Odisha news

ବାଟବଣା ଦାଦନ !

0

ଇଂ ଶୁଭାଶିଷ ସୈାଭାଗ୍ୟ ଶେଖର ସ୍ୱାଇଁ : ଯିଏ ଶ୍ରମ ଦାନ କରେ ମାତ୍ର କିଛି ଅଗ୍ରିମ ଟଙ୍କା ନେଇ ଓ ଚୁକ୍ତି କରେ ରକ୍ତ, ମାଂସ ଓ ୧୦୬ ଖଣ୍ଡ ହାଡରେ ଗଢା ଶରୀରଟିକୁ ଅନ୍ୟ ପାଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଧା ପାକାଇଥାଏ । ଯେଉଁଠି ଜୀବନ-ଜୀବିକାର ମୂଲ୍ୟ କିଛି ନଥାଏ । ଅସ୍ୱାସ୍ଥ୍ୟକର ପରିବେଶରେ ଦିନ କାଟିବାକୁୁ ହୁଏ । ଅସୁରକ୍ଷିତ ଜୀବନ ସହିତ ଶ୍ରମର ସୀମା ଅସୀମିତ ଏବଂ ଇପିଏଫ, ଇଏସଆଇ ଓ ବୀମା ଆଦି ସ୍ୱପ୍ନ ଯାହା ପାଇଁ ସେ ଦାଦନ ! ରାଷ୍ଟ୍ର ନିର୍ମାଣରେ ଏମାନଙ୍କ ଅବଦାନ ଅତୁଳନୀୟ । ସବୁ କାମ ଆଧୁନିକ ମେସିନ ଯୋଗେ ହୋଇ ପାରେ ନାହିଁ । ପ୍ରତିବଦଳେ ଦାଦନ ପାଆନ୍ତି କଣ ? ପରିଚୟ ହରାନ୍ତି, ଭିଟାମାଟି ଛାଡନ୍ତି, ଠିକଣା ଖୋଜନ୍ତି ଗାଁ ଠାରୁ ସହର । ସତେ ଯେପରି ଏସବୁ ଅଭ୍ୟାସରେ ପରିଣତ ହୋଇ ଯାଇଛି ଗଣମାଧ୍ୟମର ଲେଖା ଓ ସରକାରୀ ଯୋଜନା ଭିତରେ । ଅସରନ୍ତି ସମାଧାନର ପନ୍ଥାଗୁଡିକ ଅଡୁଆ ଖିଅର ସୂତା ପରି ଅଡୁଆ ହେଉଛି ସିନା ପରିବର୍ତ୍ତନର ଚିହ୍ନ ବର୍ଣ୍ଣ ମିଳୁ ନାହିଁ ।

ବର୍ତ୍ତମାନର କରୋନା କାଳରେ ନାନା ପ୍ରତିଶ୍ରୁତି ଓ ସହାୟତା ସେମାନଙ୍କୁ ବାନ୍ଧି ରଖି ପାରିନଥିଲା କର୍ମ କ୍ଷେତ୍ରରେ, କାରଣ ହଠାତ କାମ ବନ୍ଦ ହତାଶ କରିଥିଲା । ତା ସହିତ ବାକିଆ ମଜୁରୀକୁ ପାଇବାର ବିଳମ୍ବ ଯୋଗୁଁ ଲକ ଡାଉନ, ସଟଡାଉନ ସତ୍ତ୍ୱେ ଘର ମୁହାଁ ହୋଇଥିଲେ ଦାଦନ । ହଜାର ହଜାର କିଲୋମିଟର ମାରାଥନ ଚାଲି ଓ ଭୋକିଲା ପେଟରେ ହୃଦୟ ବିଦାରକ ଦୃଶ୍ୟକୁ ରାସ୍ତାରେ ସଭ୍ୟ ସମାଜ ଦେଖି ଆକୁ ଳ ହୋଇଥିଲେ ସତ କିନ୍ତୁ କୂଳରେ ଲଗାଇ ପାରି ନଥିଲେ । ଜିଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାର, ସ୍ୱେଚ୍ଛାସେବୀ ସଂଗଠନ ଓଲଟି ବନ୍ଧକ ରଖିଥିଲେ ଲକଡାଉନ ସରିବା ପର୍ଯ୍ୟନ୍ତ । ସତରେ ଏହା ସ୍ୱାଧୀନତା ସଂଗ୍ରାମର କଳାପାଣିର କାହାଣୀ ପରି । ବହୁ ବିଳମ୍ବରେ ପରିସ୍ଥିତିକୁ ଉପଲବଧି କରି ଲକଡାଉନର ସମୟ ସୀମା ସରି ଆସୁଥିବା ବେଳେ ଟ୍ରେନ ଓ ବସ ଚଳାଇବାର ଅନୁମତି ମିଳିଥିଲା ।

ଫସିଥିବା କିଛି ଲୋକଙ୍କ ଆକୁଳ ନିବେଦନରେ ସହଯୋଗର ହାତ ବଢିବା ସମୁଦ୍ରକୁ ଶଙ୍ଖେ । ସମସ୍ତେ କିଂ କର୍ତ୍ତବ୍ୟ ମୂଢ । ସେତେବେଳେ ପେଟର ତାତି ପାଖରେ ଏମାନଙ୍କର କରୋନାର ଡର ଥିଲା ନା ଏବେ ଅଛି । ଜୀବିକା ହରାଇଥିବା ଲୋକଟି ଜୀବନର ମୂଲ୍ୟ କିପରି ବୁଝିବ ? ସରକାରଙ୍କ ପାଖେ ସଠିକ ହିସାବ ବି ନାହିଁ କେଉଁ ରାଜ୍ୟରେ କେତେ ଲୋକେ ଜୀବିକା ଅନୁସନ୍ଧାନରେ ଯାଇଛନ୍ତି । ଆଉ ଏଠାରେ କେତେ ଲୋକେ ପେଟ ପାଟଣା ପାଇଁ ପଡି ରହିଛନ୍ତି । ତେଣୁ ଦେଶରେ ନେସନାଲ ପପୁଲେସନ ରେଜିଷ୍ଟର(ଏନପିଆର)ର ଆବଶ୍ୟକତା କେତେ ଏଥିରୁ ଜଣା ପଡେ । ଏଥି ସକାଶେ ଏହାକୁ ବିରୋଧ ନକରି ଯଥାଶୀଘ୍ର ଲାଗୁ କରିବାକୁ ରାଜ୍ୟ ସରକାରମାନେ ପଦକ୍ଷେପ ନେବା ଆବଶ୍ୟକ । ଆଜି ଏହି ଜୀବନ ମରଣ ସମସ୍ୟା ଭିତରେ ପୁନଶ୍ଚ ଲୁଚି ଛପି ଯେ କୈାଣସି ବାଟରେ ସହରମୁହାଁ ଦାଦନ । ଯାହା ଜଣାଯାଏ ଦେଶର ୧୧ଟି ରାଜ୍ୟର ୪୮୩୫ ଗ୍ରାମୀଣ ପରିବାରକୁ ନେଇ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଏହି ତଥ୍ୟ ମିଳିଛି ଯେ କରୋନା ଯୋଗୁଁ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ପୁଣିଥିରେ ସହରକୁ ଫେରିବାକୁ ଚାହୁଁଛନ୍ତି । ଏଥିରୁ ୭୪% ପରିବାର କରୋନା ପରିସ୍ଥିତିର ବାଧ୍ୟ ହୋଇ ଗାଁକୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ୨୯% ପ୍ରବାସୀ ସହରକୁ ଫେରିଆସିଥିବାବେଳେ ଆଉ ୪୫% ଏବେ ସହରକୁ ଫେରିବାକୁ ଚାହୁଁଥିବା ସର୍ବେକ୍ଷଣରୁ ଜଣାପଡିଛି । ଗତ ଜୁନ ୨୪ରୁ ଜୁଲାଇ ୮ ମଧ୍ୟରେ ଦେଶର ଓଡିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ତ୍ରିପୁରା, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ ଏବଂ ଆସାମ ଆଦି ରାଜ୍ୟର ୪୫ଟି ଜିଲାକୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କର୍ମ ନିଯୁକ୍ତି ପଦକ୍ଷେପ ସାମାନ୍ୟ ପ୍ରଭାବ ପକାଇ ପାଇ ପାରି ନାହିଁ ।

ବୈଶ୍ୱିକ ମହାମାରୀ କରୋନା ସମୟରେ ଏହି ପ୍ରବାସୀ ଦାଦନ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ରେ ୫୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏଥିରେ ଶ୍ରମିକମାନଙ୍କୁ ନିଜ ଗ୍ରାମ ନିକଟରେ ୨୫ ପ୍ରକାର କାମ ଯୋଗାଇ ଦିଆଯିବ । ପୁନଶ୍ଚ ‘ଆତ୍ମନିର୍ଭର ଭାରତ ଅଭିଯାନ’ରେ ୧.୭୫ ଲକ୍ଷ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି । ସେଥିମଧ୍ୟରେ ୨୪.୫୬ ଲକ୍ଷ ଚାଷୀଙ୍କୁ ୨୦୦ କୋଟି, ୩୮,୯୦୦ ମସô୍ୟ ଚାଷୀଙ୍କୁ ୧୧୧.୪୭ କୋଟି, ୫୨୫୦ ପଶୁପାଳକଙ୍କୁ ୬୨.୨୩ କୋଟି, ମନରେଗାରେ ୪୬.୪୫ ଲକ୍ଷ ଶ୍ରମିକଙ୍କୁ ୬୬୪୦ କୋଟି, ବୟନ ଓ ହସ୍ତତନ୍ତ କ୍ଷେତ୍ରରେ ୩୦ କୋଟି ଆଦି ବିଭିନ୍ନ କ୍ଷେତ୍ରରେ ପ୍ୟାକେଜ ଘୋଷାଣା କରାଯିବା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ବଳ ଯୋଗାଇ ଶ୍ରମିକଙ୍କୁ କର୍ମ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଏସବୁ ସତ୍ତ୍ୱେ ଦାଦନ ଶ୍ରମିକଙ୍କୁ ଅଟକାଇ ପାରି ନାହାନ୍ତି ସରକାର ନିଜ ଭିଟାମାଟିରେ କାହିଁକି ? ଏଥିରେ ଜଣାଯାଏ ପ୍ରଥମେ ୧୯୭୫ରେ ରାଜ୍ୟ କରିଥିବା ଶ୍ରମ ଆଇନ ହେଉ ବା ୧୯୭୯ ମସିହାର ଆନ୍ତରାଜ୍ୟ ପ୍ରବାସୀ ଶ୍ରମଜୀବୀ ଆଇନଟି କାଗଜ, କଲମ ଓ ଫାଇଲରେ ଯେପରି ଶୋଭାବର୍ଦ୍ଧନ କରୁଛି ବାସ୍ତବ କ୍ଷେତ୍ରରେ ତାହା ଭିନ୍ନ ।

ଶ୍ରମିକଟିଏ ଯେଉଁ କ୍ଷେତ୍ରରେ କୁଶଳୀ ସେପରି କାମର ଅଭାବ ସ୍ଥାନୀୟ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯଦି ଜଣେ ପାଇପ ମିସ୍ତ୍ରୀକୁ ଇଟା ଭାଟିରେ, ଇଟା ଭାଟି କାମ କରୁଥିବା ଲୋକଟିକୁ କପଡା କାମ ଦିଆଯାଏ ଝୁଣ୍ଟିବା ସାର ହେବ । ଏହାହିଁ ମୂଳ ସମସ୍ୟା ଉପୁଜିଛି । ତେଣୁ ଏହାର ସମାଧାନ ଯେ ସରକାର ରାତାରାତି କରିଦେବେ ଆଉ ଏଠାରେ ଆବଶ୍ୟକ ମନେ କରୁଥିବା କୁଶଳୀ, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ନିମନ୍ତେ ସେପରି କାରଖାନା ଏହି କରୋନା କାଳରେ ବସାଇ ପାରିବେ ତାହା ନୁହେଁ । ତେଣୁ ଏହାର ସୁଦୀର୍ଘ ବ୍ୟବସ୍ଥା ପୂର୍ବରୁ ଆଜି ସୁଦ୍ଧା ନ ହୋଇଥିଲେ ବି ଏବେ ଚୁପ ହୋଇ ବସି ରହିବା ଉଚିତ ନୁହେଁ ।

ଆମେ ଜାଣନ୍ତି ଏବେ ଗମନାଗମନର ସୁବିଧା ଦୂରଗାମୀ କର୍ମ ଅନ୍ୱେଷଣ ନିମନ୍ତେ ପ୍ରୋସôାହନ କରୁଛି । ଏହି ବାହାନାରେ ଅନ୍ୟ ରାଜ୍ୟ ଦାଦନ ଶ୍ରମିକଙ୍କ ପରିସଂଖ୍ୟାନରେ ତୁଳନା କରି ଦୋଷଛଡା ପ୍ରୟାସ ହେବା ଲଜ୍ୟାଜନକ । ଦାଦନ ଶ୍ରମିକଙ୍କୁ କେବଳ ଭୋଟ ବ୍ୟାଙ୍କ ମନେ ନ କରି ଏଠାରେ କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା କଲେ ଧୀରେ ଧୀରେ ସମୟ ସହିତ ସେମାନେ ଆମର ସମ୍ବଳ ହୋଇ ରହିବେ ନା କି ବୋଝ । ସେଥିପାଇଁ ଧୈର୍ଯ୍ୟ ଧରିବାକୁ ହେବ କିନ୍ତୁ ଧୈର୍ଯ୍ୟର ଯେପରି ସୀମା ନ ଲଙ୍ଘୁ, ନଚେତ ସ୍ୱାଧୀନତାର ୭୪ବର୍ଷ ପରେ ବି ଶ୍ରମିକ ବାଟବଣା ହେବା ଓ ସେମାନଙ୍କୁ ଦାଦନ କୁହାଯିବା ଦୁଃଖଦାୟକ ।

Leave A Reply