିୟାନ ହୋଇଥିଲା।ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୁବବ୍ୟବସାୟୀ ରାଧାମୋହନ, ସମ୍ମାନୀତ ଅତିଥି ଭାବେ ଉଦୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ରନାଥ ବେହେରା,ବାନାମ୍ବର ଏମ୍ଇ ସ୍କୁଲର ଶିକ୍ଷକ ଚକ୍ରଧର ମହାପାତ୍ର ଓ ଗୋପକୃଷ୍ଣ ମହାପାତ୍ର ଯୋଗଦେଇ ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀଙ୍କ କ୍ରିକେଟ କ୍ରୀଡା ପ୍ରତି ଥିବା ଆଗ୍ରହ ଓ ଉତ୍ସାହର ଭୂୟସୀ ପ୍ରଶଂସା କରିଥିଲେ।କରୋନାର ତୃତୀୟ ଲହର ସଂକ୍ରମଣରୁ ରକ୍ଷା ପାଇବା ପାଇଁ କ୍ରୀଡା ଓ ବ୍ୟାୟାମ ସହ ନିୟମିତ ମାସ୍କ ପରିଧାନ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।ମୁଖ୍ୟ ଅତିଥିଙ୍କ ଦ୍ୱାରା ଆୟୋଜକଙ୍କ ପକ୍ଷରୁ ଚମ୍ପିୟାନ ଟିମକୁ ଟ୍ରଫି ସହ ନଗଦ ୧୦ହଜାର ଟଙ୍କା ଏବଂ ରନର୍ସ ଅପ ଟିମକୁ ନଗଦ ୮ହଜାର ଟଙ୍କା ପ୍ରୋତ୍ସାହନ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା।ଅଶୋକ ମହାପାତ୍ର ଓ କିରଣ ସାହୁ ଅମ୍ପାୟାର ଦାୟିତ୍ୱ ନିର୍ବାହ କରିଥିଲେ।ଟୁଇନ, ମିଟୁ,ସମୀର,ଜଗୁ,ଲୋକା,ଚିକୁ,ପାପୁନି ଓ କାହ୍ନୁ ସାର କ୍ରୀଡା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ।ପ୍ରହରାଜପୁର ପ୍ରିମିୟର ଲିଗର ସଭାପତି କେଶବ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।