ଦଶପଲ୍ଲା : ଦଶପଲ୍ଲା ର ଐତିହାସିକ ଲଙ୍କାପୋଡି ଯାତ୍ରା ର ସପ୍ତମ ଦିବସ ରେ ମୁଖ୍ୟ ମଞ୍ଚରେ ବିରାୟୁଧ ବଦ୍ଧ ଓ ବେଢ଼ାପରିକ୍ରମା ନାଟକ ମଂଚସ୍ଥ ହୋଇଯାଇଛି । ରାମାୟଣ କଥାବସ୍ତୁ ଅନୁଯାୟୀ ଶ୍ରୀରାମ,ଲକ୍ଷ୍ମଣ ଓ ମାତା ସୀତାଙ୍କ ବନବାସ ସମୟ ରେ ଚିତ୍ରକୁଟ ଅରଣ୍ୟ ରେ ଅବସ୍ଥାନ କରନ୍ତି । ଏହି ସମୟ ରେ ବହୁ ମୁନିଋଷି ଙ୍କ ସହ ପ୍ରଭୁ ଶ୍ରୀରାମ ଙ୍କ ସାକ୍ଷାତ ହୁଏ । ଏହି ଅବସ୍ଥାନ ସମୟ ରେ ବିରାୟୁଧ ନାମକ ଅସୁର ଶ୍ରୀରାମ ଓ ଲକ୍ଷ୍ମଣ ଙ୍କୁ ଖାଇବା ପାଇଁ ଉଭୟ ଙ୍କୁ ଅଚେତ କରି ନେଇଯାଉଥିବା ବେଳେ ସତୀ ସୀତା ପଛରୁ ରୋଦନ କରି ପଛେ ପଛେ ଯାଆନ୍ତି । ଏହି ସମୟ ରେ ଶ୍ରୀରାମ ଓ ଲକ୍ଷ୍ମଣ ଚେତା ଫେରି ଆସେ । ପରେ ଶ୍ରୀରାମ ଓ ଲକ୍ଷ୍ମଣ ବିରାୟୁଧ ର ହାତଗୋଡ କାଟି ବଦ୍ଧ କରନ୍ତି ଏବଂ ବିରାୟୁଧ ଶାପମୁକ୍ତ ହୋଇ ସ୍ୱର୍ଗକୁ ଚାଲିଯାନ୍ତି । ଏଇଠି ଗୟା ଅଂଚଳରେ ଭ୍ରମଣ କରିବା ବେଳେ ସତୀ ସୀତା ପୁଷ୍ପବତୀ ହେବାରୁ ରାଜା ଦଶରଥ କୁ ପିଣ୍ଡ ଦେଇପାରନ୍ତି ନାହିଁ । ଏଣୁ ସେ ବାଲିପିଣ୍ଡ କରି ପ୍ରଦାନ କଲାବେଳେ ଦଶରଥ ଙ୍କ ଆତ୍ମା ତାକୁ ଗ୍ରହଣ କରି ସ୍ୱର୍ଗ ଚାଲିଯାନ୍ତି । ଏଣୁ ସେ ରାମଚନ୍ଦ୍ର ଙ୍କ ପିଣ୍ଡ ଗ୍ରହଣ କରନ୍ତି ନାହିଁ । ଏଇଠି ପଣ୍ଡାମାନେ ଦକ୍ଷିଣା ପାଇଁ ରାମ ଲକ୍ଷ୍ମଣ ଓ ସୀତା ଙ୍କୁ ବହୁ କଟୁକଥା କହି ସତୀ ସୀତା ଙ୍କ ପଣତକାନି ଧରି ଟାଣନ୍ତି । କ୍ରୋଧରେ ରାମ ସୀତାଙ୍କର ପଣତ କାଟି ପଣ୍ଡା ମାନଙ୍କୁ ଅଭିଶାପ ଦିଅନ୍ତି । ଅତ୍ରି ମୁନିଙ୍କ ଆଶ୍ରମ ରେ ମୁନି ଓ ମୁନିପତ୍ନୀ ସତୀ ଅନୁସୟାଙ୍କ ପଦପୂଜା କରନ୍ତି । ସତୀ ଅନୁସୟା ସୀତା ଙ୍କୁ ଅମ୍ଳାନ ବସ୍ତ୍ର ପ୍ରଦାନ କରନ୍ତି । ସେଠାରୁ ବିଭିନ୍ନ ରୁଷି ମାନଙ୍କ ଆଶ୍ରମ ଭ୍ରମଣ କରି ସେ ପୁରୁଷୋତ୍ତମ କ୍ଷେତ୍ର ରେ ଶ୍ରୀ ଜଗନ୍ନାଥ,ବଳଭଦ୍ର, ଓ ଶୁଭଦ୍ରା ଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ବିଷୟ ରହିଛି । ଯାହାକି ଦଶପଲ୍ଲା ରାମଲୀଳା ର ଏହାହେଉଛି ସ୍ୱତନ୍ତ୍ର ଉପସ୍ଥାପନା । ପରେ ଅଗସ୍ତି ମୁନି ଶ୍ରୀରାମଚନ୍ଦ୍ର ଙ୍କୁ ବ୍ରହ୍ମସ୍ତ୍ର ଓ ଅକ୍ଷୟ ତୁଣୀ ପ୍ରଦାନ କରନ୍ତି । ପରେ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ ଓ ସୀତା ପଞ୍ଚବଟି ରେ ପ୍ରବେଶ କରି ସେଠାରେ କୁଟୀର କରି ବନବାସ କାଳ ଯାପନ କରନ୍ତି ।
