ହିମାଂଶୁ ଶେଖର ଆଚାର୍ଯ୍ୟ : ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ’ – ପିଲାଙ୍କ ପଢାବହିରେ ଥିବା ଏହି ଉକ୍ତିଟି ଆଜି ଶିଶୁମାନସରୁ ଲିଭିଯିବାକୁ ବସିଲାଣି । କାଉ ଆମ ସଂସ୍କୃତି ଓ ଚଳଣୀର ଅଂଶ ହୋଇ ଆସିଛି କାହିଁ କେଉଁ କାଳରୁ । କୌଣସି ଶୁଭାଶୁଭ ମନାସିଲେ ପ୍ରଥମେ କାଉକୁ ଆଧାର ଦିଆଯିବାର ପରମ୍ପରା ରହିଛି । କେବଳ ସେତିକି ନୁହେଁ, ଆକାଶରେ ଜହ୍ନକୁ ଦେଖି ଶିଶୁ ପ୍ରାଣ ଆଉ ପୁଲକିତ ହେଉନାହିଁ । ‘ଆ ଜହ୍ନମାମୁଁ ସରଗ ଶଶୀ – ମୋ କାହ୍ନୁ କୋଳରେ ପଡରେ ଖସି’ର ପ୍ରାଣମୟ ଆବେଦନ ହଜିଗଲାଣି ଟି.ଭି.ର କାର୍ଟୁନ୍ ଶୋ’ରେ । ବାଃ ବାଃ ବ୍ଲାକ୍ସିପ୍, ଟୁଇଁକିଲ୍ ଟୁଇଁକିଲ୍ ଲିଟିଲ ଷ୍ଟାର ଭିତରେ ଲୁଚି ଯାଉଛି ତା’ର କଳ୍ପନା । ସତୁରୀ ପ୍ରତିଶତ, ଅଶୀ ପ୍ରତିଶତ,ନବେ ପ୍ରତିଶତ ଅଙ୍କକଷା ଭିତରେ ସଙ୍କୁଚିତ ହୋଇଯାଇଛି ତା’ର ପ୍ରାଣର ବିସ୍ତାର । ‘ଶଙ୍ଖଚିଲ ଭାଇ ନମସ୍କାର’, ‘ଜହ୍ନିଫୁଲ ଠୋ ଠା – କାକୁଡି ଫୁଲ ଠୋ ଠା’ କହି ତାଳିମାରି ନାଚିପାରୁନି ସେ ।
ଯୁବକଟି ଆଖିରୁ ହଜି ଗଲାଣି ସ୍ୱପ୍ନ । ଅର୍ଥରୂପୀ ସୁନାର ହରିଣୀ ପଛରେ ଧାଇଁ ଧାଇଁ ଦିଗହରା ହୋଇଛି ତା’ର ଇପ୍ସିତ ଲକ୍ଷ୍ୟ । ବିଦ୍ୟା ତା’ ପାଇଁ କେବଳ ଅର୍ଥକରୀ – ସେ ବିଦ୍ୟାରେ ନାହିଁ ପରକୁ ଆପଣାର କରି ଗଢିତୋଳିବା – ଅନ୍ୟ ପାଇଁ ଲୁହ ଢାଳିବା – ସେଥିରେ ଅଛି ଆଭିଜାତ୍ୟର ମୋହ, ଲୋଭନୀୟ ପଦବୀର ଆସକ୍ତି, ମୋଟା ଅଙ୍କ ଦରମାର ଝୁଙ୍କ, ଆଧୁନିକ ଷ୍ଟାଟସ୍ର ଅହମିକା; ଆଉ ତାରି ଭିତରେ ମୂଲଚାଲ ହେଉଛି ତା’ର ଜୀବନ, ଯୌବନ ଆଉ ସ୍ୱପ୍ନ । ଏକଦା ଆମ ସଂସ୍କୃତିର ଧାରା ଥିଲା ‘ବସୁଧୈବ କୁଟୁମ୍ବକମ୍’ – ‘ସର୍ବେ ଭବନ୍ତୁ ସୁଖୀନଃ’ – ‘ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ’ । ଏସବୁ ଆଜି ଆଈ ମା’ କାହାଣୀ ପରି ଲାଗୁଛି । ଆଧୁନିକତାର ଚାକଚକ୍ୟ ମଧ୍ୟରେ ସେ ସବୁ ବିବର୍ଜିତ ହୋଇ ପଡିରହିଛି ।
ସଭ୍ୟତାର ପ୍ରସାର ସହିତ ମଣିଷ କ୍ରମଶଃ ଦୂରେଇ ଯାଉଛି ନିଜ ସଂସ୍କୃତି ଠାରୁ । ଉପଭୋକ୍ତାବାଦ ମଣିଷକୁ ଆଉ ମଣିଷ ଅବସ୍ଥାରେ ରହିବାକୁ ଦେଉନାହିଁ । ଧନ ବଳରେ ନଷ୍ଟ ହୋଇଯାଉଛି ମୂଲ୍ୟବୋଧ । ଏହି ମୂଲ୍ୟବୋଧର ଅବକ୍ଷୟ ଅପସଂସ୍କୃତିକୁ ଡାକି ଆଣୁଛି ହାତଠାରି । ଫଳ ସ୍ୱରୂପ ଆମ ସାଂସ୍କୃତିକ ଜୀବନ ହୋଇଉଠିଛି ବିକଳାଙ୍ଗ । ଆଜି ଭାଗବତ ଘର ଢିଅରେ ମୁଣ୍ଡ ଟେକିଛି ଯୁବକ ସଂଘ, ମହିଳା ସମିତି । ଚାଟଶାଳୀ ଜାଗାରେ ଠିଆ ହୋଇଛିି ଅଙ୍ଗନବାଡି, ବାପା ଏବେ ଡାଡି, ବୋଉ ମମି, ଆଉ ମାଉସୀ, ଖୁଡି, ମାଇଁ ଏମାନେ ସମସ୍ତେ ଆଣ୍ଟିରେ ଗଣା । ସେମିତି ଦାଦା, ମଉସା, ମାମୁଁ ଏମାନେ ସମସ୍ତେ ଅଙ୍କଲ । ନମସ୍କାର ଆଉ ପ୍ରଣାମ ବଦଳରେ ଟା,ଟା ବାଏବାଏ । ଏତ ଗଲା ଆମ ନିତିଦିନିଆ କଥା । ବାହାଘର, ବ୍ରତଘର ଓ ପୂଜା ପାର୍ବଣ କଥା ନ କହିଲେ ଭଲ । ବାହାଘରମାନଙ୍କରେ ବରଯାତ୍ରୀ ମେଳରେ ଚାଲିଛି ଉଦଣ୍ଡ ନୃତ୍ୟ । ମାଣବସା ଗୁରୁବାରରେ ଲକ୍ଷ୍ମୀ ପୁରାଣ କ୍ୟାସେଟ୍ରେ କାମ ଚଳିଯାଉଛି । ଏପରିକି ଅଷ୍ଟପ୍ରହରୀମାନଙ୍କରେ ବିଭିନ୍ନ ସିନେମା ଗୀତର ଧୂନ୍କୁ ଅନୁକରଣ କରାଯାଇ ନାମ ସଂକୀର୍ତ୍ତନ ଚାଲିଛି ।ଏବେ ଆମ ସଂସ୍କୃତିକୁ ଗତ କିଛି ବର୍ଷ ହେଲା ଧସେଇ ପସିଛି କାଉଡିଆ ସଂସ୍କୃତି । କାହିଁ କେଉଁ କାଳରୁ ଶିବ ଉପାସନା ଆମ ସ୍କୃତିରେ ପ୍ରଚଳିତ ଥିଲେହେଁ ଏବେ ତାହାକୁ ଆଧାର କରି କାଉଡିଆ ମାନଙ୍କର ଭିଡ କାହିଁରେ କ’ଣ । ଯେଉଁଠି ଦେଖିବ ରାସ୍ତାରେ କାଉଡି ଧରି ଆବାଳ ବୃଦ୍ଧବନିତା ଚାଲିଛନ୍ତି ଶୈବ ପିଠକୁ । ଏଠାରେ ଭକ୍ତି ଅପେକ୍ଷା ମସ୍ତି ବେଶି ।
ନାଚ, ଗୀତ କଥା ଆହୁରି ତଦ୍ରୁପ । ଆମ ଓଡ଼ିଶୀ ନାଚ ଆମକୁ ଭଲ ଲାଗୁନି । ରେକର୍ଡ ଡ୍ୟାନ୍ସର ଯୁଗ ଏବେ । ବିଭିନ୍ନ ମଞ୍ଚ, ସାଂସ୍କୃତିକ ଅନୁଷ୍ଠାନ ଠାରୁ ଆରମ୍ଭ କରି ଗଣନାଟ୍ୟ ପର୍ଯ୍ୟନ୍ତ ସବୁଠିି ଏହାର ଛାପ । ଏପରିକି ଟିଭି ଚ୍ୟାନେଲରେ ଜାତୀୟ ସ୍ତରଠାରୁ ଆରମ୍ଭ କରି ଆମ ଓଡିଆ ଟି.ଭି.ଚ୍ୟାନେଲ ପର୍ଯ୍ୟନ୍ତ ସବୁଠି କାୟା ବିସ୍ତାର କରିଚାଲିଛି ଏହି ଡ୍ୟାନ୍ସ ଧମାକା । ଏ ସବୁ ଦେଖିବାକୁ ଉକ୍ରଣ୍ଠିତ ଆମ ଯୁବ ସମାଜ । ଅଭିଭାବକମାନେ ବି ଏହି ମାନିଆରୁ ମୁକ୍ତ ନୁହଁନ୍ତି । ଗୀତ ତ ଏଠି ପଣ୍ୟ ଦ୍ରବ୍ୟ । ବେପାରୀ ଚିନ୍ତାଚେତନା ନେଇ ଏଠି ପ୍ରସ୍ତୁତ ହେଉଛି ଭଜନ, ଜଣାଣ ଓ ଆଧୁନିକ ଗୀତର କ୍ୟାସେଟ୍ । ଦ୍ୱିଅର୍ଥବୋଧକ ଶବ୍ଦ ସଂଯୋଜନା ଓ ଚାଲୁ ସ୍ୱର ଏଠି ହୋଇଛି ଭଲ ସଙ୍ଗୀତର ମାପକାଠି ।
ଖାଲି ସେତିକି ନୁହେଁ, ଟି.ଭି. ଚ୍ୟାନେଲ୍ରେ ରିୟଲିଟି ଶୋ’ର ଚାହିଦା ମଧ୍ୟ କାହିଁରେ କ’ଣ । ଏହି ରୁଚି ଭିତରେ ଆମର ମହାନ୍ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅଣନିଶ୍ୱାସୀ ହୋଇପଡୁଛି । ଅର୍ଥ ଲୋଭରେ ଓ ରାତାରାତି ଚର୍ଚ୍ଚାର ପରିସରକୁ ଆସିବା ପାଇଁ ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିବାକୁ ବ୍ୟଗ୍ର ହୋଇଉଠୁଛନ୍ତି । ଏଠି ମନେପଡେ ଏକ ଉକ୍ତି – “ଚନ୍ଦ୍ରର ପଛ ଭାଗ ଭଳି ପ୍ରତି ମଣିଷର ଏକ ଅନ୍ଧାରିଆ ଦିଗ ଅଛି, ଯାହା ସେ ନିଜେ ଦେଖିବାକୁ ଚାହେଁନି”ା ତାହା ହିଁ ସତ ।ଏବେ ପୁଣି ଭିନ୍ନ ଏକ ଅନୁକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।
ତାହା ହେଉଛି ରୁମାଲ ବନ୍ଧା ସଂସ୍କୃତି । ଦୁଇ ଚକିଆ ଯାନରେ ଗଲାବେଳେ ଝିଅମାନେ ମୁହଁରେ ଆଖି ତଳକୁ ରୁମାଲ ବାନ୍ଧି ଯିବାର ଦେଖିବାକୁ ମିଳୁଛି । କେବଳ ସହର ମାନଙ୍କରେ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଏ ସବୁ ଦୃଶ୍ୟ ଦେଖିବାକୁ ମିଳୁଛି । ଧୂଳି ସଂକ୍ରମଣ ପାଇଁ ହେଉ ବା ଅନ୍ୟମାନଙ୍କ କୁନଜରରୁ ରକ୍ଷା ପାଇବା ପାଇଁ ହେଉ ବା ନିଜର ଆତ୍ମୀୟ ସ୍ୱଜନ ମାନଙ୍କର ଦୃଷ୍ଟିକୁ ଏଡାଇବା ପାଇଁ ହେଉ ଏଭଳି ଘଟଣା ବଢି ବଢି ଚାଲିଛି । ସତେ ଯେମିତି ଏହା ଏକ ଫେସନରେ ପରିଣତ ହୋଇଗଲାଣି । ଅବସ୍ଥା ଏପରି ହୋଇଛି ଯେ, ବାପା ଆଗରେ ଝିଅ ଚାଲିଗଲେ ମଧ୍ୟ ବାପା ଝିଅକୁ ଜାଣି ପାରୁନାହିଁ । ଆଧୁନିକତାର ଦ୍ୱାହି ଦେଇ ଆମେ ଆଗକୁ ଚାଲୁଥିବା ବେଳେ ସଂଖ୍ୟାଲଘୁ ସଂପ୍ରଦାୟର ପରଦା ପ୍ରଥା ଭଳି ସାଂପ୍ରତିକ ସମୟରେ ଏପରି ଆଭିମୁଖ୍ୟ କେତେଦୁର ଗ୍ରହଣୀୟ ସେକଥା ଚିନ୍ତା କରିବାର ଅଛି ।
ପୂଜ୍ୟପୂଜା ଆଉ ନାହିଁ । ଅପୂଜ୍ୟକୁ ପୂଜା କରିବା ‘ବିଧି’ରେ ପରିଣତ ହୋଇଛି । ଅନେକ ପୂଜ୍ୟ ବରପୁତ୍ର ଆଜି ଅବହେଳିତ । କେଉଁଠି ସେମାନେ ଭଗ୍ନ ଓ ଜରାଜୀର୍ଣ ଅବସ୍ଥାରେ ରହିଛନ୍ତିି ତ ଆଉକେଉଁଠି ସେମାନଙ୍କର ପ୍ରତିମୂର୍ତ୍ତି ଭଙ୍ଗାଯାଉଛି । ସେହି ବରପୁତ୍ର ମାନେ ସିନା ଆଜି ନାହାଁନ୍ତି.ହେଲେ ପ୍ରତିମୂର୍ତ୍ତି ଗୁଡିକୁ ସୁରକ୍ଷା ଦେବା ସହ ସେମାନଙ୍କ ସ୍ମୃତିକୁ ସାଉଁଟି ରଖିବାର ସମୟ ଆସିଛି । କେବଳ ଜୟନ୍ତୀ ଓ ଶ୍ରାଦ୍ଧପାଳନରେ ସୀମିତ ରହିଛନ୍ତି ଅନେକ ଯୋଗଜନ୍ମା ବରପୁତ୍ର । ବାସ୍ତବରେ ଏଥିପ୍ରତି କାହାରି ନିଘା ନାହିଁ । ସେହିପରି ଉପାଧିକୁ ନେଇ ଅନେକ ବିତର୍କ ମୁଣ୍ଡ ଟେକିବାରେ ଲାଗିଛି । ରାଜ୍ୟ ସ୍ତରରେ ସାହିତ୍ୟ ଏକାଡେମୀ ଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ପଦ୍ମଶ୍ରୀ,ପଦ୍ମଭୂଷଣ,ଜ୍ଞାନପୀଠ ଏପରିକି ସର୍ବୋଚ୍ଚ ଉପାଧି ଭାରତ ରତ୍ନ ପର୍ଯ୍ୟନ୍ତ ସବୁଠି ଏକା କଥା । ଏପରିକି କେତେକ କ୍ଷେତ୍ରରେ ଏହାକୁ ନେଇ ଘଟଣା କୋର୍ଟ ପରିସରକୁ ଯାଉଛି । ଫଳରେ ଉପାଧିର ଗୁରୁତ୍ୱ ହ୍ରାସ ପାଇବାରେ ଲାଗିଛି ।
ସେଦିନ ମାଣିକ ଗଉଡୁଣୀ କଳାଧଳା ଘୋଡାରେ ଯାଉଥିବା ଦୁଇଜଣ ଦିବ୍ୟ ପୁରୁଷଙ୍କୁ ଦହି ପୋଷେ ପୋଷେ ଦେଇ ସେମାନଙ୍କ ତୃଷ୍ଣା ମେଣ୍ଟାଇଥିଲା । କାରଣ ସେଥିରେ ଥିଲା ଆମ ସଂସ୍କୃତିରେ ସ୍ନେହ ଓ ଆତିଥ୍ୟର ଉଦାରଭାବ, ‘ଅତିଥି ଦେବୋଭବ’ର ପରମ୍ପରା । ଏକଥା ସିନା ମାଣିକ ଗଉଡୁଣୀ ବୁଝିଥିଲା, କିନ୍ତୁ ନିଜର ପଦପଦବୀ ଓ ସ୍ୱୀକୃତିକୁ ନେଇ ଡିଣ୍ଡିମ ପିଟୁଥିବା ଏବର ବିଜ୍ଞ ମଣିଷମାନେ ଏକଥା ବୁଝୁନାହାଁନ୍ତି । ଏହାହିଁ ବିଡମ୍ବନା!
ସଭାପତି