ଦଶରଥପୁର : ମୌସୁମୀ ସକ୍ରିୟ । ସାଙ୍ଗକୁ ଲଘୁଚାପର ପ୍ରଭାବ । ପ୍ରବଳରୁ ଅତି ପ୍ରବଳ ବର୍ଷା । ସମଗ୍ର ଦଶରଥପୁର ବ୍ଲକ୍ରେ ଏହି ବର୍ଷା ତାଣ୍ଡବ ରଚିଛି । ଗତ ୧୨ ଘଣ୍ଟା ମଧ୍ୟରେ ପ୍ରାୟ ୩୦ ସେ.ମି.ରୁ ଅଧିକ ବର୍ଷା ହୋଇଛି ଏହି ବ୍ଲକ୍ରେ । ବର୍ଷାପାଣିରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ହଜାର ହଜାର ହେକ୍ଟର ଧାନଜମି ଏବେବି ବୁଡ଼ିରହିଛି । ବ୍ଲକ୍ର ବହୁ ପଞ୍ଚାୟତରେ ଏହି ପ୍ରବଳ ବର୍ଷା ଫଳରେ ଶତାଧିକ କଚ୍ଚାଘର ଭାଙ୍ଗି ମାଟିରେ ମିଶିଯାଇଛି । ଗାଁ ଦାଣ୍ଡରେ ଚାଲିଛି ପାଣିର ସୁଅ । ବର୍ଷାର ଏପରି ତାଣ୍ଡବରେ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି ।
ବ୍ଲକ୍ର ବିହାରୀ, ରାହାସୋଇ, ଚିତାଳୋ, ତଳିହା, ବିରଜାପୁର, ଅକରପଡ଼ା, କଟିକଟା, ଚମ୍ପେଇପାଳ, ଇଜାପୁର, ବିରୁହାଁ, ଗ୍ରାମନନ୍ଦିପୁର, ଡାହାଣହତା, ଦଶରଥପୁର, କନିକାପଡ଼ା, ବିରିପଟା, ପାଲଟପୁର, ଜାଫରପୁର, ଚଷାଖଣ୍ଡ, ଅସନପୁର ପ୍ରଭୃତି ପଞ୍ଚାୟତରେ ପ୍ରାୟ ହଜାର ହଜାର ହେକ୍ଟରର ଧାନଜମି ଜଳପ୍ଳାବିତ ହୋଇଛି । ଏହି ଧାନଜମିରେ ପ୍ରାୟ ୫ ଫୁଟ୍ ଉଚ୍ଚରେ ପାଣି ଜମିରହିଛି । ଫଳରେ ସଦ୍ୟ ରୁଆ ହୋଇଥିବା ଧାନ ବିଶେଷଭାବେ କ୍ଷତିଗ୍ରସ୍ତ ହେବ ବୋଲି ବିହାରୀ ପଞ୍ଚାୟତର ଚାଷୀ ରାଜକିଶୋର ମଲ୍ଲିକ, ଉତ୍ତମ କୁମାର ସାମଲ, ଚନ୍ଦ୍ରଶେଖର ସାମଲ, ନୃସିଂହ ମଲ୍ଲିକ, ଦିବାକର ସାହୁ, ନରୋତ୍ତମ ମଲ୍ଲିକ, ପ୍ରଦୀପ କୁମାର ସାମଲ, ଦିଲ୍ଲୀପ କୁମାର ସାମଲ, କଟିକଟା ପଞ୍ଚାୟତର ଚାଷୀ ମାୟାଧର ସାହୁ, କାଉରୀ ଜେନା, ଦିଲ୍ଲୀପ ଜେନା, ହାଡ଼ିବନ୍ଧୁ ସାହୁ, ଶରତ ଚନ୍ଦ୍ର ସାହୁ, ନାରାୟଣ ସାହୁ ପ୍ରମୁଖ କହିଛନ୍ତି । ବିଶେଷକରି ବିହାରୀ ପଞ୍ଚାୟତର ପାଳଦା, ବିହାରୀ, ଛତିଶ ବିହାରୀ, ସାଉଣ୍ଡି, କଟିକଟା ପଞ୍ଚାୟତର ବିହିପୁର, ହୀରାପୁର, କଟିକଟା, ଚାନ୍ଦପୁର, ବିରଜାପୁର ପଞ୍ଚାୟତର ବଡ଼ଆଦମପୁର, ବିରଜାପୁର, ଚମ୍ପେଇପାଳ ପଞ୍ଚାୟତର ଓଡ଼େଇ, ଉଦୟପୁର, ଚମ୍ପେଇପାଳ, ତରାଙ୍ଗସାଗରପୁର ପ୍ରମୁଖ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ବର୍ଷାପାଣିରେ ବୁଡ଼ିରହିଛି ।
ବିହାରୀ ପଞ୍ଚାୟତର ପାଇକସାହିଠାରୁ ରାହାସୋଇ ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଉପରେ ପ୍ରାୟ ଦୁଇ ଫୁଟ୍ ଉଚ୍ଚରେ ଏହି ବର୍ଷାପାଣି ପ୍ଳାବିତ ହେଉଛି । ଏହି ରାସ୍ତାରେ କଲଭର୍ଟ କମ୍ ଥିବାରୁ ଉପର ମୁଣ୍ଡରୁ ପ୍ରବଳ ପାଣିଆସି ଠିକ୍ଭାବେ ଜଳ ନିଷ୍କାସନ ହୋଇନପାରିବାରୁ ପାଖ ଗ୍ରାମର ବହୁ ଲୋକଙ୍କ ଘରେ ବର୍ଷାପାଣି ମାଡ଼ିଯାଇଛି । ପାଇକସାହି ଗ୍ରାମର ନରୋତ୍ତମ ଦାସ ଓ ଚନ୍ଦ୍ରଶେଖର ସାମଲଙ୍କ ଘରଭିତରେ ପାଣି ପଶିଯାଇଛି । ଏଥିସହ ବିହାରୀ ପଞ୍ଚାୟତର ପାଇକସାହି ଗ୍ରାମର ରାଧାରାଣୀ ସାମଲ, ପ୍ରଫୁଲ୍ଲ ସାମଲ, ପ୍ରଦୀପ ସାମଲ, ପ୍ରମୋଦ ସାମଲ, କଟିକଟା ପଞ୍ଚାୟତସ୍ଥ କଟିକଟା ଗ୍ରାମର ବିଜୟ ବେହେରାଙ୍କର କଚ୍ଚାଘର ଏହି ବର୍ଷାଫଳରେ ସମ୍ପୂର୍ଣ୍ଣଭାବେ ଭାଙ୍ଗି ମାଟିରେ ମିଶିଯାଇଛି । ଡ୍ରେନେଜ୍ ଅବସ୍ଥା ଠିକ୍ ନଥିବାରୁ ପାଣି ନିଷ୍କାସନ ଠିକ୍ଭାବେ ହୋଇପାରୁନି ବୋଲି ବିହାରୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବାଷ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।
ଡ୍ରେନେଜ୍ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ନାଳକୁ ଖନନ କରାଯାଇଥିବାବେଳେ ବାସ୍ତବରେ ଏହି ବର୍ଷାପରେ ଏହିସବୁ ନାଳରେ ଜଳ ନିଷ୍କାସନ ଠିକ୍ଭାବେ ହେଉନି ବୋଲି ସ୍ପଷ୍ଟ ପ୍ରମାଣ ମିଳିଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏଥିସହ ବର୍ଷାଜଳରେ ବୁଡ଼ିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାରେ ତୁରନ୍ତ ଆଉ ନୂଆ ୪ ଗୋଟି କଲଭର୍ଟ ନିର୍ମାଣ କରିବା ନେଇ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ଶତାଧିକ ଚାଷୀ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ଓ କନିଷ୍ଠ ଯନ୍ତ୍ରୀ ବିନୋଦ କୁମାର ଶିଅଳଙ୍କ ନିକଟରେ ଦାବୀ କରିଛନ୍ତି । ତୁରନ୍ତ ବ୍ଲକ୍ ପ୍ରଶାସନ ଓ ତହସିଲ ପକ୍ଷରୁ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କୁ ସାହାଯ୍ୟ ଯୋଗାଇବା ସହ ଭାଙ୍ଗିଥିବା ଘର ଯୋଗାଇ ଦେବାକୁ ଦାବୀ ହୋଇଛି । ପାଣି ଜମିଥିବା ଧାନଜମିଗୁଡ଼ିକରୁ ପାଣି ନିଷ୍କାସନ ହୋଇପାରୁନଥିବାରୁ ୮ ଦିନରୁ ଉଦ୍ଧ୍ୱର୍ ପର୍ଯ୍ୟନ୍ତ ପାଣି ଜମିରହିଥିବାର ଆଶଙ୍କା ରହିଥିବାରୁ ଯଦି ଧାନ କ୍ଷତିଗ୍ରସ୍ତ ହୁଏ ତେବେ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବୀ ହୋଇଛି ।
