ଡେଲାଙ୍ଗ, ୧୦/୦୧ : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତର ଗୁଡୁପାଇଲୋ ଗ୍ରାମରେ ଶ୍ରୀ ରଘୁନାଥଜୀଉ ଦିବ୍ୟ ସତସଙ୍ଗ ପରିଷଦ ଓ ଶ୍ରୀ ଚରଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ମୋ ଗାଁ ସୁନେଲି ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଇନଜୀବୀ ରସାନ୍ତ କୁମାର ପରିଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ଲୋକ କଳା ଓ ସାହିତ୍ୟକୁ ଗ୍ରାମାଭିମୁଖୀ କରିବା ପାଇଁ ଗାଁରେଥିବା କଳାକାର, ସାହିତ୍ୟିକଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ସେମାନଙ୍କ ଭିତରେ ଓଡିଶା ସଂସ୍କୃତିକୁ ଉଦ୍ଜୀବିତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଚରଣ ଜେନା, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ଶିକ୍ଷକ ଶ୍ରୀଧର ପ୍ରଧାନ, ଶିକ୍ଷା ବିଭାଗ ପ୍ରଶାସନିକ ଅଧିକାରୀ ଦ୍ୟୁତିକାନ୍ତ ପ୍ରଧାନ, ଅବସରପ୍ରାପ୍ତ ସାମରିକ କର୍ମଚାରୀ ମହେନ୍ଦ୍ର ପ୍ରଧାନ ଯୋଗଦେଇ ଲୋକ ସାହିତ୍ୟ ଓ ସଂସ୍କୃତିର ସ୍ଥିତି, ପ୍ରଗତି ଓ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀ, ଶିକ୍ଷକ, ସାମ୍ବାଦିକ, କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ଵାରା ଲୋକକଳା ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ଶିକ୍ଷକ ଶ୍ରୀଧର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ସର୍ବେଶ୍ଵର ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ।ଶିକ୍ଷକ ମିଟୁ କିଶୋର ପ୍ରଧାନ ଓ ଛାଟୋଇ ମୋତିଲାଲ ରାୟ ସହଯୋଗ କରିଥିଲେ।
