Odisha news

ପ୍ରଦୂଷଣ ରୋକିବାକୁ କୌଣସି ବ୍ୟବସ୍ଥା ନଥିବା ସତ୍ତ୍ୱେ ଟମକା ରେଳବାଇ ପ୍ଳଟ ସାଇଡିଂକୁ କେମିତି ମିଳିଲା ଅନୁମତି

ଗ୍ରୀନ୍ ଟ୍ରିବ୍ୟୁନାଲରେ ଫେରାଦ ପାଇଁ ପ୍ରସ୍ତୁତି

0
ଦାନଗଦି, ତା୨୫/୫ : ପ୍ରଦୂଷଣ ନିୟନ୍ତ୍ରଣ ପରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ବ୍ୟବସ୍ଥା ନଥିବା ସତ୍ତ୍ୱେ ଖୋଦ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ଳଟ ସାଇଡିଂ ଚାଲିବାକୁ ଦେଇ ଚାଲିଛି ଅନୁମତି l ପ୍ରଦୂଷଣ ପାଇଁ ଟମକା ରେଳବାଇ ପ୍ଳଟ ସାଇଡିଂକୁ ପୂର୍ବରୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଥିବା ବେଳେ ପ୍ରଦୂଷଣ ବିଭାଗ ବୁଧବାର ଦିନ ରେଳ ସାଇଡିଂ ପାଇଁ ପୁଣି ୧୦ ମାସିଆ ଅନୁମତି ପ୍ରଦାନ କରିଥିବା ଜଣାପଡିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l
ସୂଚନା ମୁତାବକ ଗତ ୫ମାସ ହେଲା ଟମକା ଷ୍ଟେସନ ସଂଲଗ୍ନ ପ୍ଳଟ ସାଇଡିଂକୁ ଲୁହାପଥର ଆସି ଏଠାରୁ ୱାଗନ ରେ ବୋଝେଇ ହୋଇ ଅନ୍ୟତ୍ର ପରିବହନ କାର୍ଯ୍ୟ ଚାଲୁଥିଲା l ପ୍ଳଟ କାରବାର ଦ୍ଵାରା ସ୍ରୁଷ୍ଟି ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଯାହା ପ୍ରତିଷେଧକ ନିଆଯିବା କଥା ତାହା ଏଠାରେ ଆଦୌ ପାଳନ ହେଉନଥିବା ସତ୍ତ୍ୱେ ସବୁ ନୀତିନିୟମ କୁ ଆଖି ବୁଜି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏଠାରେ ସାଇଡିଂ ଚଳାଇବା ପାଇଁ ପୁଣି ଅନୁମତି ଦେବାରୁ ଅସନ୍ତୋଷ ପ୍ରକାଶ ପାଇଛି l ବୋର୍ଡ କାର୍ଯ୍ୟସ୍ଥଳରେ ଅନୁଧ୍ୟାନ ନକରି କୋଇଲା, ପେଲେଟ, ସ୍ଲାଗ ଓ କ୍ଲିଙ୍କର ପରି ପ୍ରଦୂଷଣ କାରକ ପଦାର୍ଥ ପରିଚାଳନା ପାଇଁ ଅନୁମତି ଦେବା ପ୍ରତିବାଦରେ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରିବାକୁ ସଚେତନ ଲୋକେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି l
ଧୂଳି ଓ ଜଳ ପ୍ରଦୂଷଣକୁ ଅଟକାଇବା ପାଇଁ କଙ୍କ୍ରିଟ ଚଟାଣ ରେ ଖଣିଜ ମହଜୁଦ ରଖିବା ସହିତ ଉକ୍ତ ସ୍ଥାନର ଚାରି ପାଖରେ ସ୍ଥାୟୀ ଉଚ୍ଚ ପ୍ରାଚୀର ନିର୍ମାଣ କରିବାର ପ୍ରଥମ ଆବଶ୍ୟକତା ରହିଛି l ଜଳ ପ୍ରଦୂଷଣ ରୋକିବା ପାଇଁ ଉପଯୁକ୍ତ ନିଷ୍କାସନ ପଥ ନିର୍ମାଣ, ପ୍ରଦୂଷିତ ଜଳ ପରିଚାଳନା ପାଇଁ ଇଟିପି ସ୍ଥାପନ କରିବା ସର୍ବାଗ୍ରେ ଆବଶ୍ୟକ ଅଟେ l ସେହିପରି ପ୍ରଦୂଷିତ ଉଦବୃତ୍ତ ଜଳର ସଠିକ ପରିଚାଳନା କରାଯିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ଵତନ୍ତ୍ର ମାର୍ଗଦର୍ଶିକା ରହିଛି l
ଧୂଳି ପ୍ରଦୂଷଣ ନହେବା ପାଇଁ ନିର୍ଦ୍ଧିଷ୍ଟ ବ୍ୟବଧାନରେ ସ୍ଥାୟୀ ଜଳ ସିଞ୍ଚନ ଯନ୍ତ୍ର ସ୍ଥାପନ କରିବା ସହିତ ଖଣିଜ ପରିବହନ ହେଉଥିବା ରାସ୍ତାରେ ନିୟମିତ ସମୟ ବ୍ୟବଧାନରେ ପାଣି ପକାଇବା ଆବଶ୍ୟକ ହୋଇଥାଏ l ଏହା ବ୍ୟତୀତ ଖଣିଜ ନେଇ ଆସୁଥିବା ଗାଡି ଗୁଡିକର ଚକ ଧୋଇବା ପାଇଁ ହୁଇଲ ୱାସିଂ ସିଷ୍ଟମ ଲଗାଇବା ମଧ୍ଯ ଅନିବାର୍ଯ୍ୟ ଅଟେ l ସେହିପରି ପାଖରେ ଜନବସତି ଓ ବିଦ୍ୟାଳୟ ରହିଥିବାରୁ ପ୍ଳଟ ସାଇଡିଂ ସଂଲଗ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କରିବାର ଆବଶ୍ୟକତା ମଧ୍ୟ ରହିଛି l ପ୍ରଦୂଷଣ ନିୟନ୍ତ୍ରଣ ର ଏସବୁ ନୀତିନିୟମ ଓ ସର୍ତ୍ତ କୁ ପୂରଣ ନକରିବା ଯାଏ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସାଇଡିଂ ପରିଚାଳନା ପାଇଁ ଅନୁମତି ଦେଇନଥାଏ ଲ ବ୍ୟବସ୍ଥିତ ଯନ୍ତ୍ରପାତି ସଠିକ ଭାବେ ପରିଚାଳନା ହେଉଛି କି ନାହିଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ତାହାର ନିୟମିତ ଅନୁଧ୍ୟାନ କରିଥାଏ l
ମାତ୍ର ଏଠାରେ ଗୋଟିଏ ମଧ୍ଯ ପ୍ରଦୂଷଣ ନିୟନ୍ତ୍ରଣ ସର୍ତ୍ତ ପାଳନ ହେଉନଥିଲେ ମଧ୍ୟ କେଉଁ ଆଧାରରେ ବିଭାଗ ଅନୁମତି ଦେଉଛି ଓ କାହା ଚାପରେ ଆଇନ କୁ ଆଖିଠାର ମାରି ବେଧଡ଼କ କାର୍ଯ୍ୟ ଚାଲିଛି ତାହା ବୁଝା ପଡୁନାହିଁ l
କୌଣସି ବ୍ୟବସ୍ଥା ନଥିବା ସତ୍ତ୍ୱେ ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରେଳବାଇ କର୍ତ୍ତୃପକ୍ଷଙ୍କୁ ସାଇଡିଂ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ବୁଧବାର ଦିନ ଦୈନିକ ୮୦୦୦ ଟନ କ୍ଷମତା ର ଖଣିଜ ଓ ଉତ୍ପାଦ୍ୟ ବୋଝେଇ ଖଲାସ ପାଇଁ ପୂର୍ବତଟ ରେଲବାଇର ଏହି ଷ୍ଟେସନକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନୂତନ ଅନୁମତି ପ୍ରଦାନ କରିଛି l କୋଇଲା, ଲୁହାପଥର, ପେଲେଟ, ସ୍ଲାଗ ଓ କ୍ଲିଙ୍କର ପ୍ରଭୃତି ଏଠାରେ ବୋଝେଇ ଓ ଖଲାସ୍ ହୋଇ ପାରିବ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି l ସାଇଡିଂ ରେ କୋଇଲା, ପେଲେଟ ଓ କ୍ଲିଙ୍କର କାରବାର ହେଲେ ଧୂଳି ପ୍ରଦୂଷଣ ରେ ସ୍ଥାନୀୟ ୪ ଟି ଗାଁର ଲୋକେ ସିଧାସଳଖ ଭାବେ ପ୍ରଭାବିତ ହେବେ l ପ୍ଳଟ କୁ ସଂଯୋଗ ରହିଥିବା ରାସ୍ତା ଗ୍ରାମ୍ୟ ସଡକ ହୋଇଥିବାରୁ ଏଥିରେ ଅତି ଭାରିଯାନ ଗୁଡିକ ଚଳାଚଳ କରିବା ଦ୍ୱାରା ରାସ୍ତା କ୍ଷତିଗ୍ରସ୍ତ ହେବା ସହିତ ଧନଜୀବନ ପ୍ରତି ବିପଦ ସମ୍ଭାବନା ରହିଛି l ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସାଇଡିଂ କୁ ଅନୁମତି ପ୍ରଦାନ କରିବା ପୂର୍ବରୁ ପରିବେଶ ଓ ପରିସ୍ଥିତି ସୁରକ୍ଷା ଦିଗକୁ ଅନୁଧ୍ୟାନ କରିବା ଆବଶ୍ୟକ ହୋଇଥିବା ବେଳେ ସାଇଡିଂ ଅନୁମତି ଦେବା ବେଳେ ଏହା ବିଭାଗ ପକ୍ଷରୁ ଆଦୌ ପାଳନ କରାଯାଇ ନଥିବା ଅଭିଯୋଗ ହୋଇଛି l ପ୍ରଦୂଷଣ ବୋର୍ଡ ର ଏହି ଅନୁମତି ବିରୋଧରେ ଗ୍ରୀନ୍ ଟ୍ରିବ୍ୟୁନାଲ ରେ ଫେରାଦ ହେବା ପାଇଁ ପରିବେଶବିତ୍ ପ୍ରସ୍ତୁତ ଚଳାଇଥିବା ଜଣାପଡିଛି l
Leave A Reply